ଭୁବନେଶ୍ୱର: ରାଜ୍ୟରେ ଲକଡାଉନ୍ ଅବଧି ଆଉ ଦୁଇ ସପ୍ତାହ ବଢ଼ିଛି । ଆସନ୍ତା ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ଲକଡାଉନ୍ ହେବ । ସପ୍ତାହାନ୍ତ ସଟଡାଉନ୍ ପୂର୍ବଭଳି ଜାରି ରହିବ । ପ୍ରଥମ ଲକଡାଉନ୍ କଟକଣାଠାରୁ ଦ୍ୱିତୀୟ ଲକଡାଉନ୍ କଟକଣାକୁ ଆହୁରି କଡ଼ା କରାଯାଇଛି । ତେଜରାତି, ପନିପରିବା, ମାଛ, ମାଂସ ଭଳି ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଆଉ ୬ ଘଣ୍ଟା ସମୟ ଦିଆଯିବନି । ସୋମବାରରୁ ଶୁକ୍ରବାର ସକାଳ ୭ ରୁ ୧୧ ଟା ଭିତରେ ଲୋକମାନେ କିଣାକିଣି କରିପାରିବେ । ଘରଠାରୁ ୫୦୦ ମିଟର ଦୂର ଦୋକାନକୁ ଚାଲି ଚାଲି ଯାଇ ସାମଗ୍ରୀ କିଣିବେ ।
ସେହିଭଳି ବିବାହ ଉତ୍ସବରେ ଏଣିକି ସର୍ବାଧିକ ୨୫ ଜଣ ଯୋଗ ଦେଇପାରିବେ । ପୂର୍ବରୁ ୫୦ ଜଣଙ୍କୁ ଯୋଗଦେବା ପାଇଁ ଅନୁମତି ଥିଲା । ବିବାହ, ବ୍ରତଘର କିମ୍ବା ଶୁଦ୍ଧିକ୍ରିୟାରେ ଭୋଜିଭାତକୁ ବାରଣ କରାଯାଇଛି । ତେବେ ଆୟୋଜକ ଚାହିଁଲେ ଅତିଥିଙ୍କୁ ପ୍ୟାକେଟ୍ ଖାଦ୍ୟ ଦେଇପାରିବେ ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଆସନ୍ତାକାଲି ୧୪ ଦିନିଆ ଲକଡାଉନ୍ ସମୟସୀମା ଶେଷ ହେବା ପୂର୍ବରୁ ଏହାର ଅବଧି ବୃଦ୍ଧି ଘୋଷଣା କରି ଲକଡାଉନ୍ ରୁ ସୁଫଳ ମିଳୁଥିବା କହିଥିଲେ । ଗତ ୧୫ ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାରରୁ ଅଧିକ ରହୁଥିଲେ ମଧ୍ୟ ସ୍ଥିର ଅଛି । ତେଣୁ ଆମକୁ ଆହୁରି ସତର୍କ ହେବାକୁ ପଡ଼ିବ ଏବଂ କଟକଣା ଅଧିକ କଡ଼ାକଡ଼ି ପାଳନ କରିବାକୁ ହେବ ବୋଲି କହିଥିଲେ ।
ସର୍ବ ସାଧାରଣ ଜାଗା, ବିଭିନ୍ନ ଅଫିସରେ ଭିଡ କମାଇବାକୁ ଏଥର ଅଧିକ ଗୁରୁତ୍ୱ ଦିଆଯାଇଛି । ସରକାରୀ ଓ ବେସରକାରୀ ଅଫିସ୍ ରେ ଆହୁରି କମ୍ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଅଫିସ୍ ରେ ୧୦% କର୍ମଚାରୀ ଏବଂ ଘରୋଇ ଅଫିସ୍ ରେ ୩୩% କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିବ । କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜନସାଧାରଣଙ୍କୁ ଅନୁରୋଧ କରିବା ସହ ଅମାନିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।