ଭୁୁବନେଶ୍ୱର: ୨୦୦୮ ମସିହାର ବହୁ ଚର୍ଚ୍ଚିତ ସଙ୍ଗୀତଜ୍ଞ ସୁମନ୍ତ ମହାନ୍ତି ହତ୍ୟା ମାମଲାର ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୁଲିସ । ତା’ ନାଁ ହେଉଛି ଲିଟୁଆ ଓରଫ ବିକ୍ରମାଦିତ୍ୟ ଜେନା । ଅପରାଧ ଘଟାଇବା ପରେ ପୁନେ ପଳାଇଯାଇ ଆତ୍ମଗୋପନ କରିଥିବା ଲିଟୁଆ ଗତବର୍ଷ ଲକଡାଉନ୍ ପୂର୍ବରୁ ଭୁବନେଶ୍ୱର ଫେରିଥିଲା । ପୁଲିସ ଆଖିରେ ଧୂଳି ଦେଇ ବୁଲୁଥିବା ବେଳେ ନୂଆ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଭିଯାନରୁ ଖସି ପାରିନାହିଁ । କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଗତକାଲି ରାତିରେ ତାକୁ ଲକ୍ଷ୍ମୀସାଗର ଅଞ୍ଚଳରୁ ଗିରଫ କରିଛନ୍ତି । କମିଶନର ନିଜେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସୂଚନା ଦେଇଛନ୍ତି ।
୨୦୦୮ ମସିହା ଅକ୍ଟୋବର ୧୦ ତାରିଖରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ବିଭତ୍ସ୍ୟ ଭାବେ ହତ୍ୟା କରାଯାଇଥିଲା । ମଞ୍ଚେଶ୍ୱର ଥାନା ଚକେଇଶିଆଣି-ପଳାଶୁଣିି ରାସ୍ତା କେନାଲ୍ ରୁ ସୁମନ୍ତଙ୍କ କାର୍ ସହ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ଅପରାଧୀମାନେ ତାଙ୍କୁ ହତ୍ୟା କରିବା ପରେ ଏକ ଅଖାରେ ବାନ୍ଧି ଦେଇଥିଲେ ଏବଂ କାର୍ ପଛ ସିଟ୍ ରେ ରଖି କାର୍ କୁ କେନାଲକୁ ଗଡ଼ାଇ ଦେଇଥିଲେ । ଏହି ହତ୍ୟାକାଣ୍ଡ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା ।
ପରବର୍ତ୍ତୀ ସମୟରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁନୀଲ ଜେନା ସମେତ ଅନ୍ୟ ୩ ସହଯୋଗୀ ସୁଶୀଲ ସାମନ୍ତରାୟ, ଶୁଭକାନ୍ତ ଜେନା ଓ ମାନସ ରଂଜନଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲେ ମଧ୍ୟ ପଞ୍ଚମ ଅଭିଯୁକ୍ତ ଲିଟୁଆ ଫେରାର ହୋଇଯାଇଥିଲା । ସେ ପୁନେ ପଳାଇଯାଇ ଏକ ଜିମ୍ ର ଟ୍ରେନର୍ ଭାବେ କାମ କରୁଥିଲା । ଦୀର୍ଘ ୮ ବର୍ଷ ପରେ ୨୦୧୭ ମସିହାରେ ସେ ଅସୁସ୍ଥ ମାଆଙ୍କୁ ଦେଖିବା ପାଇଁ ଲକ୍ଷ୍ମୀସାଗର ନିଜ ଘରକୁ ଅଳ୍ପ ଦିନ ପାଇଁ ଆସିଥିଲା । ୨୦୧୯ ମସିହାରେ ପୁନେରେ ତା”ର ଏକ ଦୁର୍ଘଟଣା ହେବାରୁ ସେ କାମ ହରାଇଥିଲା । ପରେ ପରେ ଲକଡାଉନ୍ ଯୋଗୁଁ ସେ ଭୁବନେଶ୍ୱର ଫେରି ଆସିଲା ।
୧୩ ବର୍ଷ ତଳର ଏହି ମାମଲା ପୁଲିସ ସ୍କାନରରେ ଥିଲେ ମଧ୍ୟ ଲିଟୁଆ ଅପହଞ୍ଚ ରହିଯାଇଥିଲା । କିଛି ଦିନ ତଳେ ସୌମେନ୍ଦ୍ର ପ୍ରିୟଦର୍ଶୀ କମିଶନର ଦାୟିତ୍ୱ ନେଲା ପରେ ପୁରୁଣା ଅପରାଧିକ ଫାଇଲ୍ ଗୁଡ଼ିକ ଖେଳାଇଥିଲେ । ହାଇ ପ୍ରୋଫାଇଲ୍ ମର୍ଡର କେସ୍ ଗୁଡ଼ିକୁ ଅନୁଧ୍ୟାନ କଲାବେଳେ ସୁମନ୍ତ ମହାନ୍ତି କେସ୍ ଉପରେ ତାଙ୍କର ଦୃଷ୍ଟି ପଡ଼ିଥିଲା । ଫେରାର ଅଭିଯୁକ୍ତ ବିକ୍ରମାଦିତ୍ୟକୁ ତୁରନ୍ତ ଗିରଫ କରିବାକୁ ବ୍ଲୁ ପ୍ରିଣ୍ଟ ସହ ସ୍ୱତନ୍ତ୍ର ସ୍କ୍ୱାଡ୍ ଉପରେ ଦାୟିତ୍ୱ ଛାଡ଼ିଥିଲେ । ଯେଉଁଥିରୁ ମିଳିଛି ସଫଳତା ।
ଛାତ୍ରାବସ୍ଥାରେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ସୁମନ୍ତ୍ର ମହାନ୍ତି ଏବଂ ସୁନୀଲ ଜେନା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସାଙ୍ଗ ହୋଇ ପଢ଼ୁଥିଲେ । କଲେଜରେ ଏକ ଉତ୍ସବ ପାଳନକୁ ନେଇ ଉଭୟଙ୍କ ମଧ୍ୟରେ କୁଆଡ଼େ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ସୁନୀଲ ସୁମନ୍ତଙ୍କୁ ଚଟକଣି ପକାଇଥିଲେ । ସୁନୀଲଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ କଲେଜ କର୍ତ୍ତୃପକ୍ଷ ତାଙ୍କୁ ବହିଷ୍କାର କରିଥିଲେ । ଆଉ ସେହି ପୁରୁଣା ରାଗର ପ୍ରତିଶୋଧ ନେବା ପାଇଁ ସୁନୀଲ ତାଙ୍କର ବନ୍ଧୁମାନଙ୍କ ସହଯୋଗରେ ସୁମନ୍ତଙ୍କୁ ହତ୍ୟା କରିଥିବା କୁହାଯାଉଛି ।
ଆଜି ଗିରଫ ହୋଇଥିବା ଲିଟୁଆ ଓରଫ୍ ବିକ୍ରମାଦିତ୍ୟ ହତ୍ୟାକାଣ୍ଡରେ ସାମିଲ ନାହିଁ ବୋଲି ସଫେଇ ଦେଇଛି । ତେବେ ତାଙ୍କ ଘରେ ହିଁ ସୁମନ୍ତଙ୍କୁ ହତ୍ୟା କରାଯାଇଥିବା ଗଣମାଧ୍ୟମ ଆଗରେ ସେ ସ୍ୱୀକାର କରିଛି ।