– ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଯୁବକଂଗ୍ରେସର ଧାରଣା
– ଓଟିଭି ଏମଡିଙ୍କୁ ନୋଟିସ୍ ଦେଲେ ମହିଳା କମିଶନ
– ପୁଲିସକୁ ଦୁଇ ସପ୍ତାହ ସମୟ ଦେଲେ ଶିଶୁ ଅଧିକାର ସୁରକ୍ଷା କମିଶନ
ଭୁବନେଶ୍ୱର: ୧୩ ବର୍ଷର ନାବାଳିକା ଗଣଦୁଷ୍କର୍ମ ମାମଲାକୁ ୧୬ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଗିରଫ ହେଲେ ନାହିଁ । ପୋକସୋ ଆକ୍ଟ ଭଳି କଠୋର ଆଇନକୁ ପୁଲିସ ନିଜ ଅଣ୍ଟିରେ ପୂରାଇ ଦେଇଛି । ଅଭିଯୁକ୍ତଙ୍କୁ ଖୋଲା ଛାଡ଼ି ଆଇନର ଭକ୍ଷକ ସାଜିଛି । ତେବେ କାହିଁକି? ଉପରୁ ଚାପ ଅଛି ନା ପଣ୍ଡା କମ୍ପାନୀର ଓଟିଭି ଆଡକୁ ଯିବାକୁ ଡର ଲାଗୁଛି?
ଆହୁରି ଗମ୍ଭୀର କଥା, ଖୋଦ୍ ରାଜଧାନୀ ଛାତିରେ ଏତେବଡ଼ ଜଘନ୍ୟ ଅଭିଯୋଗ ଆସିଛି । ଅଥଚ ତଦନ୍ତରେ ପୁଲିସର ନିଷ୍କ୍ରିୟତା ରାଜ୍ୟ ସରକାରଙ୍କୁ ବିଚଳିତ କରୁନି । ନା ସରକାର, ନା ସରକାରୀ ଦଳର ଏଥିପ୍ରତି ଭାବନା କି ଉଦବେଗ ଅଛି । ପଚାରିଲେ କାହାର ପାଟି ଖୋଲୁନାହିଁ ।
ମୁଖ୍ୟ ବିରୋଧୀ ଦଳର ଅସମ୍ଭବ ନିରବତା ବି ସମସ୍ତଙ୍କୁ ଚକିତ କରୁଛି । ଏ ପ୍ରସଙ୍ଗରେ ବିଜେପି ନାରୀନେତ୍ରୀମାନଙ୍କ ପାଟି ଓ ଟୁଇଟର ହାଣ୍ଡଲ୍ ରେ ତାଲା ପଡ଼ିଯାଇଛି । ଟିଭି ଷ୍ଟୁଡ଼ିଓରେ ବସି ସରକାରଙ୍କ ନାରୀ ନିର୍ଯ୍ୟାତନା ବିରୋଧରେ ଭାଷଣ ଦେଉଥିବା ତଥାକଥିତ ବୁଦ୍ଧିଜୀବୀମାନଙ୍କର ମଧ୍ୟ ଦେଖାନାହିଁ । କାରଣ କ’ଣ? କ’ଣ ଅଭିଯୁକ୍ତମାନେ ପଣ୍ଡା କମ୍ପାନୀର ଓଟିଭି କର୍ମଚାରୀ ବୋଲି? ଏମଡି ଜାଗୀ ପଣ୍ଡାଙ୍କ ଉପରକୁ ଅଙ୍ଗୁଳି ଉଠିଛି ବୋଲି?
ଏହି ମାମଲାର ଅଭିଯୁକ୍ତମାନେ ଓଟିଭି ଚାନେଲ୍ ର ନ ହୋଇ ଯଦି ଅନ୍ୟ କେହି ହୋଇଥାନ୍ତେ? ବିଜେପି ବାଲା ଓ ଟିଭିରେ ନାଗୁଆ ବସୁଥିବା ତଥାକଥିତ ବୁଦ୍ଧିଜୀବୀମାନେ ପାଟି ଚୁପ୍ କରି ବସିଥାଆନ୍ତେ କି? ସରକାର ଓ ତାଙ୍କ ପୁଲିସବାହିନୀକୁ ପାଣି ପିଆଉ ନ ଥାଆନ୍ତେ କି?
ଏହା ନିଚ୍ଛକ ସତ ଯେ ଏହି ମାମଲାରେ ଓଟିଭି ଏମଡି ଓ କର୍ମଚାରୀଙ୍କ ସଂପୃକ୍ତି ଅଭିଯୋଗ ଆସିଥିବାରୁ ସମସ୍ତେ ଚୁପ୍ ବସିଛନ୍ତି । ରହସ୍ୟଜନକଭାବେ ମାମଲାକୁ ମିଳିମିଶି କବର ଦେବାକୁ ଉଦ୍ୟମ ଚାଲିଛି । ଗଣଦୁଷ୍କର୍ମର ଶିକାର ନାବାଳିକା ଓ ତାଙ୍କର ଅସହାୟ ମାଆ ପ୍ରତି କାହାର ସମବେଦନା ନାହିଁ ।
ଦୁଃଖ ଓ ଭୟରେ ଜୀବନ କାଟୁଥିବା ପୀଡ଼ିତା ଓ ତାଙ୍କ ପରିବାର ପାଇଁ ଏକମାତ୍ର ଶାନ୍ତ୍ୱନା ହୋଇଛନ୍ତି ରାଜ୍ୟ ଯୁବ କଂଗ୍ରେସ ନେତାଗଣ । ଅଭିଯୁକ୍ତଙ୍କୁ ଗିରଫ ଏବଂ ପୀଡ଼ିତାଙ୍କ ନ୍ୟାୟ ଦେବା ଦାବିରେ ଯୁବ କଂଗ୍ରେସ ପକ୍ଷରୁ ଦୁଇଦିନ ତଳେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଭାପତି ଓ ଅନ୍ୟ କର୍ମକର୍ତ୍ତାମାନେ ଆଜି କମିଶନରେଟ୍ ଅଫିସ୍ ସାମନାରେ ଧାରଣା ଦେଇଥିଲେ । ଅଭିଯୁକ୍ତଙ୍କୁ ଅତିଶୀଘ୍ର ଗିରଫ କରା ନ ଗଲେ ନିଆଁ ଜଳିବ ବୋଲି ଚେତାବନୀ ଦେଇଛନ୍ତି ।
ସେପଟେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ପୁଲିସକୁ ମାଗିଥିବା ରିପୋର୍ଟ ସମୟକୁ ଗଡ଼େଇ ଦେଇଛି ପୁଲିସ । ୩ ଦିନ ମଧ୍ୟରେ ତଦନ୍ତ ଅଗ୍ରଗତି ରିପୋର୍ଟ ଦେବାକୁ ଥିଲା ବେଳେ କରୋନାର ଆଳ ଦେଖାଇ ୩ ସପ୍ତାହ ମାଗିଥିଲା କମିଶନରେଟ୍ ପୁଲିସ । ମାତ୍ର ଦୁଇ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ରଖିବାକୁ କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି ।
ସେହିଭଳି ରାଜ୍ୟ ମହିଳା କମିଶନ ମଧ୍ୟ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ନାବାଳିକା ଝିଅ ଉପରେ ଗଣଦୁଷ୍କର୍ମର କାହାଣୀକୁ ମହିଳା କମିଶନ ଅଧ୍ୟକ୍ଷାଙ୍କଠାରେ ଲିଖିତ ଭାବେ ଜଣାଇଥିଲେ ତାଙ୍କ ମାଆ । ଓଟିଭି ଏମଡିଙ୍କୁ ମାମଲା ସମ୍ପର୍କରେ ସେ ପ୍ରଥମରୁ ଜଣାଇଥିଲେ ମଧ୍ୟ ସମୟ ଗଡ଼ାଇ ସେ ଚାପିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ଆଣିଥିଲେ ।
ଏମଡି ଓ ତାଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ୍ ବାର୍ତ୍ତଳାପର ଅଡିଓ କ୍ଲିପ୍ ଦାଖଲ କରିଥିଲେ । ମହିଳା କମିଶନ ଅଧ୍ୟକ୍ଷା ମାମଲାକୁ ଗୁରୁତର ସହ ଗ୍ରହଣ କରିଛନ୍ତି । ଆସନ୍ତା ୨୧ ତାରିଖ ଦିନ ୧୧ଟା ବେଳେ ଓଟିଭି ଏମଡି ହାଜର ହୋଇ ପକ୍ଷ ରଖିବାକୁ କମିଶନ ଆଜି ନୋଟିସ୍ ଜାରି କରିଛନ୍ତି ।
ପୂର୍ବରୁ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ଓଟିଭି ଏମଡିଙ୍କଠାରୁ ଜବାବ ମାଗି ୪୮ ଘଣ୍ଟାର ମହଲତ୍ ଦେଇଥିଲେ ମଧ୍ୟ ଏମଡି ଜାଗୀ ପଣ୍ଡା ତାହାକୁ ଭ୍ରୃକ୍ଷେପ କରିନାହାନ୍ତି । ବରଂ ଅଫିସ କର୍ମକର୍ତ୍ତାଙ୍କ ସହ ପୀଡ଼ିତା ମାଆଙ୍କର ଟେଲିଫୋନ୍ କଥାବାର୍ତ୍ତାର ଅଡିଓ କ୍ଲିପ୍ ପୁଲିସକୁ ଦିଆ ନ ଯାଇ ତାଙ୍କ ଟିଭି ଚାନେଲ୍ ରେ ପ୍ରସାରଣ କରାଯାଇଛି ।
ଅଭିଯୋଗକୁ ମିଛ କହି ଓଲଟି ଅଭିଯୋଗକାରିଣୀଙ୍କୁ ଓଲଟି ଦୋଷୀ ସଜାଇବାକୁ ଉଦ୍ୟମ କରାଯାଇଛି । ଏଥିପାଇଁ ଆଜି ଚାନେଲ୍ ର ଇନପୁଟ୍ ଅଡିଟରଙ୍କୁ ମହିଳା ଥାନା ପୁଲିସ ଡାକି ଜେରା କରିଛି ।