ଭୁବନେଶ୍ୱର: ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କୁ ଆଜି ଜେରା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସମନ୍ କରାଯାଇଥିଲା । ଦିନ ୧୧ଟାରେ ଇଓଡବ୍ଲୁ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା । ମାତ୍ର ଜାଗୀ ହାଜର ହୋଇନାହାନ୍ତି । ଇ-ମେଲ୍ କରି ସମୟ ନେବା ସହ ନିଜ ଓଟିଭି କାର୍ଯ୍ୟାଳୟରେ ତାଙ୍କୁ ପଚରାଉଚୁରା କରାଯାଉ ବୋଲି ଅନୁରୋଧ କରିଛନ୍ତି ।
ରାଜଧାନୀରେ ଲକଡାଉନ୍ ବେଳେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ଓଟିଭିର ୨ କର୍ମଚାରୀ, ୨ ସୁରକ୍ଷାକର୍ମୀ, ଜଣେ ପୁଲିସ କର୍ମଚାରୀଙ୍କ ସମେତ ୭ ଜଣ ୧୫ ଦିନ ଧରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ଅଗଷ୍ଟ ୩୦ ତାରିଖରେ ମହିଳା ଥାନା ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ପୋକସୋ ଆକ୍ଟରେ ମାମଲା ରୁଜୁ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି ।
ସେହିପରି ଘଟଣା ସମ୍ପର୍କରେ ଓଟିଭି ଏମଡି ଜାଗୀ ପଣ୍ଡା ମୂଳରୁ ଜାଣିଥିଲେ ମଧ୍ୟ ଚପାଇଦେବାକୁ ଉଦ୍ୟମ କରିଥିଲେ ବୋଲି ପୀଡ଼ିତାଙ୍କ ମାଆ ଅଭିଯୋଗ କରିଥିଲେ । ମାତ୍ର ପୁଲିସ ସେ ଦିଗରେ ଚୁପ୍ ରହିଥିଲା ।
ଏତେବଡ଼ ସଙ୍ଗୀନ ମାମଲାରେ କମିଶନରେଟ୍ ପୁଲିସର ବିଳମ୍ବିତ ତଦନ୍ତ ପ୍ରକ୍ରିୟାରେ ଖୋଦ୍ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଇତିମଧ୍ୟରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ମାମଲାର ତଦନ୍ତ ଦାୟିତ୍ୱ ଦେଇଛନ୍ତି । କ୍ରାଇବ୍ରାଞ୍ଚ ତଦନ୍ତଭାର ନେଲା ପରେ ତିନି ଅଭିଯୁକ୍ତଙ୍କୁ ଜେରା କରିସାରିଲାଣି ।
ଓଟିଭି ଏମଡି ଜାଗୀ ପଣ୍ଡାଙ୍କୁ ଆଜି ହାଜର ହେବାକୁ ଗତକାଲି ସମନ୍ ଦିଆଯାଇଥିଲା । ସମନ୍ ଦେବାକୁ କ୍ରାଇବ୍ରାଞ୍ଚର ଏକ ୪ ଜଣିଆ ଟିମ୍ ଓଟିଭି ଅଫିସ୍ ଯାଇଥିଲେ ମଧ୍ୟ ଓଟିଭି କର୍ତ୍ତୃପକ୍ଷ ଫାଟକ ଖୋଲି ନ ଥିଲେ । ପରେ ଓଟିଭିର ଆସିଷ୍ଟାଣ୍ଟ ମ୍ୟାନେଜର(ଅପରେସନ୍) ଏହି ସମନ୍ ଗ୍ରହଣ କରିଥିଲେ ।