ଭୁବନେଶ୍ୱର: ରାଜଧାନୀରେ ବର୍ଦ୍ଧିତ ହୋଲଡିଂ ଟାକ୍ସକୁ ନେଇ ଲୋକଙ୍କ ଅସନ୍ତୋଷ ଓ ବିରୋଧୀ ଦଳର ଚାପ ଆଗରେ ନଇଁଛନ୍ତି ରାଜ୍ୟ ସରକାର । ହାଇକୋର୍ଟଙ୍କ ନିଷ୍ପତ୍ତି ପର୍ଯ୍ୟନ୍ତ ବର୍ଦ୍ଧିତ ହାରରେ ହୋଲଡିଂ ଟାକ୍ସ ଆଦାୟକୁ ସ୍ଥଗିତ ରଖାଯାଇଛି । ଲୋକଙ୍କ ମନୋଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ବର୍ଦ୍ଧିତ ହାରରେ ହୋଲଡିଂ ଟାକ୍ସ ଆଦାୟ ପାଇଁ ବିଏମସିର ନିଷ୍ପତ୍ତି ଏକ ଫର୍ମୂଲା ବା ବେଂଚ ମାର୍କ ମୂଲ୍ୟାୟନକୁ ଆଧାର କରି କରାଯାଇଥିଲା । ଏହା ବାବଦରେ ମାନ୍ୟବର ହାଇକୋର୍ଟରେ ଏକ କେସ୍ ଦାୟର କରାଯାଇଥିଲା । ବିଭିନ୍ନ ଗୋଷ୍ଠୀ ଓ ଜନସାଧାରଣ ଏହି ବର୍ଦ୍ଧିତ ହାର ସମ୍ବନ୍ଧରେ ସରକାରଙ୍କୁ ଅବଗତ କରିଥିଲେ ।
ସାମଗ୍ରିକ ଭାବେ ଜନସାଧାରଣଙ୍କ ମନୋଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଶେଷ ଆଦେଶ ବା ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଏହି ବର୍ଦ୍ଧିତ ନିଷ୍ପତ୍ତି ସ୍ଥଗିତ ରହିଲା ବୋଲି ନଗର ଉନ୍ନୟନ ମନ୍ତ୍ରୀ ଜଣାଇଛନ୍ତି ।
ସୂଚନାଥାଉକି, ବିଏମସିର ବର୍ଦ୍ଧିତ ହୋଲଡିଂ ଟାକ୍ସକୁ ନେଇ କରଦାତାଙ୍କ ମଧ୍ୟରେ ଭୀଷଣ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଆଗକୁ ମହାନଗର ନିଗମ ନିର୍ବାଚନ ଥିବାରୁ ବିଜେପି ଓ କଂଗ୍ରେସ ଏଥିରୁ ରାଜନୈତିକ ଫାଇଦା ଉଠାଇବାକୁ ସୁଯୋଗ ପାଇଥିଲେ । ଆଜି କଂଗ୍ରେସ ପକ୍ଷରୁ ବିଏମସି ଅଫିସ ଘେରାଉ ଡାକରା ଦିଆଯାଇଥିଲା ବେଳେ ଭୁବନେଶ୍ୱର ବନ୍ଦ ପାଇଁ ବିଜେପି ଯୋଜନା କରୁଥିଲା ।