ଭବାନୀପାଟଣା/ ଭୁବନେଶ୍ୱର: ତାମିଲନାଡୁର କୋଏମ୍ବାଟୁର ସହରରେ ମୃତ୍ୟୁବରଣ କରିଥିବା କଳାହାଣ୍ଡିର ଯୁବକ ଗଜେନ୍ଦ୍ର ନାୟକଙ୍କ ମରଶରୀରକୁ ଫେରି ପାଇଛନ୍ତି ତାଙ୍କ ପରିବାର ଲୋକ । ‘ଓଡ଼ିଶା-ମୋ ପରିବାର’ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଆଜି ଭୋର ୩ଟାରେ ଶବ ଗାଁରେ ପହଞ୍ଚିବା ପରେ ସତ୍କାର କରାଯାଇଛି ।
ଘଟଣାରୁ ପ୍ରକାଶ ଯେ କୋଏମ୍ବାଟୁର ସହରରେ ଥିବା ଏକ ଚାହା କମ୍ପାନୀରେ ଗଜେନ୍ଦ୍ର ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗତ ସୋମବାର ଦିନ ସେ କାମ କରୁଥିବା ଅବସ୍ଥାରେ ହୃଦଘାତ୍ ର ଶିକାର ହୋଇଥିଲେ । ହସ୍ପିଟାଲ୍ ନେବା ବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଗଜେନ୍ଦ୍ରଙ୍କର ମୃତ୍ୟୁ ଖବର କଳାହାଣ୍ଡିରେ ଥିବା ତାଙ୍କ ପରିବାର ଲୋକ ପାଇବା ପରେ ଚଡ଼କ ପଡ଼ିଗଲା । ଗୋଟିଏ ପଟେ ରୋଜଗାରିଆ ପୁଅକୁ ହରାଇବାର ଦୁଃଖ ତ ଅନ୍ୟପଟେ ଶବ ଘରକୁ ଆଣିବାର ଅସାମର୍ଥ୍ୟତା, ଏହି ଅସହାୟ ଗରିବ ପରିବାରକୁ ଅନ୍ଧାର କରିଦେଲା ।
ତେବେ କୋଏମ୍ବାଟୁରରେ ଏହି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଏବଂ ସେମାନଙ୍କ ପରିବାରବର୍ଗଙ୍କ ଅସହାୟତା ସମ୍ପର୍କରେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର କୌଣସି ସୂତ୍ରରୁ ଖବର ପାଇ ତୁରନ୍ତ ‘ଓଡ଼ିଶା-ମୋ ପରିବାର’ କୁ ଜଣାଇଥିଲେ । ଆଉ ‘ଓଡ଼ିଶା-ମୋ ପରିବାର’ ପକ୍ଷରୁ ଶବକୁ ସେମାନଙ୍କ ପରିବାର ପାଖକୁ ଫେରାଇ ଗାଁରେ ସତ୍କାର ପାଇଁ ତତ୍କାଳ ବ୍ୟବସ୍ଥା କରାଯାଇଥିଲା । କୋଏମ୍ବାଟୁରରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନସ୍ ଯୋଗେ ଶବ ଅଣାଯାଇଥିଲା ।
କଳାହାଣ୍ଡିରେ ଗଜେନ୍ଦ୍ରଙ୍କ ଶବ ପହଞ୍ଚିବା ବେଳେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ତାଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗଦେଇ ପରିବାର ଲୋକଙ୍କୁ ଶାନ୍ତ୍ୱନା ଦେଇଥିଲେ । ପରିବାରର ଶେଷ ଦର୍ଶନ ପରେ ସମସ୍ତଙ୍କ ଉପସ୍ଥିତିରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି । ଓଡ଼ିଶା-ମୋ ପରିବାରର ଏହି ମାନବୀୟ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି ।
ସୂଚନାଥାଉକି, ତାମିଲନାଡୁର ଏକ ରାଇସ୍ ମିଲ୍ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ନବରଙ୍ଗପୁର ଜିଲ୍ଲା ତେଲିପଡ଼ା ଗାଁର କ୍ରିଷ୍ଣା ହରିଜନ(୨୩) ଙ୍କର ନିକଟରେ ମୃତ୍ୟୁ ହୋଇଥିଲା । ଶବ ଘରକୁ ଫେରାଇ ଆଣିବାକୁ କ୍ରିଷ୍ଣାଙ୍କ ଗରିବ ଅସହାୟ ପରିବାର ହାହାକାର ହେଉଥିଲା ବେଳେ ଦେବଦୂତ ସାଜିଥିଲେ ‘ଓଡ଼ିଶା-ମୋ ପରିବାର’ । ଓଡ଼ିଶା-ମୋ ପରିବାର ସହଯୋଗରେ ଚେନ୍ନାଇରୁ ଶବ ନବରଙ୍ଗପୁର ତାଙ୍କ ଗାଁ କୁ ଅଣାଯାଇ ସତ୍କାର କରାଯାଇଥିଲା ।