ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ଶିଶୁମାନଙ୍କ ପାଇଁ ବେଶୀ ବିପଦ ସୃଷ୍ଟି କରିପାରେ । ବିଶେଷଜ୍ଞମାନଙ୍କ ଏହି ଆକଳନ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏବେଠାରୁ ସଜାଗ ହୋଇଛନ୍ତି । ଡାକ୍ତର କେ.ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠିତ ଭ୍ୟାକସିନ୍ ଆଡଭାଇଜୋରି କମିଟିର ଆଜି ପ୍ରଥମ ବୈଠକରେ ଏହା ଉପରେ ଆଲୋଚନା ହୋଇଛି ।
ଆଗାମୀ ଲହର ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ । ସେଥିପାଇଁ ଆମଙ୍କୁ ଭଲ ଭାବେ ପ୍ରସ୍ତୁତ ହେବାକୁ ପଡ଼ିବ । ହସ୍ପିଟାଲ୍ ରେ ପିଲାମାନଙ୍କ ଯତ୍ନ ନେବା ଏକ ବଡ଼ ଚାଲେଂଜ କାର୍ଯ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଭର୍ଚୁଆଲ୍ ପ୍ଲାଟଫର୍ମରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ପରାମର୍ଶ ଲୋଡିଥିଲେ । ସମ୍ଭାବ୍ୟ ଭବିଷ୍ୟତ ଲହରକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ କିଭଳି ସୁଦୃଢ଼ୀକରଣ କରାଯାଇପାରିବ ପରାମର୍ଶ ମାଗିଥିଲେ । କରୋନାକୁ ପରାସ୍ତ କରିବା ପାଇଁ ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଫାଇନ୍ ଟ୍ୟୁନ୍ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଜଣାଇ ଦେଇଥିଲେ ।
ସାରା ବିଶ୍ୱରେ କରୋନା ମହାମାରୀ ଯୋଗୁଁ ଅନେକ ପରିବାର, ସମ୍ପ୍ରଦାୟ ଏବଂ ସର୍ବୋପରି ଅର୍ଥନୀତି ଧୂଳିସାତ ହୋଇଯାଇଛି । ବର୍ଷେ ପରେ ବି ସ୍ଥିତିରେ ସୁଧାର ଆସିପାରିନାହିଁ । ଜୀବନ ବଞ୍ଚାଇବା ପାଇଁ ଲକଡାଉନ୍ ର ଆବଶ୍ୟକତା ଥିଲେ ମଧ୍ୟ ଲୋକଙ୍କ ଜୀବିକା ମାଡ଼ ଖାଇଛି । ଅନେକ ପରିବାର ଓ ବ୍ୟବସାୟୀଙ୍କ ଉପରେ ଆର୍ଥିକ ଚାପ ଅସହ୍ୟ ହୋଇଛି । ଏହି ପରିସ୍ଥିତିର କିଭଳି ସାମନା କରାଯିବ ବିଶେଷଜ୍ଞମାନେ ପରାମର୍ଶ ଦେବା ଆବଶ୍ୟକ ।
ଓଡ଼ିଶାରେ କୋଭିଡ୍ ସ୍ଥିତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, କିଛି ଜିଲ୍ଲାକୁ ଛାଡ଼ିଦେଲେ ସାରା ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ୍ ପାଉଛି । ଦ୍ୱିତୀୟ ଲହର ହ୍ରାସ୍ ପାଇବାକୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଆମେ ଟିକାକରଣକୁ ଗୁରୁତ୍ୱ ଦେଉଛୁ । ସମସ୍ତ ସମ୍ବଳକୁ ଟିକାକରଣରେ ଉପଯୋଗ କରିବାକୁ ଆମେ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କମିଟି ଅଧ୍ୟକ୍ଷ ଡାକ୍ତର .କେ.ଶ୍ରୀନାଥ ରେଡ୍ଡୀ ବିଶେଷଜ୍ଞ ଡାକ୍ତରମାନଙ୍କ ମତାମତ ଅନୁଯାୟୀ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଗୁଆ ଯୋଜନା କରିବାକୁ ପରାମର୍ଶ ଦେଇଥିଲେ ।
ଡାକ୍ତର ରମାକାନ୍ତ ପଣ୍ଡା କହିଥିଲେ, ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଯଥେଷ୍ଟ ଅଭିଜ୍ଞତା ଅଛି । ଫ୍ଲୁ ଭଳି କରୋନା ଭାଇରସ୍ ଦୀର୍ଘ ଦିନ ରହିପାରେ । ଏହାର ମୁକାବିଲା ପାଇଁ ଟିକାକରଣ ଏକମାତ୍ର ବିକଳ୍ପ । ଏଥିସହ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରାଯିବା ସପକ୍ଷରେ ସେ ମତ ରଖିଥିଲେ ।
ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ମାଗଣାରେ ଟିକା ଯୋଗାଇଦେବା ନିଷ୍ପତ୍ତିକୁ ଡାକ୍ତର ଦେବୀ ସେଟ୍ଟୀ ପ୍ରଶଂସା କରିଥିଲେ । ଲକଡାଉନ୍ ଠାରୁ ଟିକାକରଣ ବହୁତ ଗୁଣରେ ଭଲ । ବୟସ ଗ୍ରୁପ୍ କୁ ପ୍ରାଧାନ୍ୟ ନ ଦେଇ ଲୋକଙ୍କ ପେଶାକୁ ଟିକାକରଣରେ ପ୍ରାଧାନ୍ୟ ଦେବାକୁ ସେ ପରାମର୍ଶ ଦେଇଥିଲେ ।
ପ୍ରଫେସର ଭେଙ୍କଟ ରାଓ, ଡାକ୍ତର ଲଳିତ କାନ୍ତ, ଡାକ୍ତର ମୃଦୁଳା ଫାଡକେ, ଡାକ୍ତର ସୁବ୍ରତ ଆଚାର୍ଯ୍ୟ, ଡାକ୍ତର ଅଜୟ ପରିଡ଼ା ପ୍ରମୁଖ ସେମାନଙ୍କର ଉପସ୍ଥାପନ ରଖିବା ସହ ଟିକାକରଣ ଉପରେ ଗୁରୁତ୍ୱ ଦେଇଥିଲେ ।
ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କରୋନା ବିରୋଧରେ ଓଡ଼ିଶାର ଲଢ଼େଇ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଦତ୍ତେଶ୍ୱର ହୋତା, ଡାକ୍ତର ସଂଘମିତ୍ରା ପତି, ଡାକ୍ତର ଏମ.ଆର.ପଟ୍ଟନାୟକ,ଡାକ୍ତର ସିବିକେ ମହାନ୍ତି(ଆବାହକ) ଯୋଗଦେଇ ସେମାନଙ୍କ ପରାମର୍ଶ ରଖିଥିଲେ ।