ନୂଆଦିଲ୍ଲୀ: ନିଜ ମାଆ ଓ ଭାଇଙ୍କ ସହ ବିଲକୁ ଘାସ କାଟି ଯାଇଥିବା ୧୯ ବର୍ଷର ଝିଅକୁ ଘୋଷାଡ଼ି ଘୋଷାଡ଼ି ନେଇଗଲେ ଗାଁର ୪ ଯୁବକ । ଜଣଙ୍କ ପରେ ଜଣେ ଦୁଷ୍କର୍ମ କଲେ ଆଉ ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କଲେ । ତଣ୍ଟି ଏମିତି ଚିପିଲେ ଯେ ଝିଅଟିର ଜିଭ ବାହାରି ଆସିଲା । ରାକ୍ଷସଙ୍କ ଗୋଇଠାମାଡରେ ମେରୁଦଣ୍ଡ ଓ ପଂଜରା ହାଡ଼ ଭାଙ୍ଗିଗଲା । ଡାକ୍ତରଖାନାରେ ଦୀର୍ଘ ୧୫ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କଲା ପରେ ଆଖି ବୁଜିଦେଲା ଏହି ନିରୀହ ଝିଅ ।
ଗତ ୧୪ ତାରିଖରେ ଉତ୍ତରପ୍ରଦେଶ ହଠରାସ ଗାଁରେ ଘଟିଥିବା ଏହି ଜଘନ୍ୟ କାଣ୍ଡ ସାରା ଦେଶକୁ ହୁଲସ୍ତୁଲ୍ କରୁଛି । ବହୁ ବିଳମ୍ବରେ ଘଟଣା ଲୋକଲୋଚନକୁ ଆସିବା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩ ଜଣିଆ ଏସଆଇଟି ଦ୍ୱାରା ତଦନ୍ତ କରାଉଛନ୍ତି । ତେବେ ଏହି ଘଟଣାକୁ ନେଇ ୟୁପିର ବିଜେପି ସରକାର କାଠଗଡ଼ାକୁ ଆସି ସାରିଛନ୍ତି । ଏହିକ୍ରମରେ ମାମଲାକୁ ଚପାଇଦେବାକୁ କିଭଳି ଉଦ୍ୟମ ହେଉଛି ତାହାର ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି ।
ହଠରାସ୍ ଜିଲ୍ଲାପାଳ ପ୍ରବୀଣ ଲସକର୍ ପୀଡ଼ିତାଙ୍କ ଘରକୁ ଯାଇ ସେମାନଙ୍କ ବୟାନ ବଦଳାଇବାକୁ ଧମକାଇଛନ୍ତି । ଯାହାର ଭିଡ଼ିଓ କ୍ଲିପ୍ କିଛି ଜାତୀୟ ଟିଭି ଚାନେଲ୍ ହାତରେ ଲାଗିଛି । ସେଥିରେ ଜିଲ୍ଲାପାଳ କହୁଛନ୍ତି, କିଛିଦିନ ପରେ ମିଡ଼ିଆ ଏଠୁ ଚାଲିଯିବ । ଆମେ କିନ୍ତୁ ତୁମ ସାଥୀରେ ସବୁବେଳେ ଅଛୁ । ତେଣୁ ତୁମେ ବୟାନ ବଦଳାଇବ କି ନାହିଁ ନିଷ୍ପତ୍ତି ନିଅ । ନଚେତ୍ ଅସୁବିଧାରେ ପଡ଼ିବ ।
ପୂର୍ବରୁ ପୀଡ଼ିତାଙ୍କ ପରିବାରକୁ ପୁଲିସ ଧମକାଇଥିବାର ଖବର ଆସିଥିଲା । ଏ ଘଟଣାରେ ଯାହା ହୋଇଛି ଭୁଲ୍ ହୋଇଛି ବୋଲି ମାନିଯିବାକୁ ଜନୈକ ପୁଲିସ ଉଚ୍ଚ ଅଧିକାରୀ ପରିବାରକୁ ଧମକେଇଥିଲେ । ଆଜି ଜିଲ୍ଲାପାଳଙ୍କ ଧମକ ପରେ ପରିବାର ଉପରେ ଚାପ ବଢ଼ୁଥିବା ସ୍ପଷ୍ଟ ହୋଇଛି । ଗତକାଲି ପୀଡ଼ିତାଙ୍କ ଭାଇ ଓ ଅନ୍ୟ ସମ୍ପର୍କୀୟ ଗଣମାଧ୍ୟମରେ ଏହା ସ୍ୱୀକାର କରିଥିଲେ । ସେମାନେ ଭୟ ଓ ଆତଙ୍କରେ ଅଛନ୍ତି । ଘରଛାଡ଼ି ଅନ୍ୟତ୍ର ଚାଲିଯିବାକୁ ଚିନ୍ତା କରୁଥିବା କହିଥିଲେ ।
ସେପଟେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଆଜି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ହଠରାସ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ମଧ୍ୟ ଦିଲ୍ଲୀ –ନୋଇଡା ରାସ୍ତାର ଗ୍ରେଟର୍ ନୋଇଡାଠାରେ ୟୁପି ପୁଲିସ ସେମାନଙ୍କୁ ଅଟକାଇଥିଲା । ହଠରାସ୍ ଯିବାକୁ କାହାରିକୁ ଅନୁମତି ନାହିଁ ବୋଲି ପୁଲିସ ଜଣାଇ ତାଙ୍କ ବାଟ ଜଗିବା ପରେ ରାହୁଲ କାହାରିକୁ ନ ନେଇ ଏକୁଟିଆ ଯିବେ ବୋଲି ଜଣାଇ ଅନୁମତି ଦେବାକୁ କହିଥିଲେ ।
ମାତ୍ର ପୁଲିସ ତାଙ୍କ କଥା ନ ଶୁଣିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ପୁଲିସ ରାହୁଲଙ୍କୁ ଠେଲିଦେବାରୁ ସେ ତଳେ ପଡ଼ିଯାଇଥିଲେ । ପ୍ରିୟଙ୍କା ଗାନ୍ଧୀ ଅଭିଯୋଗ କରିଛନ୍ତି ପୁଲିସ ତାଙ୍କୁ ମଧ୍ୟ ଠେଲିବାକୁ ଉଦ୍ୟମ କରିଥିଲା । ତେବେ ପୁଲିସ ସେଠାରୁ ଉଭୟଙ୍କୁ ଅଟକ ରଖି ଏକ ଗେଷ୍ଟ ହାଉସ୍ ନେଇଯାଇଥିଲା । ଅପରାହ୍ନରେ ରାହୁଲ ଓ ପ୍ରିୟଙ୍କା ଦିଲ୍ଲୀ ଫେରି ଆସିଛନ୍ତି । ଆସନ୍ତାକାଲି ପୁଣି ସେମାନେ ଉଦ୍ୟମ କରିପାରନ୍ତି ବୋଲି ଖବର ମିଳିଛି ।
ରାହୁଲଙ୍କ ପ୍ରତି ପୁଲିସର ଏପରି ବ୍ୟବହାରକୁ ଏନସିପି ନେତା ଶରଦ ପାୱାର୍, ଆରଜେଡ଼ି ନେତା ତେଜସ୍ୱୀ ଯାଦବ ପ୍ରମୁଖ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।
ଓଡ଼ିଶାରେ ଯୁବ କଂଗ୍ରେସ ପକ୍ଷରୁ ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକରେ ପ୍ରତିବାଦ ବିକ୍ଷୋଭ କରାଯାଇଥିଲା । ଯୁବ କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ରାହୁଲ ଗାନ୍ଧୀଙ୍କ ପ୍ରତି ହୋଇଥିବା ବ୍ୟବହାରର ସେମାନେ ତୀବ୍ର ନିନ୍ଦା କରିବା ସହ ଆଗାମୀ ଦିନରେ ଓଡ଼ିଶାକୁ କେନ୍ଦ୍ରମନ୍ତ୍ରୀମାନଙ୍କୁ ପୂରାଇ ନ ଦେବାକୁ ଚେତାବନୀ ଦେଇଥିଲେ ।
ସୂଚନାଥାଉକି, ଦିଲ୍ଲୀର ନିର୍ଭୟା, ହାଇଦ୍ରାବାଦର ପ୍ରିୟଙ୍କା, ୟୁପିର ଉନ୍ନାଓ ଗଣଦୁଷ୍କର୍ମ ପରି ଏହି ଲୋମହର୍ଷଣକାରୀ ଘଟଣା ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସଭ୍ୟ ସମାଜରେ ଏଭଳି ବିଭତ୍ସ କାଣ୍ଡ ବାରମ୍ବାର ଘଟିବାକୁ କେହି ସହଜେ ଗ୍ରହଣ କରିପାରୁନାହାନ୍ତି ।