ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀମାନଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିବା ଚିଠିରେ ମୁଖ୍ୟ ପ୍ରଶାସକ ଏଥିପାଇଁ ଏକାଧିକ କାରଣ ଦର୍ଶାଇଛନ୍ତି ।
ସେ ଲେଖିଛନ୍ତି ଯେ କୋଭିଡ୍ ମହାମାରୀ ସମୟରେ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀମାନେ ବିଭିନ୍ନ କାମରେ ନିୟୋଜିତ ଅଛନ୍ତି । ନୀଳାଚଳ ଭକ୍ତ ନିବାସଠାରେ ଥିବା ଆନୁଷ୍ଠାନିକ ସଙ୍ଗରୋଧ କେନ୍ଦ୍ରରେ କରୋନା ସଂକ୍ରମିତଙ୍କ ଦାୟିତ୍ୱ ବୁଝୁଛନ୍ତି । ସେବାୟତ ଓ କର୍ମଚାରୀଙ୍କ ଟିକାକରଣରେ ଡାକ୍ତରୀ ଟିମ୍ କୁ ସହଯୋଗ କରୁଛନ୍ତି । ଶ୍ରୀମନ୍ଦିର ଭିତରେ ଓ ବାହାରେ ମହାପ୍ରଭୁଙ୍କ ନୀତିକାନ୍ତିରେ ସାମିଲ ହୋଇ ସବୁଦିନ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି । ରଥଖଳା ସେବକଙ୍କ ରହିବା, ଖାଇବା, ପିଇବା ସବୁ ଦାୟିତ୍ୱ ବୁଝୁଛନ୍ତି ।
ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରରେ ପ୍ରଶାସନରେ କାର୍ଯ୍ୟରତ ସବୁ କର୍ମଚାରୀଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରାଯାଇ ସେମାନଙ୍କୁ ରାଜ୍ୟ ସରକାରଙ୍କ ପ୍ରଦତ୍ତ ସୁବିଧା ଯୋଗାଇ ଦେବାକୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି ।
ଇତିମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଅଧୀନସ୍ଥ ଜଗନ୍ନାଥ ଟେମ୍ପଲ୍ ପୋଲିସି (ଜେଟିପି)ର ଦୁଇଜଣ କର୍ମଚାରୀ ପୃଥ୍ୱୀମନ୍ୟୁ ଦାଶ(୫୮) ଏବଂ ପ୍ରମୋଦ କୁମାର ଦାଶ(୫୯) କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ମୃତକଙ୍କ ପରିବାରକୁ ଅନ୍ୟ କରୋନା ଯୋଦ୍ଧାଙ୍କ ଭଳି ଆର୍ଥିକ ସହାୟତା ଦେବାକୁ ଡ. କ୍ରିଷନ୍ କୁମାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।