ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ସ୍ତରରେ ଆଜି ଅଦଳବଦଳ କରାଯାଇଛି । କେନ୍ଦ୍ରୀୟ ଡେପୁଟେସନ୍ ରୁ ଫେରିଥିବା ତିନି ବରିଷ୍ଠ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ମିଳିଥିବା ବେଳେ ଢ଼େଙ୍କାନାଳ ଏସପିଙ୍କ ସମେତ ୬ ଆଇପିଏସ୍ ଙ୍କର ବଦଳି ହୋଇଛି ।
କେନ୍ଦ୍ରୀୟ ଡେପୁଟେସନ୍ ରୁ ଫେରିଥିବା ୧୯୯୪ ବ୍ୟାଚ୍ ଆଇପିଏସ୍ ୱାଇ.କେ.ଜେଠୱାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଇନ ଶୃଙ୍ଖଳା ବିଭାଗର ଅତିରିକ୍ତ ଡିଜିପି ଭାବେ ଅବସ୍ଥାପିତ କରାଯାଇଛି । ୧୯୮୮ ବ୍ୟାଚ୍ ର ଅଧିକାରୀ ଅରୁଣ କୁମାର ରାୟଙ୍କୁ କମ୍ୟୁନିକେସନ୍ ଏଡିଜିପି ଏବଂ ୧୯୯୫ ବ୍ୟାଚ୍ ଅଧିକାରୀ ଶ୍ରୀମତୀ ରିତୁ ଆରୋରାଙ୍କୁ ଗୃହ ବିଭାଗର ଓଏସଡି ପଦରେ ନିଯୁକ୍ତି ଦିଆଯାଇଛି ।
ବର୍ତ୍ତମାନ ଏଡିଜିପି, କମ୍ୟୁନିକେସନ୍ ଦାୟିତ୍ୱରେ ଥିବା ୧୯୯୨ ବ୍ୟାଚ୍ ଅଧିକାରୀ ଲଳିତ ଦାସଙ୍କୁ ଏଡିଜିପି, ହେଡକ୍ୱାର୍ଟର୍ ଭାବେ ବଦଳି କରାଯାଇଛି । ଏଡିଜିପି, ହେଡକ୍ୱାର୍ଟର୍ ଦାୟିତ୍ୱରେ ଥିବା ୧୯୯୩ ବ୍ୟାଚ୍ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ନିର୍ଦ୍ଦେଶକ, ଏସସିଆରବି ଏବଂ ଆଇଜି, ଆଧୁନିକୀକରଣ ଦାୟିତ୍ୱରେ ଥିବା ୧୯୯୭ ବ୍ୟାଚ୍ ଅଧିକାରୀ ଶ୍ରୀମତୀ ରେଖା ଲୋହାନୀଙ୍କୁ ଅତିରିକ୍ତ ପୁଲିସ କମିଶନର ଭାବେ ବଦଳି କରାଯାଇଛି । ସେହିଭଳି ୧୯୯୬ ବ୍ୟାଚ୍ ର ସଞ୍ଜୟ କୁମାର ସିଂହଙ୍କୁ ଆଇଜିପି, ଆଧୁନିକୀକରଣ ପଦରେ ଅବସ୍ଥାପିତ କରାଯାଇଛି । ଅତିରିକ୍ତ ପୁଲିସ କମିଶନର ଭାବେ ସେ କାର୍ଯ୍ୟ ତୁଲାଉଥିଲେ ।
ଏସସିଆରବି ନିର୍ଦ୍ଦେଶକ ପଦରେ ଥିବା ୧୯୯୮ ବ୍ୟାଚ୍ ର ରାଜେଶ କୁମାରଙ୍କୁ ଆଇଜିପି, ଫରେନସିକ୍ ଲାବୋରେଟୋରି ଭାବେ ବଦଳି କରାଯାଇଛି । ତାଲିକାରେ ଏକମାତ୍ର ଜିଲ୍ଲା ଢ଼େଙ୍କାନାଳ ଏସପିଙ୍କର ବଦଳି ହୋଇଛି । ସେଠାରେ ଥିବା ୨୦୧୩ ବ୍ୟାଚ୍ ଆଇପିଏସ୍ ଶ୍ରୀମତୀ ଅନୁପମା ଜେମସ୍ ଙ୍କୁ ଭିଜିଲାନସ୍ ଏସପି ଭାବେ ବଦଳି କରାଯାଇଛି । ତେବେ ସେଠାରେ ନୂଆ କାହାରିକୁ ନିଯୁକ୍ତି ଦିଆଯାଇନାହିଁ ।