ଭୁବନେଶ୍ୱର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍) ରେ କେହି କରୋନାରେ ଆକ୍ରାନ୍ତ ହୋଇନାହାନ୍ତି । ଏକାଥରେ ୨୫ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଦୁଇଦିନ ତଳେ ରିପୋର୍ଟ ଆସିଥିଲା । ମାତ୍ର ତାହା ଭୁଲ୍ ଥିଲା । କୋଭିଡ୍ ଆଣ୍ଟିଜେନ୍ କିଟ୍ ଖରାପ ଯୋଗୁଁ ପଜିଟିଭ୍ ରିପୋର୍ଟ ଆସିଥିଲା । ଆରଟି-ପିସିଆର ଟେଷ୍ଟିଂରେ ଏମାନଙ୍କର ନେଗେଟିଭ୍ ରିପୋର୍ଟ ଆସିଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ଏହି ସ୍ପଷ୍ଟୀକରଣ ଦେଇଛନ୍ତି ।
ଆଣ୍ଟିଜେନ୍ କିଟ୍ ରେ ଏଭଳି ତ୍ରୁଟି ଜଣାପଡ଼ିବା ପରେ ଭିସୁଟ୍ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲ ଆଶ୍ୱସ୍ତ ହୋଇଥିଲେ ମଧ୍ୟ ଏହାକୁ ଗୁରୁତର ଘଟଣା ଭାବେ ଧରାଯାଉଛି । ଏହି କିଟ୍ କେଉଁଠୁ ଆସିଲା ଏବଂ ଏଥିପାଇଁ କିଏ ଦାୟୀ ତାହାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି । ଖୁବ୍ ଶୀଘ୍ର ସବୁ କିଟ୍ ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
ଭିସୁଟ୍ ର ଏତେସଂଖ୍ୟକ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଖବର ଆସିଲା ପରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ବିଶ୍ୱବିଦ୍ୟାଳୟକୁ ସଟଡାଉନ୍ ଘୋଷଣା କରାଯାଇଥିଲା । ସଂକ୍ରମିତଙ୍କୁ ଆଇସୋଲେସନ୍ ରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱବିଦ୍ୟାଳୟର ୧୧ଟି ହଷ୍ଟେଲ୍ କୁ କଣ୍ଟେନମେଣ୍ଟ ଜୋନ୍ ଏବଂ ଗୋଟିଏ ହଷ୍ଟେଲ୍(ପୁଲହ)ର୍ର ଚତୁଃପାଶ୍ୱର୍କୁ ବଫର୍ ଜୋନ୍ ଭାବେ ଘୋଷଣା କରାଯାଇଥିଲା । ଜରୁରୀ କାର୍ଯ୍ୟ ଛଡ଼ା ଏହି ଜୋନ୍ ରେ ଯାତାୟତ ଉପରେ କଟକଣା ଲାଗିଥିଲା ।
ଏପଟେ ଭିସୁଟ୍ କର୍ତ୍ତୃପକ୍ଷ ସପ୍ତମ ସେମିଷ୍ଟର୍ ର ଅଫଲାଇନ୍ ପରୀକ୍ଷାକୁ ଛାଡ଼ି ଅନ୍ୟ ସମସ୍ତ ଅଫଲାଇନ୍ କ୍ଲାସ୍ ବାତିଲ୍ କରିଥିଲେ । ଅନଲାଇନ୍ କ୍ଲାସ ଘୋଷଣା ହେବା ପରେ ବିଟେକ୍ ଦ୍ୱିତୀୟ ଓ ତୃତୀୟ ବର୍ଷର ଅଧିକାଂଶ ଛାତ୍ରଛାତ୍ରୀ ହଷ୍ଟେଲ୍ ଛାଡ଼ି ନିଜ ଘରକୁ ଚାଲିଯାଇଛନ୍ତି ।