ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ସାରୁଅ ମୌଜାରେ ଓଟିଭି ସଂସ୍ଥା ଡରେଇ ଧମକେଇ ଲୋକଙ୍କ ଚାଷଜମି ହାତୋଉଥିବା ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ରିପୋର୍ଟ ଆସିବା ପୂର୍ବରୁ ମାମଲା ଜଟିଳ ମୋଡ଼ ନେଇଛି । ଚାଷରୁ ବଞ୍ଚିତ ହୋଇଥିବା ଦଳିତ ବର୍ଗର ଚାଷୀମାନେ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା, ତାଙ୍କ ବାପା ଓ ଭାଇଙ୍କ ବିରୋଧରେ ବାଘମାରୀ ଥାନାରେ ଏତଲା ଦେଇଛନ୍ତି ।
ଚାଷଜମି ଚାରିପଟେ ପାଚେରୀ ବୁଲା ଯାଇ ଜମି ଅବରୋଧ କରାଯାଇଛି । ଯେଉଁଥିପାଇଁ ନିଜ ଜମିରେ ଚାଷ କରିବାକୁ ଯାଇପାରୁନାହାନ୍ତି । ଆପତ୍ତି କଲାରୁ ଜାଗୀ ପଣ୍ଡା, ତାଙ୍କ ବାପା, ଭାଇଧମକ ଦେଉଛନ୍ତି । ନିରୁପାୟ ହୋଇ ପୁଲିସର ଦ୍ୱାରସ୍ଥ ହୋଇଥିବା ଅଭିଯୋଗକାରୀ କହିଛନ୍ତି । ବାଘମାରୀ ଥାନା ପୁଲିସ ଏତଲାକୁ ଗ୍ରହଣ କରିବା ସହ ଓଟିଭି ଏମଡି, ତାଙ୍କ ବାପା ଓ ଭାଇଙ୍କ ବିରୋଧରେ ଏସସି/ଏସଟି ଅତ୍ୟାଚାର ନିରୋଧ ଆଇନ ଏବଂ ଆଇପିସିର ଧାରା ୪୪୭, ୫୦୬ ଏବଂ ୩୪ ଦଫାରେ ମାମଲା ରୁଜୁ କରିଛନ୍ତି । ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।
ଇତିମଧ୍ୟରେ ସାରୁଆ ମୌଜା ଗ୍ରାମବାସୀଙ୍କ ଅଭିଯୋଗକ୍ରମେ ଜିଲ୍ଲା ପ୍ରଶାସନର ତଦନ୍ତରୁ ଅନେକ ରୋଚକ ତଥ୍ୟ ସାମନାକୁ ଆସିଲାଣି । ଗୋଚର ଜମିରେ ଓଟିଭି ତରଙ୍ଗ ଷ୍ଟୁଡ଼ିଓର ମୁଖ୍ୟ ରାସ୍ତା ବେଆଇନ ଭାବେ ନିର୍ମାଣ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ, ତହସିଲଦାରଙ୍କ ଉପସ୍ଥିତିରେ ଅମିନ୍ ମାପଚୁପ୍ ରୁ ଏହା ଧରାପଡ଼ିଛି । ଗତ ଗୁରୁବାର ଦିନ ମାପଚୁପ୍ ପରେ ଉକ୍ତ ଜବରଦଖଲ ଗୋଚର ଜମି ଉପରେ ନାଲିପତାକା ମରାଯାଇଛି । ଗୋଚର ଜମିକୁ ମାଡ଼ିଥିବା ଷ୍ଟୁଡିଓର ମୁଖ୍ୟ ଗେଟ୍ ର କିଛି ଅଂଶରେ ବି ନାଲି ପତାକା ମାରିଛି ପ୍ରଶାସନ ।
ସାରୁଆ ମୌଜାର ଚାଷୀମାନଙ୍କ ଅଭିଯୋଗ ହେଉଛି, ବିଭିନ୍ନ ପ୍ରଲୋଭନ ଦେଇ ଓଟିଭି ସେମାନଙ୍କ ଚାଷଜମି ହାତେଇଛି । ଚାଷଜମି ଅଞ୍ଚଳରେ ପାଚେରୀ ନିର୍ମାଣ କରି ସଂଲଗ୍ନ ଚାଷଜମିଗୁଡ଼ିକୁ ଅବରୋଧ କରିଛି । ତଳିଆ ଜମିକୁ ଉପର ପାଣି ଆସିପାରୁ ନ ଥିବାରୁ ଚାଷ ହୋଇପାରୁନାହିଁ । ସିକୁ୍ୟରିଟି ଗାର୍ଡ ଜଗିଥିବାରୁ ପାଚେରୀ ଭିତରେ ଥିବା ନିଜ ଚାଷଜମିକୁ ଅନେକ ଯାଇ ବି ପାରୁନାହାନ୍ତି । ଏହାର ପ୍ରତିବାଦ କଲେ ଧମକ ମିଳୁଛି । ଅଭିଯୋଗରେ ସିଧାସଳଖ ଜାଗୀ ପଣ୍ଡାଙ୍କ ନାଁ ନେଇଛନ୍ତି କ୍ଷତିଗ୍ରସ୍ତ ଚାଷୀ ।
୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଙ୍କ ନିର୍ଦ୍ଦେଶ ଥିଲା । ଆଜି ତାହାର କଣ୍ଟ ପୂରିଛି । ତଦନ୍ତ ରିପୋର୍ଟ ପାଇଲା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ତେବେ ଏହାପୂର୍ବରୁ ଜନୈକ ଦଳିତ ଚାଷୀଙ୍କ ପକ୍ଷରୁ ଗତକାଲି ବାଘମାରୀ ଥାନାରେ ବାପା, ଭାଇଙ୍କ ସମେତ ଓଟିଭି ଏମଡି ଜାଗୀ ପଣ୍ଡାଙ୍କ ବିରୋଧରେ ହୋଇଥିବା ଏତଲା ମାମଲାକୁ ଜଟିଳ ମୋଡ଼ ଦେଇଛି । ଓଟିଭି ଦୌରାତ୍ମ୍ୟରୁ ରକ୍ଷା ପାଇବା ପାଇଁ ଅନ୍ୟ ଚାଷୀମାନେ ଥାନାରେ ଏତଲା ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।
ନିଜ ଏବଂ ବାପା, ଭାଇଙ୍କ ବିରୋଧରେ ଏଭଳି ଏତଲା ଏବଂ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଓଟିଭି ଏମଡି ଜାଗୀ ପଣ୍ଡା ବିଚଳିତ ହୋଇପଡ଼ିଛନ୍ତି । ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ନିଜ ସଂସ୍ଥାର ୪ ଜଣ କର୍ମଚାରୀ ଅଭିଯୁକ୍ତ ହେବା ଏବଂ ଘଟଣାକୁ ଜାଣି ଚାପିଦେବାକୁ ଉଦ୍ୟମ କରିଥିବାର ଅଭିଯୋଗ ତାଙ୍କ ନିଜ ଉପରକୁ ଆସିଛି । ମହିଳା କମିଶନଙ୍କଠାରୁ ଗୋଟିଏ ପରେ ଗୋଟିଏ ସମନ୍ ପାଉଥିଲେ ବି ନିଜେ ହାଜର ହେଉନାହାନ୍ତି । ଏତିକିବେଳେ ସାରୁଅ ଜମି କେଳେଙ୍କାରୀ ମୁଣ୍ଡ ଟେକିବା ଏବଂ ସେହି ମାମଲାରେ କେସ୍ ଖାଇବା ଘଟଣାରେ ଜାଗୀ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି ।
ଗୋଟିଏ ପରେ ଗୋଟିଏ ସଙ୍ଗୀନ ଆରୋପରୁ ଖସିବା ପାଇଁ ଜାଗୀ ଏବେ ମିଡ଼ିଆକୁ ବଳ କରିଛନ୍ତି । ଏହା ଜରିଆରେ ଲୋକଙ୍କ ସହାନୁଭୂତି ଯୋଗାଡ଼ କରିବାକୁ ଉଦ୍ୟମ କରିଛନ୍ତି । ଏକ ପ୍ରେସ୍ ଇସ୍ତାହାରରେ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି । କୋଭିଡ ଦୁର୍ନୀତି ଓଟିଭିରେ ଖବର ପ୍ରସାରଣ ହେଉଥିବାରୁ ତାଙ୍କୁ କୁଆଡ଼େ ଟାର୍ଗେଟ୍ କରାଯାଇଥିବା ସଫେଇ ରଖିଛନ୍ତି ।
ଜାଗୀଙ୍କ ଏହି ପ୍ରତିକ୍ରିୟାକୁ ନେଇ ବିଭିନ୍ନ ମହଲରେ ରୋଚକ ଆଲୋଚନା ହେଉଛି ।