କଟକ: ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଅଭାବନୀୟ ଘଟଣା । କଟକ ଜଗତପୁରଠାରେ ଥିବା ସଦଗୁରୁ କୋଭିଡ୍ ହସ୍ପିଟାଲ୍ ଆଇସିୟୁରେ ଆଜି ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି । ତେବେ ସ୍ଥାନୀୟ ପ୍ରଶାସନ ଏବଂ ଅଗ୍ନିଶମ ଯବାନମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ନିଆଁ ଭିତରେ ଫସିଥିବା ୧୨୭ ଜଣ ଯାକ ରୋଗୀ ସୁରକ୍ଷିତ ଭାବେ ଉଦ୍ଧାର ପାଇଛନ୍ତି । ସେମାନଙ୍କୁ ଅନ୍ୟ କୋଭିଡ୍ ହସ୍ପିଟାଲ୍ ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି । ଉକ୍ତ ହସ୍ପିଟାଲ୍ ର ଅଗ୍ନି ସୁରକ୍ଷା ସାର୍ଟିଫିକେଟ୍ ନ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତଦନ୍ତ ନିର୍ଦ୍ଦେଶ ଦେଇ ଦାୟିତ୍ୱ ଝାଡ଼ିଦେଇଛନ୍ତି ।
ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ସଦଗୁରୁ କୋଭିଡ୍ ହସ୍ପିଟାଲ୍ ତୃତୀୟ ମହଲାରେ ଥିବା ଆଇସିୟୁ ବିଭାଗରେ ନିଆଁ ଲାଗିଥିଲା । ଏକ ଏସିରୁ ସଟ୍ ସର୍କିଟ୍ ହୋଇ ନିଆଁ ଲାଗିଥିବା କୁହାଯାଉଛି । କ୍ରମେ ଏହା ଅନ୍ୟଆଡକୁ ବ୍ୟାପିବା ଆରମ୍ଭ କରିଥିଲା । ସେତେବେଳକୁ ଆଇସିୟୁରେ ୨୪ ଜଣ ଗୁରୁତର ରୋଗୀ ଚିକିତ୍ସିତ ହେଉଥିଲା ବେଳେ ତଳ ସାଧାରଣ ୱାର୍ଡରେ ଥିଲେ ୧୦୩ ରୋଗୀ । ଅଗ୍ନିକାଣ୍ଡର ଖବର ପାଇ କଟକରୁ ପ୍ରାୟ ୧୫ଟି ଦମକଳ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପ୍ରଥମେ ଆଇସିୟୁରେ ଫସି ରହିଥିବା ଗୁରୁତର ରୋଗୀଙ୍କୁ ଉଦ୍ଧାର କରିଥିଲେ । କଟକ ଜିଲ୍ଲା ପ୍ରଶାସନ ଏବଂ ମହାନଗର ନିଗମ ପ୍ରଶାସନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ଫଳରେ ଘଣ୍ଟେ ଭିତରେ ସମସ୍ତଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇପାରିଥିଲା ।
ପର୍ଯ୍ୟାୟକ୍ରମେ ଏହି ରୋଗୀମାନଙ୍କୁ କଟକ ଓ ଭୁବନେଶ୍ୱରର ଅନ୍ୟ କୋଭିଡ୍ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇଥିଲା । ଆଇସିୟୁ ଭିତରୁ ଗୁରୁତର ରୋଗୀମାନଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଓ ଧୂଆଁରେ ସେମାନେ ବହୁ ସମୟ ଧରି ଅଣନିଶ୍ୱାସୀ ହୋଇପଡ଼ିଥିଲେ । ଜଣ ଜଣ କରି ସମସ୍ତଙ୍କୁ ଷ୍ଟ୍ରେଚରରେ ତଳକୁ ଅଣାଯାଇଥିଲା । ଅନ୍ୟରୋଗୀମାନେ ବାହାରେ ଆମ୍ବୁଲାନସ୍ ଅପେକ୍ଷାରେ ପଡ଼ି ରହିଥିଲେ । ଜୀବନ ବିକଳରେ ରୋଗୀ ଓ ସେମାନଙ୍କ ଆତ୍ମୀୟଙ୍କ ଧାଁଧପଡ଼ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା । ଆମ୍ବୁଲାନସ୍ ଯୋଗେ ସମସ୍ତଙ୍କୁ ଅନ୍ୟ ହସ୍ପିଟାଲ୍ ନିଆଯାଇଥିଲା ।
ଅଗ୍ନିକାଣ୍ଡ ପରେ ଏବେ କାରଣକୁ ନେଇ ଛାନଭିନ୍ ଆରମ୍ଭ ହୋଇଛି । ବିନା ଫାୟାର୍ ସେଫ୍ଟି ସାର୍ଟିଫିକେଟ୍ ରେ ୩/୪ ବର୍ଷ ଧରି ଏହି ହସ୍ପିଟାଲ୍ ଚାଲିଥିଲା ବୋଲି ଜଣାପଡ଼ିଲାଣି । ତେବେ ଏଥିପାଇଁ କିଏ ଦାୟୀ? ଆଜିର ଅଗ୍ନିକାଣ୍ଡ ଘଟଣା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଆଗ ନିଜ ଉପରକୁ ଉତ୍ତରଦାୟିତ୍ୱ ନେବେ କି? ସ୍ୱାସ୍ଥ୍ୟ ବିଭାଗ ଓ ଅଗ୍ନିଶମ ବିଭାଗ କରୁଥିଲେ କ’ଣ? ବିନା ଅଗ୍ନି ସୁରକ୍ଷା ସାର୍ଟିଫିକେଟ୍ ରେ ହସ୍ପିଟାଲ୍ ଚାଲିବାକୁ ଅନୁମତି ଦିଆଗଲା କେମିତି?
୨୦୧୬ ରେ ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ପରେ ଏମିତି ଛାନଭିନ୍ ହୋଇଥିଲା । ହସ୍ପିଟାଲ୍ ଗୁଡ଼ିକର ଅଗ୍ନି ସୁରକ୍ଷା ବ୍ୟବସ୍ଥାର ତନ୍ନ ତନ୍ନ ଯାଞ୍ଚ କରାଯାଇଥିଲା । ବ୍ୟବସ୍ଥାରେ ତ୍ରୁଟି ନ ରଖିବାକୁ ପାଇଁ ବହୁତ କସରତ୍ ହୋଇଥିଲା । ମାତ୍ର ଆଜିର ଦୁର୍ଘଟଣା ପରେ ବ୍ୟବସ୍ଥା ଯେ ସୁଧୁରିନି ତାହା ସ୍ପଷ୍ଟ ।