ଭୁବନେଶ୍ୱର: ପୁଲିସ ହାତରେ ଆତଙ୍କ-ସୃଷ୍ଟିକାରୀ ମାନବବାଦୀ ସଂଗଠନର ମୁଖିଆ ମାନସ ଦାସ । ଖୋର୍ଦ୍ଧା ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ମାନସ ଦାସଙ୍କୁ ତାଙ୍କ ଭୁବନେଶ୍ୱର ସହିଦନଗର ଘରୁ ଉଠାଇ ନେଇଛନ୍ତି । ତାଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ହତ୍ୟା ଧମକ, ଜାତିଆଣ ବିଦ୍ୱେଷ ଭଳି ସଙ୍ଗୀନ ଅଭିଯୋଗ ରହିଛି । ଖୋର୍ଦ୍ଧା ପୁଲିସ ତାଙ୍କୁ ଏକ ଅଜଣା ଜାଗାକୁ ନେଇ ପଚରାଉଚୁରା କଲା ପରେ ଗିରଫ କରିଛନ୍ତି ।
ବେଗୁନିଆ ବ୍ଲକ୍ ମାନପୁର ଗାଁର ମାଗୁଣୀ ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କୁ ଗୋଟେ ଘରେ ନିସ୍ତୁକ ମାଡ଼ ମରାଯାଉଥିବାର ଭିଡ଼ିଓ କିଛି ଦିନ ତଳେ ଭାଇରାଲ୍ ହୋଇଥିଲା । ମାନବବାଦୀ ସଂଗଠନର ଏହି ବର୍ବର କାଣ୍ଡ ଲୋକଲୋଚନକୁ ଆସି ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ମୁଖିଆ ମାନସ ଦାସଙ୍କ ନିଦେ୍ର୍ଦଶରେ ଏସବୁ କରାଯାଉଥିବା ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ ଅଗଷ୍ଟ ୨ ତାରିଖରେ ବୋଲଗଡ଼ ଅନ୍ତର୍ଗତ କଡ଼ବ ଗାଁର ସତ୍ୟବ୍ରତ ନାୟକ ହତ୍ୟାକାଣ୍ଡ ଘଟଣାରେ ମାନସ ଦାସଙ୍କ ସଂପୃକ୍ତି ନେଇ ଥାନାରେ ଅଭିଯୋଗ ହୋଇଥିଲା । ଆଉ ଏହି ଦୁଇଟି ଘଟଣା ହିଁ ମାନସଙ୍କ ଅସଲ ଚେହେରା ପଦାକୁ ଆଣିଥିଲା ।
ଦୀର୍ଘ ୧୫ ବର୍ଷ ଧରି ମାନସ ଦାସ ପରିଚାଳିତ ମାନବବାଦୀ ସଂଗଠନର ହିଂସ୍ର କାର୍ଯ୍ୟକଳାପ ଓ ନିର୍ଯ୍ୟାତନାରେ ଦଳିତ ହରିଜନ ଓ ଆଦିବାସୀ ଲୋକେ ଘାଣ୍ଟି ହେଉଥିଲେ ମଧ୍ୟ ଭୟରେ ପାଟି ଖୋଲୁ ନ ଥିଲେ । ମାତ୍ର ମାନପୁର ଗାଁର ବାପ-ପୁଅଙ୍କୁ ନିର୍ମମ ମାଡ଼ ଏବଂ କଡ଼ବା ଗାଁର ସତ୍ୟବ୍ରତ ନାୟକ ହତ୍ୟାକାଣ୍ଡ ମାମଲା ଗଣମାଧ୍ୟମ ଓ ସୋସିଆଲ୍ ମିଡ଼ିଆରେ ପ୍ରଚାର ହେଲା ପରେ ବର୍ଷ ବର୍ଷ ଧରି ନର୍ଯ୍ୟାତନା ସହୁଥିବା ପୀଡ଼ିତ ବ୍ୟକ୍ତି ଓ ପରିବାର ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସଙ୍କ ବିରୋଧରେ ମୁହଁ ଖୋଲିଥିଲେ । ଖୋର୍ଦ୍ଧା ଟାଉନ୍, ଖୋର୍ଦ୍ଧା ସଦର ଏବଂ ବେଗୁନିଆ ଥାନାରେ ଦାସ ବାପ-ପୁଅଙ୍କ ବିରୋଧରେ ଏବେ ମାଳ ମାଳ ଅଭିଯୋଗ ଆସିବାରେ ଲାଗିଛି ।
ତେବେ ମାନସ ଦାସଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ସତ୍ତ୍ୱେ ପୁଲିସ ଏ ପର୍ଯ୍ୟନ୍ତ ତାଙ୍କ ପାଖ ମାଡୁ ନ ଥିଲା । ଶାସକ ଦଳ ସହ ତାଙ୍କର ନିବିଡ଼ ସମ୍ପର୍କ ଥିବାରୁ ପୁଲିସ ସୁରକ୍ଷା ଦେଉଥିବା ବିରୋଧୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଏହାକୁ ନେଇ ନେଇ ତୁମ୍ବି ତୋଫାନ ଚାଲିଥିବା ବେଳେ ଆଜି ଆହୁରି ଦୁଇଟି ଗୁରୁତର ଘଟଣା ସାମନାକୁ ଆସିଥିଲା ।
ମାନସ ଦାସଙ୍କ ଷ୍ଟେଜ୍ ବଡ଼ିଗାର୍ଡ ଭାବେ କାର୍ଯ୍ୟ କରୁଥିବା ଶୁଭାଶିଷ ବେହେରା ନାମକ ଜଣେ ଯୁବକ ଆଜି ଖୋର୍ଦ୍ଧା ସଦର ଥାନାରେ ତାଙ୍କ ବିରୋଧରେ ହତ୍ୟା ଧମକ ଅଭିଯୋଗ ଆଣିବା ସହ ପ୍ରମାଣସ୍ୱରୂପ ଧମକର ଅଡ଼ିଓ ମଧ୍ୟ ପୁଲିସକୁ ଦେଇଥିଲେ । ଦ୍ୱିତୀୟ ଘଟଣାରେ, ମାନସ ଦାସ ସଂଗଠନର ଏକ ଲିଫଲେଟ୍ ଆଜି ଭାଇରାଲ୍ ହୋଇଥିଲା । ସେଥିରେ ଜାତିଆଣ ବିଦ୍ୱେଷ ଓ ଉତ୍ତେଜନା ସୃଷ୍ଟିକାରୀ ବାର୍ତ୍ତା ରହିଥିଲା । ମାନସଙ୍କ ବିରୋଧରେ ଆସୁଥିବା ଅଭିଯୋଗର ସତ୍ୟତାର ଏହା ସମ୍ଭବତଃ ଠୋସ୍ ପ୍ରମାଣ ହୋଇଥିବାରୁ ପୁଲିସ ଆଉ କାଳ ବିଳମ୍ବ ନ କରି ତାଙ୍କୁ ଘରୁ ଉଠାଇ ଆଣିଥିଲା ।