ଭୁବନେଶ୍ୱର: ପିପିଲି-ଡେଲାଙ୍ଗ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ଏଥିରେ ରାସ୍ତାଘାଟଠାରୁ ଆରମ୍ଭ କରି ଜଳସେଚନ, ଷ୍ଟାଡିୟମ୍, ସେତୁ, ବସଷ୍ଟାଣ୍ଡ ଆଦିର ବିକାଶ କରାଯିବ । ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପିପିଲି-ଡେଲାଙ୍ଗ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଏହି ଘୋଷଣା କରିଛନ୍ତି ।
‘ମୁଁ ସବୁବେଳେ ଗାଁର ବିକାଶ ଉପରେ ଫୋକସ୍ କରି ଆସିଛି । ମହିଳା ଓ ଚାଷୀଙ୍କ କଲ୍ୟାଣ ଉପରେ ଫୋକସ୍ କରିଆସିଛି । ଗରିବ ଲୋକଙ୍କ ମୁହଁରେ ହସ ମୋତେ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ’ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ବିକାଶର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚାଇବା ଏବଂ ସାଧାରଣ ଲୋକକୁ ତା’ର ହକ୍ ଦେବା ପାଇଁ ସେ କାମ କରୁଛନ୍ତି ଓ କାମ କରିଚାଲିବେ ବୋଲି କହିଥିଲେ ।
ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପାଳନ କରୁଛେ । ମାର୍ଚ୍ଚ ୨୩ ତାରିଖ ୧୯୨୧ରେ ଗାନ୍ଧୀଜୀ ପ୍ରଥମେ ଓଡିଶା ଆସିଥିଲେ । ୧୯୩୮ରେ ସେ ଡେଲାଙ୍ଗର ବେରବୋଇ ଆସିଥିଲେ ଏବଂ ଏହିଠାରେ କୃଷି ଓ ଗ୍ରାମୋଦ୍ୟୋଗର ପ୍ରଦର୍ଶନୀରେ ଭାଗ ନେଇଥିଲେ । ଗାନ୍ଧୀଜୀଙ୍କ ଆଦର୍ଶ ସବୁବେଳେ, ବିଶେଷ କରି ବର୍ତ୍ତମାନ ସମୟରେ ଆମ ପାଇଁ ଖୁବ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ବେରବୋଇରେ ଏକ ଆଦର୍ଶ ବିଦ୍ୟାଳୟ ତଥା ଗାନ୍ଧିଜୀଙ୍କ ସ୍ମୃତି ପୀଠର ବିକାଶ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା କହିଥିଲେ ।
ଏହି ଅବସରରେ ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କୁ ମୁଖ୍ୟମନ୍ତ୍ରୀ ମନେ ପକାଇ ତାଙ୍କର ସ୍ମୃତିଚାରଣ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଦୁଃଖର କଥା ଆପଣଙ୍କର ପ୍ରିୟ ବିଧାୟକ ପ୍ରଦୀପ ବାବୁ ଆଜି ଆମ ଗହଣରେ ନାହାନ୍ତି । ଗତ ୩୦ ବର୍ଷରୁ ଅଧିକ ସମୟ ଧରି ପିପିଲି-ଡେଲାଙ୍ଗର ବିକାଶ ସହ ସେ ଯୋଡି ହୋଇ ରହିଥିଲେ । ଆପଣମାନଙ୍କ ଭଲମନ୍ଦ, ସୁଖଦୁଃଖ ସବୁଥିରେ ସେ ଆପଣମାନଙ୍କ ସହ ରହିଥିଲେ । ଅଞ୍ଚଳର ବିକାଶ ପାଇଁ ସେ ସାରା ଜୀବନ କାମ କରିଯାଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମ ପାଇଁ ଲୋକସେବା ଭବନ ସମେତ ପିପିଲି ଓ ଡେଲାଙ୍ଗରେ ଦୁଇଟି ସଭାର ଆୟୋଜନ କରାଯାଇଥିଲା । ଲୋକସେବା ଭବନରୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଭାଷଣ ଦେଇଥିଲା ବେଳେ ପିପିଲିଠାରେ ଆୟୋଜିତ ସଭାରେ ମନ୍ତ୍ରୀ ସମୀର ଦାଶ ଏବଂ ଡେଲାଙ୍ଗ ସଭାରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱର୍ଗତ ମହାରଥୀଙ୍କ ପତ୍ନୀ କିମ୍ବା ପୁଅଙ୍କୁ ଦେଖିବାକୁ ମିଳି ନ ଥିଲା ।
ଏହି ଅବସରରେ ପିପିଲିଠାରେ ୧୭୬୧ ଜଣଙ୍କୁ ରାସନ କାର୍ଡ, ୩୦୫୯ ଜଣଙ୍କୁ ଭତ୍ତା ଏବଂ ଭିନ୍ନକ୍ଷମ ମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ସେହିପରି ଡେଲାଙ୍ଗଠାରେ ୩୨୦ ଜଣଙ୍କୁ ରାସନ କାର୍ଡ, ୧୨୩୦ ଜଣଙ୍କୁ ଭତ୍ତା ଏବଂ ୨୦ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା ।
ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ପୁରୀ ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁରୀ ସାଂସଦ ପିନାକୀ ମିଶ୍ର, ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରତାପ କେଶରୀ ଦେବ, ଉମାକାନ୍ତ ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିକାଶ ସମ୍ପର୍କୀତ ଏକ ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।
ବିରୋଧୀଙ୍କ ସମାଲୋଚନା: ପିପିଲି-ଡେଲାଙ୍ଗ ଅଞ୍ଚଳବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କର ୬୮ କୋଟି ଟଙ୍କା ପ୍ୟାକେଜ୍ ଘୋଷଣାକୁ ବିଜେପି ଓ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି । ଆଗକୁ ଉପନିର୍ବାଚନ ଭୋଟ ହାତେଇବା ପାଇଁ ଏହା ଅଞ୍ଚଳବାସୀଙ୍କ ପାଇଁ ଲଲିପପ୍ ବୋଲି ଅଭିଯୋଗ କରିଛନ୍ତି । ବିଜେପୁର, ପାଟକୁରା, ତିର୍ତ୍ତୋଲ ଓ ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଉପନିର୍ବାଚନୀ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।