ଭୁବନେଶ୍ୱର: ଇତିମଧ୍ୟରେ ୩୬ ଘଣ୍ଟା ବିତିଗଲାଣି । ମାତ୍ର ହାଇଦରର ପତ୍ତା ପାଉନି ପୁଲିସ । ସେ ଓଡ଼ିଶାରେ ଅଛି ନା ବାହାରକୁ ପଳେଇଛି ତାହାର ସାମାନ୍ୟତମ ଟେର୍ ମିଳୁନି । ତିନି ଜିଲ୍ଲାର ଏସପିଙ୍କ ସମେତ କମିଶନରେଟ୍ ପୁଲିସର ଦକ୍ଷ ଅଫିସରଙ୍କୁ ନେଇ ଗଠିତ ୫ ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ ମଧ୍ୟ ଫଳ ଶୂନ ।
ଏପଟେ ହାଇଦରର ଜଣେ ସହଯୋଗୀ ୟାକୁବ୍ ଖାନ୍ ଓରଫ୍ ସଲ୍ଲୁ ଆଜି ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି । ଏସସିବିରେ ହାଇଦର ଥିବା ବେଳେ ସଲ୍ଲୁ ସେଠାକୁ ନିୟମିତ ବିରିୟାନି ନେଇ ଯାଉଥିଲା । ହାଇଦରର ସେ ପୁରୁଣା ସହଯୋଗୀ ଏବଂ ତା ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଅଛି । ତା’ଠାରୁ ହାଇଦର ଗତିବିଧି ସମ୍ପର୍କରେ ପୁଲିସକୁ କିଛି ତଥ୍ୟ ମିଳିପାରେ ବୋଲି ବିଶ୍ୱାସ କରାଯାଉଛି ।
ସଲ୍ଲୁ ଗତକାଲି ନାଟକୀୟ ଢ଼ଙ୍ଗରେ କିଛି ମିଡ଼ିଆ ସାମନାକୁ ଆସି ନିଜକୁ ନିରୀହ ବୋଲି ଦର୍ଶାଇବାକୁ ଚାହିଁଥିଲା । ଠିକାଦାରି କାମ ପାଇଁ ସେ ହାଇଦର ପାଖକୁ ଯାଉଥିଲା । ମାତ୍ର ହାଇଦର ଏଭଳି କାଣ୍ଡ କରିବ ବୋଲି ସେ ଜାଣି ନଥିଲା । ଟିଭିରୁ ଜାଣିଲା ପରେ ସେ ପୁଲିସ ଡରରେ ଲୁଚି ଯାଇଥିଲା । ପୁଲିସକୁ ତଦନ୍ତରେ ସହଯୋଗ କରିବ ବୋଲି କହିଥିଲା ।
ଷଡ଼ଯନ୍ତ୍ରର ଚେର ସମ୍ବଲପୁରରୁ କଟକ!
ସମ୍ବଲପୁର ସର୍କଲ୍ ଜେଲ୍ ରୁ ପ୍ରଥମ ଥର ପାଇଁ ହାଇଦର କଟକ ବଡ଼ ମେଡ଼ିକାଲ୍ ଆସି ନ ଥିଲା । ପୂର୍ବରୁ ଆଉ ଦୁଇଥର ଏସସିବି ଆସିଥିଲା ଚିକିତ୍ସା ପାଇଁ । ସମ୍ବଲପୁର ଜେଲ୍ ଡିଆଇଜି ରାଜକିଶୋର ସାହୁ ଆଜି ଗଣମାଧ୍ୟମରେ ଏହି ଖୁଲାସା କରିଛନ୍ତି । ତେବେ ହାଇଦରର ବେମାର କ’ଣ ଏବଂ କେଉଁ ଡାକ୍ତର ତାକୁ କଟକ ରେଫର୍ କରିଥିଲେ ସେ ସମ୍ପର୍କରେ କିଛି କହିନାହାନ୍ତି ।
ବୁର୍ଲା ଭିମସାରେ ତା’ ରୋଗର କ’ଣ ଚିକିତ୍ସା କରି ହୋଇ ନ ଥାଆନ୍ତା କି ବୋଲି ପ୍ରଶ୍ନକୁ ଡିଆଇଜି ସାହେବ ଏଡାଇ ଦେଇଛନ୍ତି । ସାମ୍ବାଦିକମାନେ ଏ ସମ୍ପର୍କରେ ପ୍ରଶ୍ନ କଲାରୁ ଓଲଟି ସେ ବିରକ୍ତ ହୋଇଯାଇଛନ୍ତି । ତାଙ୍କର ଯୁକ୍ତି ଥିଲା, ହାଇଦର ହାର୍ଡ କୋର୍ କ୍ରମିନାଲ୍ ବୋଲି ଆମେ ଜାଣିଛୁ । ତା’ ବୋଲି ଏଠି ଜେଲ୍ ଭିତରେ ମରିବ ନା କ’ଣ? ଡିଆଇଜିଙ୍କ ଏହି ବୟାନରୁ ହାଇଦର ପ୍ରତି ତାଙ୍କର ଦରଦପଣିଆ ଜଳ ଜଳ ଦିଶୁଛି ।
ଏପଟେ କଟକ ବଡ଼ ଡାକ୍ତରଖାନାର ସର୍ଜରୀ ୱାର୍ଡରେ ଗତ ୨୩ ତାରିଖରୁ ହାଇଦର ଆଡମିସନ୍ ହୋଇ ୫ ନଂ କ୍ୟାବିନ୍ ରେ ରହୁଥିଲେ ମଧ୍ୟ ତା’ ରୋଗ କ’ଣ କେହି କହିପାରୁନାହାନ୍ତି । ଗୁରୁତର ସେଭଳି କିଛି ହୋଇଥିଲେ ଅପରେସନ୍ ସରନ୍ତାଣି । ମାତ୍ର ଯାହା ଖବର ମିଳୁଛି, କଟକ ବଡ଼ ଡାକ୍ତରଖାନା ଆସିଲା ଦିନଠାରୁ ହାଇଦର ଦେହରେ ଛୁଞ୍ଚି ବି ବାଜିନି । ଅବଜରଭେସନ୍ ନାଁରେ ତାକୁ ଖାଲି ଗ୍ୟାସ୍ ଟାବଲେଟ୍ ଦିଆଯାଉଥିଲା । ତେବେ ବିନା ଅପରେସନ୍ ରେ ଏତେଦିନ ଧରି ସେଠି ରହିବାକୁ କେଉଁ ଡାକ୍ତର ଲେଖିଥିଲେ ତାହା ସ୍ପଷ୍ଟ ହୋଇଯିବା ଦରକାର ।
ବାକି ରହିଲା କ୍ୟାବିନ୍ ଆଉ ସୁରକ୍ଷା କଥା । ଜଣେ ଗୁରୁତର ସାଧାରଣ ରୋଗୀକୁ କଟକ ବଡ଼ ଡାକ୍ତରଖାନାରେ କ୍ୟାବିନ୍ ପାଇବାକୁ କେତେ କଷ୍ଟ ହୁଏ ତାହା ସମସ୍ତଙ୍କୁ ଜଣା । ମାତ୍ର ସେଭଳି କୋ÷ଣସି ଗୁରୁତର ରୋଗର ଲକ୍ଷଣ ଜଣାପଡୁ ନ ଥିବା ହାର୍ଡକୋର୍ ହାଇଦର ପାଇଁ କ୍ୟାବିନ୍ ବ୍ୟବସ୍ଥା କ’ଣ ପାଇଁ ହେଲା ତାହା ବଡ଼ ପ୍ରଶ୍ନ ।
ଖାଲି କ୍ୟାବିନ୍ ନୁହେଁ ସେହି କ୍ୟାବିନ୍ ରେ ଏସି ଠିକ୍ ଚାଲୁ ନ ଥିବାରୁ ଷ୍ଟାଣ୍ଡ ଫ୍ୟାନ୍, କୁଲର ଆଣି ଲଗାଇଥିଲେ ହାଇଦର ସମ୍ପର୍କୀୟ ଓ ସହଯୋଗୀ । ହାଇଦର ପାଖେ ପାଖେ ଅହରହ ୪ ରୁ ୫ ଜଣ ସହଯୋଗୀ ରହୁଥିଲେ । ସବୁଦିନ ସେଠାକୁ ବିୟର୍, ବିରିୟାନି ଆସୁଥିଲା । କ୍ୟାବିନ୍ ଭିତରେ ଓ ବାହାରେ ଆଡ୍ଡା ଜମୁଥିଲା । ଖୋଲାରେ ବୁଲୁଥିବା ହାଇଦରର ଗମାତକୁ ତାକୁ ଜଗୁଥିବା ସୁରକ୍ଷା କର୍ମୀ ବି ଉପଭୋଗ କରୁଥିଲେ । ଭାଇ ଭାଇ ଭଳି ମିଶିକି ଚଳୁଥିଲେ । ବିରିୟାନିର ମଜ୍ଜା ନେଉଥିଲେ ସୁରକ୍ଷାକର୍ମୀ ।
ହାଇଦର ଫେରାର ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣ ସୁରକ୍ଷାକର୍ମୀଙ୍କୁ ସସପେଣ୍ଡ କରାଯାଇଛି । ମାତ୍ର ଦାୟିତ୍ୱରେ ଥିବା ବଡ଼ବଡ଼ିଆଙ୍କ ଉପରେ କୌଣସି କାର୍ଯାନୁଷ୍ଠାନ ହୋଇନାହିଁ ।