ଭୁବନେଶ୍ୱର : ପରିବାରର କେହି କରୋନା ସଂକ୍ରମିତ ହୋଇଗଲେ ଆମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟତିବ୍ୟସ୍ତ ହୋଇଉଠୁଛୁ । ଏହି ଅଦୃଶ୍ୟ ଶତ୍ରୁ ଦ୍ୱାରା କବଳିତ ହେବା ପରେ ସେହି ଆତ୍ମୀୟ ଜଣଙ୍କ ପାଖରେ ଯଦି କେହି ନିଜ ଲୋକ ରହିପାରିବା ସମ୍ଭବପର ନ ହୁଏ ତେବେ ଉଭୟ ସଂକ୍ରମିତ ଏବଂ ପରିବାର ସଦସ୍ୟଙ୍କ ମନୋବଳ ଭାଙ୍ଗିପଡ଼ିଥାଏ । ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ପରିବାର ବର୍ଗ ବିବ୍ରତ ହୋଇପଡ଼ନ୍ତି । ତେବେ ସଂକ୍ରମିତ ବ୍ୟକ୍ତିଙ୍କର ପରିବାର ଲୋକେ ରାଜ୍ୟ ବାହାରେ ଥାଆନ୍ତୁ ଅଥବା ଦେଶ ବାହାରେ ସେମାନଙ୍କର ଚିକିତ୍ସା ଏବଂ ଯତ୍ନ ଖୁବ ସୁଚାରୁରୂପେ ତୁଲାଉଛନ୍ତି ସମ୍ କୋଭିଡ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ ମେଡିକେୟାର । ଖାଲି ସେତିକି ନୁହେଁ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ନିରନ୍ତର ସଂପୃକ୍ତ ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିବା ସହ ଭିଡିଓ କଲ୍ ଦ୍ୱାରା ପରିବାର ସହ ଯୋଡାଯାଉଥିବା କହିଛନ୍ତି ହସ୍ପିଟାଲ୍ କର୍ତ୍ତୃପକ୍ଷ ।
ଗତ ଏପ୍ରିଲ୍ ମାସ ୨୬ ତାରିଖରେ କରୋନା ସଂକ୍ରମିତ ହୋଇ ମେ ୫ ତାରିଖରେ ସମ୍ କୋଭିଡ ହସ୍ପିଟାଲ୍ ରେ ଭର୍ତି ହୋଇଥିଲେ ଶ୍ରୀ ପ୍ରଦୀପ କୁମାର ମାଧୁପ୍ । ରେଳ ବିଭାଗ ଅଧିନସ୍ଥ ରାଇଟ୍ସ ର ଏହି ବରିଷ୍ଠ ଅଧିକାରୀ ଶ୍ରୀ ମାଧୁପ୍ ଝାରସୁଗୁଡାରେ କାର୍ଯ୍ୟରତ ଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡି ବାରୁ ତାଙ୍କୁ ପ୍ରଥମେ ଏମ୍ସିଏଲ୍ ହସ୍ପିଟାଲ୍ ଏବଂ ପରେ ସମ୍ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ହସ୍ପିଟାଲ୍ ରେ ଭର୍ତି ହେବା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ସମ୍ପର୍କରେ ଅଧିକ ଜାଣିବା ପାଇଁ ତାଙ୍କ ପାଖରେ ତାଙ୍କର ପରିବାର ନଥିଲେ । କାରଣ ତାଙ୍କ ପତ୍ନୀ ଏବଂ ପିଲାମାନେ ମଧ୍ୟ କରୋନା ସଂକ୍ରମିତ ହୋଇ ଓଡ଼ିଶା ବାହାରେ ଚିକିତ୍ସିତ ହେଉଥିଲେ । ସିଂଗାପୁରରେ ଥିବା ତାଙ୍କ ସମ୍ପର୍କୀୟ ସମ୍ କୋଭିଡ ହସ୍ପିଟାଲ୍ ସହ ଯୋଗାଯୋଗ କରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସର୍ମ୍ପକରେ ହେଲ୍ପ୍ ଡେସ୍କ ଟିମ୍ ସମସ୍ତ ତଥ୍ୟ ନିୟମିତ ଭାବେ ପ୍ରଦାନ କରୁଥିଲେ ଏବଂ ଡାକ୍ତର ଓ ନର୍ସମାନେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ସୁଧାରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ।
ଦୀର୍ଘ ୧୨ ଦିନ ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ତାଙ୍କୁ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମଧ୍ୟ ପଲ୍ମୁନାରୀ ବିଭାଗର ସିନିୟର କନସଲଟାଣ୍ଟ ଓ କ୍ରିଟିକାଲ୍ କେୟାର ୟୁନିଟ୍ ର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ତତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଇଥିଲା । ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୋମବାର ସମ୍ ଅଲ୍ଟିମେଟ୍ରୁ ଡିସ୍ଚାର୍ଜ ହୋଇ ନିଜ ଘର ବିହାରର ପାଟନାକୁ ଫେରିଯାଇଛନ୍ତି ।
ସେହିପରି ଗତ ଏପ୍ରିଲ୍ ୨୭ ତାରିଖରେ ପ୍ରିୟମ୍ବଦା ଦାସ (୫୯) ନାମକ ଜଣେ ମହିଳା କୋଭିଡ ସଂକ୍ରମିତ ହେବା ପରେ ପ୍ରଥମେ ସମ୍ କୋଭିଡ୍ ହସ୍ପିଟାଲ୍ ଏବଂ ପରବର୍ତୀ ସମୟରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି ହୋଇଥିଲେ । ସେ ମଧ୍ୟ ଗତ ମେ ୫ ତାରିଖରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପ୍ରିୟମ୍ବଦା ସଂକ୍ରମିତ ହେବା ପରେ ମେଲ୍ବୋର୍ଣ୍ଣରେ ଥିବା ତାଙ୍କ ପୁଅ ସମ୍ଭବ ଦାସ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟସ୍ତ ହୋଇପଡ଼ିଥିଲେ । ସୁଦୂର ଅଷ୍ଟ୍ରେଲିଆରେ ଥିବା ପୁଅ ମା ପାଖକୁ ଆସି ପାରୁନଥିବାରୁ ଦୁଃଖରେ ଥିବା ବେଳେ ମା ସୁସ୍ଥ ହୋଇ ଘରକୁ ଫେରିବା ପରେ ଦୁଇଟି ହସ୍ପିଟାଲ୍ର ସମସ୍ତ ସ୍ୱାସ୍ଥ୍ୟସେବା କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।