ଭୁବନେଶ୍ୱର: ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି । ହୀରାକୁଦ ତଳ ଓ ଉପରମୁଣ୍ଡରେ ଲଗାତର ବର୍ଷା ହେବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ଏହି ସୂଚନା ଦେଇଛନ୍ତି । ତେବେ ସମ୍ଭାବ୍ୟ ବନ୍ୟା ଯୋଗୁଁ ତଳିଆ ଅଞ୍ଚଳରେ ବେଶୀ ଖରାପ ସ୍ଥିତି ହେବାର ଆଶଙ୍କା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
କାଲିଠାରୁ ହୀରାକୁଦ ତଳ ମୁଣ୍ଡରେ ବର୍ଷା କମିଥିଲେ ମଧ୍ୟ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ୬୨୮.୨୩ ଫୁଟ ରହିଛି । ଆଜି ଅପରାହ୍ନ ବେଳକୁ ହୀରାକୁଦକୁ ୨.୫୮ ଲକ୍ଷ କ୍ୟୁସେକ୍ ଜଳ ପଶୁଛି ଏବଂ ୨.୨୫ ଲକ୍ଷ କ୍ୟୁସେକ୍ ଜଳ ବାହାରୁଛି । ଜଳଭଣ୍ଡାର ଜଳସ୍ତର ୬୨୮ ଫୁଟ ମଧ୍ୟରେ ରଖିବାକୁ ସ୍ଥିର କରାଯାଇଥିବାରୁ ତିନୋଟି ପର୍ଯ୍ୟାୟରେ ୧୮ ଟି ଗେଟ୍ ଖୋଲାଯାଇଛି । ଆବଶ୍ୟକ ହେଲେ ଆଉ ଅଧିକ ଗେଟ୍ ଖୋଲା ଯାଇପାରେ ।
ଏବେ ମୁଣ୍ଡଳିରେ ୬.୪ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଅଧିକ ଗେଟ୍ ଖୋଲିଲେ ବି ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍ ବା ସାମାନ୍ୟ ଅଧିକ ଜଳ ଜଳ ପ୍ରବାହିତ ହେବ । ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା କହିଛନ୍ତି ।
ବର୍ଷାରେ ୨୧ ଲକ୍ଷ ଲୋକ ପ୍ରଭାବିତ: ବର୍ଷା କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇ ଏସଆରସି କହିଛନ୍ତି, ଲଗାଣ ବର୍ଷା ଯୋଗୁଁ ୨୧ ଜିଲ୍ଲାର ୧୨୬ ବ୍ଲକ୍ ପ୍ରଭାବିତ ହୋଇଛି । ମୋଟ ୪୩୩୪ ଗାଁ ଓ ୨୯ ଟି ପୌରାଞ୍ଚଳ ପ୍ରଭାବିତ ହାଇଛି । ସମୁଦାୟ ୨୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲା ବେଳେ ୩୮୩୯ ଟି ଘର କ୍ଷତିଗ୍ରସ୍ତ ହୋଇଛି । ୧ ଲକ୍ଷ ୩୦ ହଜାର ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି ।