ଭୁୁବନେଶ୍ୱର: ୧୩ ବର୍ଷର ନାବାଳିକାକୁ ୧୫ ଦିନ ଧରି ଗଣଦୁଷ୍କର୍ମ । ଓଟିଭିର ୪ କର୍ମଚାରୀ, ଜଣେ ପୁଲିସ କର୍ମଚାରୀଙ୍କ ସମେତ ୭ ଅଭିଯୁକ୍ତଙ୍କ ନାଁ ଏତଲାରେ ସ୍ପଷ୍ଟ ଉଲ୍ଲେଖ । ପୋକସୋ ଆକ୍ଟରରେ ପୁଲିସ ମାମଲା ରୁଜୁ । ପୀଡ଼ିତାଙ୍କ ବୟାନ ଲିପିବଦ୍ଧ । ମହିଳା ଥାନାରେ ମାମଲାକୁ ୧୯ ଦିନ ପୂରିଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିପାରିନି ପୁଲିସ । ମାମଲା ଚପେଇ ଦେବାକୁ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା ଉଦ୍ୟମ କରିଥିବା ପୀଡ଼ିତାଙ୍କ ମାଆ ତଥ୍ୟପ୍ରମାଣ ସହ ଅଭିଯୋଗ କରିଥିଲେ ମଧ୍ୟ ପୁଲିସର କାର୍ଯ୍ୟାନୁଷ୍ଠାନ ନାହିଁ ।
ଖୋଦ୍ ରାଜଧାନୀରେ ଏତେବଡ଼ ଜଘନ୍ୟ ମାମଲାରେ ପୁଲିସର ନିଷ୍କ୍ରିୟତାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ତଦନ୍ତକୁ ନେଇ ଡିସିପି ଗଣମାଧ୍ୟମରେ ବୟାନ ଦେଉଥିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ତାହା ଦେଖିବାକୁ ମିଳୁନାହିଁ । ମୋଟାମୋଟି ଦେଖିବାକୁ ଗଲେ, ଏପର୍ଯ୍ୟନ୍ତ ପୁଲିସର କାର୍ଯ୍ୟ ଉପରଠାଉରିଆ ଚାଲିଛି । ଏହି ମାମଲାରେ ସଂପୃକ୍ତ ସଂସ୍ଥା ଓଟିଭି ଚାନେଲ୍ ର ଏଚଆର ମୁଖ୍ୟଙ୍କୁ ଆଜି ମହିଳା ଥାନା ପୁଲିସ ଡାକି ଜେରା କରିଛି ।
ପୂର୍ବରୁ ଓଟିଭି ଇନପୁଟ୍ ଏଡିଟର ଏବଂ ଆଉଟପୁଟ୍ ଏଡିଟରଙ୍କୁ ଡାକି ମହିଳା ଥାନା ପୁଲିସ ପଚରାଉଚୁରା କରିଥିଲା । ଓଟିଭି ଅଧିକାରୀ ଏବଂ ପୀଡ଼ିତାଙ୍କ ମାଆଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ୍ ବାର୍ତ୍ତଳାପ ପୁଲିସକୁ ନ ଦେଇ ଓଟିଭିରେ ପ୍ରସାର କରିଥିବାରୁ ପୁଲିସ ସେମାନଙ୍କୁ ଜେରା କରୁଥିବା କୁହାଯାଉଛି । ଅନ୍ୟପକ୍ଷରେ, ଓଟିଭି ଏମଡିଙ୍କ ଉପରେ ଆରୋପ ଲାଗିଥିଲେ ମଧ୍ୟ ପୁଲିସ ତାଙ୍କୁ ନୋଟିସ୍ ପଠାଉ ନାହିଁ ।
ଏହାପୂର୍ବରୁ ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗକ୍ରମେ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ପକ୍ଷରୁ ଓଟିଭି ଏମଡିଙ୍କୁ ଜବାବ ମଗାଯାଇଥିଲେ ମଧ୍ୟ ତାହାକୁ ସେ ଭ୍ରୃକ୍ଷେପ କରି ନାହାନ୍ତି । ମହିଳା କମିଶନଙ୍କ ପକ୍ଷରୁ ତାଙ୍କୁ ଆସନ୍ତା ୨୧ ତାରିଖରେ ହାଜିରା ପାଇଁ ନୋଟିସ୍ ପଠାଯାଇଛି । ଦୁଇ ଦୁଇଟି କମିଶନଙ୍କ ପକ୍ଷରୁ ଓଟିଭି ଏମଡିଙ୍କୁ ନୋଟିସ୍ ଦିଆଯାଇଥିଲେ ମଧ୍ୟ ପୁଲିସ ଚୁପ୍ ବସିବା ସମସ୍ତଙ୍କୁ ସନ୍ଦେହରେ ପକାଇଛି ।
ପୋକସୋ ଆକ୍ଟ ୨୦୧୨ ମାମଲା ସତ୍ତ୍ୱେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିବା ଏବଂ ମାମଲା ଚପାଇ ଦେବାକୁ ଓଟିଭି ଏମଡି ଉଦ୍ୟମ କରିଥିବାର ସିଧାସଳଖ ଅଭିଯୋଗ ଆସିଥିବା ସତ୍ତ୍ୱେ ପୁଲିସ ଚୁପ୍ ରହିବା ପଛର ରହସ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନାଥାଉକି, ଏହି ଘଟଣାରେ ପୁଲିସର ନିଷ୍କ୍ରିୟତାକୁ ପ୍ରଶ୍ନ ଉଠାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ । ଘଟଣାର ସିବିଆଇ ତଦନ୍ତ ପାଇଁ ଗତ ୧୬ ତାରିଖ ଦିନ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଏଥିସହ ପୀଡ଼ିତାଙ୍କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରିବାକୁ ପ୍ରାର୍ଥନା କରାଯାଇଛି ।