ନୂଆଦିଲ୍ଲୀ/ଭୁୁବନେଶ୍ୱର: କରୋନା ମହାମାରୀର ଏକମାତ୍ର ସଞ୍ଜିବନୀ ହେଉଛି ଟିକା । ଭାରତକୁ ତୃତୀୟ ଲହରରୁ ରକ୍ଷା କରିବାକୁ ହେଲେ ୫୧ କୋଟି ଲୋକଙ୍କୁ ଟିକାକରଣର ଆବଶ୍ୟକତା ରହିଛି । ୨-୩ ମାସରେ ଏହା ସମ୍ଭବ ବୋଲି ମତ ଦେଇଛନ୍ତି ଦେଶର ଖ୍ୟାତନାମା ଡାକ୍ତର ଦେବୀ ସେଟ୍ଟୀ ।
ତାଙ୍କ ମତରେ ଆଗାମୀ ଦୁଇ ତିନି ମାସ ଧରି ବ୍ୟାପକ ଟିକାକରଣ ଦ୍ୱାରା ତୃତୀୟ ଲହର କରୋନାରୁ ଦେଶବାସୀଙ୍କୁ ରକ୍ଷା କରାଯାଇପାରିବ । ଏହାଠାରୁ ଆଉ ଶସ୍ତା, ସୁନ୍ଦର ଓ ଶ୍ରେଷ୍ଠ ବିକଳ୍ପ କିଛି ନାହିଁ । ଟିକାକରଣର ସୁଫଳ ସମସ୍ତ ପ୍ରକାର ସନ୍ଦେହର ଉଦ୍ଧ୍ୱର୍ରେ । ସୁତରାଂ ବର୍ତ୍ତମାନ ସ୍ଥିତିରେ ୧୮ ବର୍ଷରୁ ଉଦ୍ଧ୍ୱର୍ ସମସ୍ତଙ୍କୁ ଟିକାକରଣ ନିହାତି ଦରକାର । ଭାରତ ଭଳି ଦେଶରେ ଏହି ଲକ୍ଷ୍ୟ ସହଜରେ ହାସଲ କରାଯାଇପାରିବ ବୋଲି ସେ କହିଛନ୍ତି ।
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଅବସରରେ ଡାକ୍ତର ସେଟ୍ଟୀ ଏହାର ସରଳ ସୂତ୍ର ବି ବତାଇଛନ୍ତି । ତାଙ୍କ ମତରେ, ଆମ ଦେଶରେ ସମ୍ବଳର ଅଭାବ ନାହିଁ । ଗୋଟିଏ ଦିନ ଲକଡାଉନ୍ ରୁ ଆମେ ୧୦ ହଜାର କୋଟି ଟଙ୍କା କ୍ଷତି ସହୁଛେ । କରୋନା ସଙ୍କଟରୁ ଉଦ୍ଧାର ପାଇବାକୁ ଦେଶର ୫୧ କୋଟି ଲୋକଙ୍କୁ ଟିକା ଦେବାର ଆବଶ୍ୟକତା ଅଛି । ଏଥିପାଇଁ ପ୍ରାୟ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୦ ଲକ୍ଷ କୋଟି ଟଙ୍କା ଜିଡିପିର ଦେଶ ଭାରତ ପାଇଁ ଏହା ଆଦୌ କଠିନ ନୁହେଁ ।
ଆମ ପାଇଁ ଗ୍ରହଣଯୋଗ୍ୟ ଦେଶ ବିଦେଶର ଟିକା ନିର୍ମାତା କମ୍ପାନୀକୁ ୧୦ ହଜାର କୋଟି ଟଙ୍କା ଅଗ୍ରୀମ ରାଶି ଦେଲେ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆମ ଚାହିଦା ମୁତାବକ ଟିକା ପାଇବାରେ ଅସୁବିଧା ହେବ ନାହିଁ । କାରଣ ସଂପୃକ୍ତ ଟିକା କମ୍ପାନୀ ଏହି ଅଗ୍ରୀମ ଟଙ୍କାରେ ତାଙ୍କର କାରଖାନା ଓ ଉତ୍ପାଦନ କ୍ଷମତା ବଢ଼ାଇ ପାରିବେ । ବିନା ଅଗ୍ରୀମରେ କୌଣସି କମ୍ପାନୀ ଏହି ରିସ୍କ ନେବାକୁ ଚାହିଁବେନି । ହୁଏତ କୌଣସି କାରଣରୁ କରୋନା ଚାଲିଗଲେ ତାଙ୍କ ଟିକା କିଣିବାକୁ ଗରାଖ ମିଳିବେନି । ବ୍ୟବସାୟିକ ଦୃଷ୍ଟିରୁ ଏଥିପାଇଁ ବିପୁଳ କ୍ଷତିର ଆଶଙ୍କା ବି ରହୁଛି । ସୁତରାଂ ଅଗ୍ରୀମ ଟଙ୍କା ଦେଇ ଟିକା ଅର୍ଡର କରିବା ହିଁ ଏକମାତ୍ର ବାଟ । ଏହି ସହଜ ଏବଂ ଶସ୍ତା ବାଟରେ କୋଟି କୋଟି ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ।
ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କାକୁ ମଧ୍ୟ ଏହା ଦ୍ୱାରା ଏଡାଇ ଦିଆଯାଇପାରିବ । କାରଣ ଟିକା ନେଇଥିବା ବାପାମାଆ ସେମାନଙ୍କ ପିଲାକୁ ସୁରକ୍ଷା ଦେବେ । ଆଉ ଯଦି ଟିକାକରଣ ହୋଇ ନ ପାରେ ତେବେ ପରିସ୍ଥିତି ସମ୍ଭାଳିବା କଷ୍ଟ ହେବ । କାରଣ ବର୍ତ୍ତମାନ ସ୍ଥିତିରେ କୋଭିଡ୍ ଆଇସିୟୁ ରେ ୨୦ ଜଣ ରୋଗୀଙ୍କୁ ୪/୫ ଜଣ ନର୍ସ ସମ୍ଭାଳୁଛନ୍ତି । ଶିଶୁଙ୍କ କ୍ଷେତ୍ରରେ ଏହା ସମ୍ଭବପର ନୁହେଁ । ଶିଶୁର ବାପା, ମାଆ ସାଙ୍ଗରେ ରହିବାର ଆବଶ୍ୟକତା ପଡ଼ିବ । ଏଭଳି ପରିସ୍ଥିତିରେ ଯଦି ବାପାମାଆ ଟିକା ନେଇ ନ ଥିବେ ତେବେ ପରିସ୍ଥିତି ସମ୍ଭାଳି ହେବନି ବୋଲି ଡାକ୍ତର ସେଟ୍ଟୀ କହିଛନ୍ତି ।