ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମନ୍ଦିରର ୪ ଜଣ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହେଲା ପରେ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ବିଏମସି ପକ୍ଷରୁ ଆଜି ଏହି ପଦକ୍ଷେପ ନିଆଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି କୁହାଯାଇଛି । ତେବେ ଠାକୁରଙ୍କ ନୀତିକାନ୍ତି ବନ୍ଦ ହେବ ନାହିଁ । ପୂର୍ବଭଳି ସେବାୟତମାନେ ନୀତିକାନ୍ତି କାର୍ଯ୍ୟ କରିବେ ।
ଅଶୋକାଷ୍ଟମୀ ରୁକୁଣା ରଥଯାତ୍ରା ପୂର୍ବରୁ ଶ୍ରେୀ ଲିଙ୍ଗରାଜ ମନ୍ଦିର ସେବାୟତମାନଙ୍କର କୋଭିଡ୍ ଟେଷ୍ଟ କରାଯାଉଛି । ଗତକାଲି ୬୦ ଜଣ ସେବାୟତଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆଉ ୧୮୫ ଜଣ ସେବାୟତଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଛି ।
ଶ୍ରଦ୍ଧାଳୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ବନ୍ଦ କରାଯାଇଥିଲେ ମଧ୍ୟ ଅଶୋକାଷ୍ଟମୀ ରଥଯାତ୍ରା ପୂର୍ବ ନିଷ୍ପତ୍ତି ଅନୁଯାୟୀ ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।