ଭୁବନେଶ୍ୱର: “ପୁରୀ କଲିକତାର ବୋଲି ଦେଶବାସୀ ବୁଝୁଥିଲେ । ମାତ୍ର ୨୦୧୯ରେ ସମ୍ବିତ ପାତ୍ର ପୁରୀରୁ ଲୋକସଭା ନିର୍ବାଚନ ଲଢ଼ିବା ପରେ ଦେଶବାସୀ ଜାଣିଲେ ପୁରୀ ଓଡ଼ିଶାର ।”
ପିପିଲିରେ ‘ଲୋକାଲ୍ ଫର ଭୋକାଲ୍’ ନାମକ ଏକ କାର୍ଯ୍ୟକ୍ରମରେ ଏଭଳି ବାଚାଳ ମନ୍ତବ୍ୟ ଦେଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ତାଙ୍କ ଯୁକ୍ତିରେ ପୁରୀର ପରିଚୟ ତାଙ୍କ ନେତା ଡ. ସମ୍ବିତ ପାତ୍ର । ସମ୍ବିତ ସେଠୁଁ ନିର୍ବାଚନ ଲଢ଼ିବାରୁ ପୁରୀ ଓଡ଼ିଶାର ବୋଲି ଦେଶବାସୀ ଜାଣିଲେ । ପୂର୍ବରୁ ଏହା କଲିକତାର ବୋଲି ଅଧାଲୋକ ଭାବୁଥିଲେ । କଥାଛଳରେ ନୁହେଁ, ବେଶ୍ ଭାବ ଗମ୍ଭୀର ହୋଇ ଏହା କହିଥିଲେ ମ୍ୟାଡାମ୍ ଲେଖାଶ୍ରୀ ।
ସୁତରାଂ, ସମ୍ବିତ ପାତ୍ରଙ୍କୁ ବଡ଼ କରି ମହାପ୍ରଭୁଙ୍କୁ ନୀଚ୍ଚ କରିବାର ହୀନ ମାନସିକତା ଦେଖାଇଛନ୍ତି ଲେଖାଶ୍ରୀ । ସମ୍ବିତଙ୍କ ଆଶିର୍ବାଦ ମୋହରେ ଲେଖାଶ୍ରୀ ଏଭଳି ମନ୍ତବ୍ୟ ଜରିଆରେ ତେଲ ମାରିଥିବା କୁହାଯାଉଛି । ଦୁର୍ଭାଗ୍ୟ ଯେ ମହାପ୍ରଭୁଙ୍କ ଭାବାବେଗ ଜଡ଼ିତ ଏହି ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲେ ମଧ୍ୟ ସମ୍ବିତ ପାତ୍ରଙ୍କ ପ୍ରତିକ୍ରିୟା ଆସିନାହିଁ । ଲେଖାଶ୍ରୀଙ୍କ ମନ୍ତବ୍ୟକୁ ସମର୍ଥନ କରି ସମ୍ଭବତଃ ସେ ଛାତି କୁଣ୍ଢେମୋଟ କରିଛନ୍ତି ।
ସୂଚନାଥାଉକି, ଏହି ଭଦ୍ର ମହିଳା ନିଜର ଅହଂକାର ଓ କଟୁ ମନ୍ତବ୍ୟ ପାଇଁ ବେଶୀ ପରିଚିତ । ଗୁଜୁରାଟରେ ଓଡ଼ିଆ ମହିଳାମାନେ ବେଶ୍ୟାବୃତ୍ତି କରୁଥିବା ଭଳି ଅତି ହୀନ ମନ୍ତବ୍ୟ ଦେଇ ଓଡ଼ିଶାର ସ୍ୱାଭିମାନକୁ କୁଠାରଘାତ କରିବାକୁ ସାହାସ କରିଥିଲେ । ଶାଳୀନତାର ସୀମା ଟପୁଥିବା ଲେଖାଶ୍ରୀଙ୍କ ଅନେକ ମନ୍ତବ୍ୟ ବିଜେପିକୁ ଅଡୁଆରେ ପକାଉଥିବା ଦଳୀୟ ନେତାମାନେ ବି ସ୍ୱୀକାର କରନ୍ତି । ତାଙ୍କର ଏହି ଅଶୋଭନୀୟ ଆଚରଣ, ଅଶାଳୀନ ବ୍ୟବହାର ପାଇଁ ଦଳୀୟ ନେତୃତ୍ୱ ଗତ ନିର୍ବାଚନରେ ତାଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇ ନ ଥିଲେ । ମାତ୍ର ଏଥିରୁ କିଛି ଶିକ୍ଷା କରିପାରିନାହାନ୍ତି ଏହି ଭଦ୍ର ମହିଳା ।
ରାଜନୀତିକୁ ଆସିବା ପୂର୍ବରୁ ଲେଖାଶ୍ରୀ ରେଭେନସା କଲେଜରେ ଅଧ୍ୟାପନା କରୁଥିଲେ । ଜଗନ୍ନାଥ ଧାମ ପୁରୀ ବୋଲି ଏ ପର୍ଯ୍ୟନ୍ତ ଜାଣି ନ ଥିବା ଲେଖାଶ୍ରୀ ପିଲାଙ୍କୁ କ’ଣ ପାଠ ପଢ଼ାଉଥିଲେ ବୋଲି ସୋସିଆଲ୍ ମିଡ଼ିଆରେ ଅନେକ ପ୍ରଶ୍ନ କରିଛନ୍ତି । ପରୋକ୍ଷରେ ମହାପ୍ରଭୁଙ୍କୁ ନୀଚ୍ଚ ଦେଖାଇଥିବା ଲେଖାଶ୍ରୀଙ୍କ ଆସ୍ପର୍ଦ୍ଧା, ବାଚାଳାମୀ ସମଗ୍ର ରାଜ୍ୟବାସୀଙ୍କୁ ସ୍ତମ୍ଭୀଭୂତ କରିଛି । ରାଜ୍ୟର କୋଣ ଅନୁକୋଣରୁ ଲୋକେ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଲେଣି ।
ସ୍ୱୟଂ ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କୁ ନ୍ୟୁନ କରିବାର ଆସ୍ପର୍ଦ୍ଧା ଦେଖାଇବା ଅର୍ଥ ଓଡ଼ିଆଙ୍କ ଅସ୍ମିତାକୁ ଚୋଟ ମାରିବା । ଲେଖାଶ୍ରୀଙ୍କ ମନ୍ତବ୍ୟକୁ ସବୁଆଡୁ କଟୁ ସମାଲୋଚନା ହେଉଥିଲେ ମଧ୍ୟ ସେ ନିଜେ ଅନୁତପ୍ତ ନୁହଁନ୍ତି । ତେଣୁ କ୍ଷମା ମାଗିନାହାନ୍ତି । ଯାହା କହିଛନ୍ତି ଠିକ୍ କହିଛନ୍ତି ବୋଲି ଜିଦ୍ ରେ ଅଟଳ ଥିବା ତାଙ୍କ ନିରବତା ସୂଚାଉଛି । ବିରୋଧୀ ଦଳର ନେତା ପ୍ରଦୀପ ନାୟକଙ୍କ ସମେତ ଆଉ କିଛି ନେତା ବିଭିନ୍ନ ଗଣମାଧ୍ୟମରେ ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନାପସନ୍ଦ କରିଥିଲେ ମଧ୍ୟ ତାଙ୍କ ଦଳ ପକ୍ଷରୁ ବିଧିବଦ୍ଧ ଭାବେ କ୍ଷମା ପ୍ରାର୍ଥନା କରାଯାଇନାହିଁ । ଯାହା ଆହୁରି ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି ।
ବିଜେପି ଭଳି ଜାତୀୟ ଦଳର ପ୍ରାନ୍ତୀୟ ପ୍ରବକ୍ତା ବୋଲାଉଥିବା ଏହି ମ୍ୟାଡାମ୍ ଯେ ପ୍ରଚଣ୍ଡ ଅଜ୍ଞାନୀ ଓ ନିର୍ବୋଧ, ତାହା ତାଙ୍କ ଆଚରଣ ଓ ମନ୍ତବ୍ୟ ସୂଚେଇ ଦେଇଛି ବୋଲି ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ କୁହାଯାଇଛି । ବିଜେଡ଼ି ମୁଖପାତ୍ର ଡ. ଲେଲିନ୍ ମହାନ୍ତି କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଏହି ଭଦ୍ରମହିଳା ବାସ୍ତବରେ ମାଟ୍ରିକ୍ ପାସ୍ କରିଛନ୍ତି ନା ନାହିଁ ତାହାର ଯାଞ୍ଚ ହେବା ଦରକାର ବୋଲି କଟାକ୍ଷ କରିଛନ୍ତି ।
‘ଓଡ଼ିଶା-ମୋ ପରିବାର’ ଆବାହକ ତଥା ପୁରୀ ଜିଲ୍ଲା ଡେଲାଙ୍ଗରେ ଜନ୍ମିତ ପୂର୍ବତନ ମୁମ୍ବାଇ ପୁଲିସ କମିଶନର ଅରୂପ ପଟ୍ଟନାୟକ ଏହି ଭଦ୍ରମହିଳାଙ୍କୁ କଳାପାହାଡ଼ର ଭଗିନୀ ଆଖ୍ୟା ଦେଇଛନ୍ତି । ଅତୀତରେ ଓଡ଼ିଶାର ଅସ୍ମିତା ପ୍ରତି ଜଷ୍ଟିସ୍ କାଟଜୁ, ଅଭିଜିତ୍ ଆୟାର ଭଳି ଅଣଓଡ଼ିଆ ବ୍ୟକ୍ତି କୁଠାରଘାତ କରିଥିଲେ । ଏବେ ଏହି ଓଡ଼ିଆ ଭଦ୍ରମହିଳା ସେଥିରେ ସାମିଲ ହୋଇଛନ୍ତି । ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଏଭଳି ହୋଇଥିଲେ ସାଂଘାତିକ ସ୍ଥିତି ହୋଇଥାଆନ୍ତା । ମାତ୍ର ଓଡ଼ିଆ ଲୋକଙ୍କ ଉଦାରତାର ସୁଯୋଗ ନେଇ ମହାପ୍ରଭୁଙ୍କୁ ବି ନ୍ୟୁନ କରିବାକୁ ଏମାନେ ସାହାସ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜେପିର ଏହି ଭଦ୍ରମହିଳାଙ୍କୁ ନିର୍ବୋଧ, ବାଚାଳ ଓ ଅହଂକାରୀ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
କଂଗ୍ରେସ ଯୁବନେତା ଅମୀୟ ପାଣ୍ଡବ ଲେଖାଶ୍ରୀଙ୍କ ସଂସ୍କାର ଉପରେ ପ୍ରଶ୍ନ ପଚାରିଛନ୍ତି । ନିଜର ଅଜ୍ଞାନତା, ମାନସିକ ଅସୁସ୍ଥତା ନତୁବା ରାଜନୈତିକ ପରିଚୟ ବଞ୍ଚାଇବାକୁ ଉପରିସ୍ଥ ନେତାଙ୍କୁ ତେଲ ମାରିବାକୁ ଯାଇ ଜଗତର ନାଥଙ୍କୁ ତଳେ ପକାଇବାର ଆସ୍ପର୍ଦ୍ଧା କରିଛନ୍ତି । ଏହାକୁ ସହ୍ୟ କରାଯିବ ନାହିଁ ଏବଂ ଉପଯୁକ୍ତ ଜବାବ ଦିଆଯିବ ବୋଲି ଶ୍ରୀ ପାଣ୍ଡବ ଚେତାବନୀ ଦେଇଛନ୍ତି ।
ବିିଧାୟକ ସୁର ରାଉତରାୟ, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଲେଖାଶ୍ରୀଙ୍କ ମନ୍ତବ୍ୟର କଟୁ ସମାଲୋଚନା କରି ସେ ପୁରୀ ଯାଇ ମହାପ୍ରଭୁଙ୍କ ନିକଟରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ।