ଭୁୁବନେଶ୍ୱର: ସାମନାକୁ ଆସିଲା ଆହୁରି ଏକ ଚାଞ୍ଚଲ୍ୟକର ତଥ୍ୟ । ଖାଲି ସାରୁଅ ଜମି ନୁହେଁ, ଖୋଦ୍ ରାଜଧାନୀ ଛାତି ଉପରେ ସରକାରୀ ଜାଗା ହଡ଼ପ କରିଛନ୍ତି ପଣ୍ଡା କମ୍ପାନୀ । ଜାଗୀ ପଣ୍ଡାଙ୍କ ମାଲିକାନାରେ ଥିବା ଓଟିଭି ଅଫିସ ୧୨ ହଜାର ୯୮୦ ବର୍ଗଫୁଟ ସରକାରୀ ଜମିକୁ ମାଡ଼ି ନିର୍ମାଣ ହୋଇଛି । ଇଡକୋ ପକ୍ଷରୁ ଆଜି ଜଏଣ୍ଟ ଭେରିଫିକେସନ୍ ବେଳେ ଏହି କେଳେଙ୍କାରୀ ଧରାପଡ଼ିଛି । ସାରୁଅ ଜମି କେଳେଙ୍କାରୀ ଓ ବାହାମାସ୍ ଭୂତ କମ୍ପାନୀ ଜରିଆରେ ବୈଜୟନ୍ତ ଓ ଜାଗୀ ପଣ୍ଡାଙ୍କ କଳାଟଙ୍କା କାରବାରକୁ ନେଇ ଚର୍ଚ୍ଚା ଜୋର୍ ଧରିଲା ବେଳକୁ ଏବେ ସେଥିରେ ଯୋଡି ହୋଇଛି ଜମି କେଳଙ୍କାରୀର ଦ୍ୱିତୀୟ ଅଧ୍ୟାୟ ।
ସରକାରୀ ଜାଗାରେ ଓଟିଭି ଅଫିସ୍ ନିର୍ମାଣ ହୋଇଥିବାର ଏକ ଅଭିଯୋଗ ନିକଟରେ ଇଡକୋ କର୍ତ୍ତୃପକ୍ଷଙ୍କ ପାଖକୁ ଆସିଥିଲା । ଅଭିଯୋଗର ଅନୁଧ୍ୟାନ ପରେ ଗତମାସ ୨୦ ତାରିଖରେ ଓଟିଭି କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା ଇଡକୋ । ମାତ୍ର ଓଟିଭି କର୍ତ୍ତୃପକ୍ଷ ଉକ୍ତ ଅଭିଯୋଗକୁ ବାଏଁ ବାଏଁ ଉଡାଇ ଦେଇଥିଲେ । କୌଣସି ଜାଗା ଜବରଦଖଲ କରିନାହାନ୍ତି ବୋଲି ସଫେଇ ରଖିଥିଲେ । ତେବେ ଓଟିଭି କର୍ତ୍ତୃପକ୍ଷଙ୍କ ଏହି ସଫେଇରେ ସନ୍ତୁଷ୍ଟ ହୋଇ ନ ଥିଲେ ଇଡକୋ କର୍ତ୍ତୃପକ୍ଷ ।
ଆଜି ଇଡକୋ ପକ୍ଷରୁ ଓଟିଭି ଅଫିସ୍ ନିର୍ମାଣ ହୋଇଥିବା ଜମି ଓ ଏହାର ସଂଲଗ୍ନ ଅଞ୍ଚଳରେ ଜଏଣ୍ଟ ଭେରିଫିକେସନ୍ କରାଯାଇଥିଲା । ଇଡକୋ ଲ୍ୟାଣ୍ଡ ଅଫିସର, ବିଏମସି, ବିଡିଏ ଓ କଳାରାହାଙ୍ଗ ତହସିଲ ଅଫିସ୍ ର କର୍ମଚାରୀ ଏଥିରେ ସାମିଲ ହୋଇ ମାପଚୁପ୍ କରିଥିଲେ । ଆଉ ଏଥିରୁ ବାହାରିଥିବା ନିଷ୍କର୍ସ ଓଟିଭି କର୍ତ୍ତୃପକ୍ଷଙ୍କ କଳା ଚେହେରାକୁ ପଦାରେ ପକାଇଛି ।
ସୂଚନା ଅନୁଯାୟୀ, ୨୦୦୭ ମସିହାରେ ଭୁବନେଶ୍ୱର ଚନ୍ଦକା ଶିଳ୍ପାଞ୍ଚଳରେ ଓଟିଭିକୁ ୦.୮୩୫ ଏକର ଜମି ବା ୩,୩୭୯ ବର୍ଗମିଟର ଜମି ଇଡକୋ ଆଲଟ୍ କରିଥିଲା । ଏହି ଜମିର ପ୍ଲଟ୍ ନଂ ହେଉଛି ଏନ/୨୮/୨୯/୩୦ ଏବଂ ୩୧ ନମ୍ବର ପ୍ଲଟ୍ । ତେବେ ନିଜକୁ ମିଳିଥିବା ସମ୍ପତ୍ତି ଉପରେ ସନ୍ତୁଷ୍ଟ ନ ହୋଇ ଏହାର ଚାରିପଟେ ଥିବା ସରକାରୀ ଜାଗା ଉପରେ ଆଖି ପକାଇଥିଲେ ।
ଇତିମଧ୍ୟରେ ୧୨, ୯୮୦ ବର୍ଗଫୁଟ ଜମିକୁ ବେଆଇନ ମାଡ଼ି ବସି ତାହା ଉପରେ ନିର୍ମାଣ କାର୍ଯ୍ୟ କରିଛନ୍ତି । ଏହି ଜବରଦଖଲ ଜମି ଉପରେ ଛିଡ଼ା ହୋଇଛି ଓଟିଭି ଟେଲିପୋର୍ଟ ଓ ଡିଜି । ଓଟିଭି ମୁଖ୍ୟ ବିଲଡିଂର କିଛି ଅଂଶ ମଧ୍ୟ ଏହି ଜବରଦଖଲ ଜମି ଉପରକୁ ମାଡ଼ି ଆସିଛି ।
ସୂଚନାଥାଉକି, ଓଟିଭି ଷ୍ଟୁଡ଼ିଓ ନିର୍ମାଣ ନାଁରେ ସାରୁଅରେ ଦଳିତଙ୍କ ଜମି ହଡ଼ପ କରିଥିବାର ସଙ୍ଗୀନ ଅଭିଯୋଗ ଆସିଛି ଓଟିଭି ଏମଡି ଜାଗୀ ପଣ୍ଡାଙ୍କ ବିରୋଧରେ । ଥାନାରେ ତିନି ତିନୋଟି ମାମଲା ହେଲାଣି । ଜିଲ୍ଲା ପ୍ରଶାସନର ସୁପାରିଶକ୍ରମେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଥିଲା ବେଳେ ଏବେ ଖୋଦ୍ ରାଜଧାନୀ ଛାତି ଉପରେ ଜମି ଜବରଦଖଲ ପଦାକୁ ଆସିଛି । ଜବରଦଖଲକାରୀଙ୍କ ବିରୋଧରେ ଇଡକୋ କର୍ତ୍ତୃପକ୍ଷ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ତେବେ ଏ ସମ୍ପର୍କରେ ଓଟିଭି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ ।
Continue Reading