ନୂଆଦିଲ୍ଲୀ: ଓଡ଼ିଆ ଆଇପିଏସ୍ ଅଫିସର ସତ୍ୟ ନାରାୟଣ ପ୍ରଧାନଙ୍କୁ ମିଳିଛି ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଭାରତ ସରକାରଙ୍କ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)ର ଡିଜି ଭାବେ ତାଙ୍କୁ ଅତିରିକ୍ତ ନିଯୁକ୍ତି ମିଳିଛି । ବିଦାୟୀ ଡିଜି ରାକେଶ ଆସ୍ଥାନଙ୍କଠାରୁ ଆଜି ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ପ୍ରଧାନ ଏବେ ଏନଡିଆରଏଫ୍ ଡିଜି ପଦରେ ଅଛନ୍ତି ।
ଭୁବନେଶ୍ୱରରେ ଜନ୍ମିତ ଶ୍ରୀ ପ୍ରଧାନ ୧୯୮୮ ବ୍ୟାଚ୍ ଝାଡ଼ଖଣ୍ଡ କ୍ୟାଡର୍ ର ଆଇପିଏସ୍ ଅଧିକାରୀ । ଜଣେ ଦକ୍ଷ ଅଧିକାରୀ ଭାବେ ତାଙ୍କର ସୁନାମ ରହିଛି । ଜାତୀୟସ୍ତରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି । ୨୦୧୯ ଜାନୁଆରୀ ମାସରେ ଏନଡିଆରଏଫ୍ ଡିଜି ଦାୟିତ୍ୱ ପାଇଲା ପରେ ସେ ଏହାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଇ ପାରିଛନ୍ତି । ତାଙ୍କ ନେତୃତ୍ୱରେ ଏନଡିଆରଏଫ୍ ବେଶ୍ ପ୍ରଶଂସନୀୟ କାର୍ଯ୍ୟ କରିଆସୁଛି ।
ଏନସିବି ଡିଜିର ଅତିରିକ୍ତ ଦାୟିତ୍ୱଭାର ଗ୍ରହଣ କରିଥିବା ଶ୍ରୀ ପ୍ରଧାନ ସଂସ୍ଥାର ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ଓଡ଼ିଶା ଏବଂ ଉତ୍ତର ପୂର୍ବାଞ୍ଚଳକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି ।