ସମ୍ବଲପୁର/ଭୁବନେଶ୍ୱର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିରର ପାରିପାଶ୍ୱିର୍କ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ବଡ଼ ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଆସି ମା ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରିବା ସହ ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯିବ । ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଏବଂ ୨ ବର୍ଷ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ସମଲେଶ୍ବରୀ ମନ୍ଦିର ବିକାଶ ପ୍ରକଳ୍ପରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ପାରିପାର୍ଶିକ ବିକାଶ, ଐତିହ୍ୟ କରିଡରର ବିକାଶ, ଭୋଗମଣ୍ଡପ, ଯାତ୍ରୀ ଓ ଭକ୍ତ ନିବାସ, ପାର୍କିଂ ସୁବିଧା ଏବଂ ନଦୀ ସମ୍ମୁଖ ଭାଗର ବିକାଶକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ମନ୍ଦିର ର ପୂଜାରୀ ତଥା ଜମି ହରାଉଥିବା ଲୋକମାନଙ୍କର ଥଇଥାନ ଓ ପୁନର୍ବାସ ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯିବ ବୋଲି କୁହାଯାଇଛି ।
ସୂଚନାଥାଉକି, ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ମାନଙ୍କ ମଧ୍ୟରେ ମା ସମଲେଶ୍ୱରୀଙ୍କ ପୀଠ ଅନ୍ୟତମ ଅଟେ । ପଶ୍ଚିମ ଓଡିଶାର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନ ସହ ସମଲେଶ୍ୱରୀ ପୀଠର ଘନିଷ୍ଠ ସଂପର୍କ ରହିଛି । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମା’ ଙ୍କ ଆଶୀର୍ବାଦ ପାଇଁ ଆସିଥାନ୍ତି । ଏହି ପୀଠର ଗୁରୁତ୍ବ ଓ ମହିମାକୁ ଦୃଷ୍ଟିରେ ରଖି ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ଼ର ଠିକ୍ ପୂର୍ବରୁ ମନ୍ଦିର ପରିଦର୍ଶନ ଅବସରରେ ଘୋଷଣା କରିଥିଲେ।
ଆଉ ଏହାକୁ କାର୍ଯ୍ୟକାରୀ କରିବାକୁ ତତ୍ପର ହୋଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ସମ୍ବଲପୁର ଯାଇଥିବା ଉଚ୍ଚସ୍ତରୀୟ ପ୍ରଦିନିଧି ଦଳରେ ଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ, ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାର । ସେମାନେ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ରୂପରେଖ ଚୂଡ଼ାନ୍ତ କରିଥିଲେ । ଉତ୍ତରାଞ୍ଚଳ ଆରଡିସି, ଡିଆଇଜି, ଜିଲ୍ଲାପାଳ ଏବଂ ଏସପି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।