ଭୁବନେଶ୍ୱର: କେନ୍ଦ୍ର ଅବହେଳା ପ୍ରସଙ୍ଗରେ ପୁଣି ସ୍ୱର ଉଠାଇବ ବିଜେଡ଼ି । ଦେଢ଼ବର୍ଷ ଧରି ରହି ଏ ପ୍ରସଙ୍ଗରେ ଏକ ପ୍ରକାର ନିରବ ରହିଥିବା ଦଳ ଏବେ ପୁଣିଥରେ ଯୁଦ୍ଧ ଡାକରା ଦେଇଛି । ଆଜି ଅନୁଷ୍ଠିତ ବିଜେଡ଼ି ନୂଆ ରାଜ୍ୟ କାର୍ଯ୍ୟକାରିଣୀର ପ୍ରଥମ ବୈଠକରେ ଏହା ମୁଖ୍ୟ ପ୍ରସଙ୍ଗ ହୋଇଛି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ, ସ୍ୱାମୀନାଥନ୍ କମିଟି ସୁପାରିଶ ଅନୁଯାୟୀ ଏମଏସପି ଧାର୍ଯ୍ୟ ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଦଳ ନିଷ୍ପତ୍ତି ନେଇଛି ।
ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେଡ଼ି ହେଉଛି ଲୋକଙ୍କ ଦଳ, ଲୋକଙ୍କ ସେବାରେ ସମର୍ପିତ । ପ୍ରତିଦିନ ଲୋକଙ୍କ କାମ କରିବାକୁ କର୍ମକର୍ତ୍ତାଙ୍କୁ ନବୀନ ଆହ୍ୱାନ ଦେଇଥିଲେ ।
ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କ ସ୍ୱାଗତ ଭାଷଣରେ କହିଥିଲେ, ଦଳର ସଭ୍ୟ ସଂଖ୍ୟା ୧ କୋଟି ଟପିସାରିଛି । ତୃଣମୂଳସ୍ତରରେ ବିଜେଡ଼ିକୁ ଅଧିକ ସଂଗଠିତ କରାଯାଉଛି । ଦଳ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପ୍ରତିଦିନ ସାଧାରଣ ଲୋକଙ୍କ ଆସ୍ଥା ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦଳ ଆଜି ମୁଣ୍ଡ ଟେକି ଛିଡ଼ା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଛବିକୁ କଦାପି ମଳିନ କରିବାକୁ ଦିଆଯିବ ନାହିଁ ଏବଂ ସାରା ରାଜ୍ୟରେ ବିଜେଡ଼ି ତଥା ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟ ଘରେ ଘରେ ପହଞ୍ଚାଇବାକୁ ପ୍ରଣବ ସଂକଳ୍ପ ଦେଇଥିଲେ ।
ବୈଠକରେ ଦଳର ସମ୍ବିଧାନରେ କିଛି ସଂଶୋଧନ କରାଯାଇଥିଲା । ଦଳର କର୍ମକର୍ତ୍ତା ନିଯୁକ୍ତିରେ ସୀମାରେଖାକୁ ଉଠାଇ ଦିଆଯାଇଛି । ସଭାପତିଙ୍କ ଉପରେ ଏହାର ପୂର୍ଣ୍ଣ ସ୍ୱାଧୀନତା ଛଡ଼ାଯାଇଛି । ଏଥିସହ ୯ଟି ରାଜନୈତିକ ପ୍ରସ୍ତାବ ପାରିତ ହୋଇଛି ।
କେନ୍ଦ୍ରର ଅବହେଳା ଓ ନକରାତ୍ମକ ଆଭିମୁଖ୍ୟ: କେନ୍ଦ୍ର ଅବହେଳା ଓ ନକରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶର ବାଧକ । ଏସବୁ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ଦିଗଦର୍ଶନ ପାଇଁ ରାଜ୍ୟର ସମସ୍ତ ଲୋକାଭିମୁଖୀ କାର୍ଯ୍ୟ ଜାରି ରହିଛି ଏବଂ ଆଗକୁ ଜାରି ରହିବ ।
ପ୍ରାକୃତିକ ଦୁର୍ବିପାକ: ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ରାଜ୍ୟକୁ ବାରମ୍ବାର ଆଘାତ ଦେଇଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଏହାକୁ ସଠିକ ଭାବେ ମୁକାବିଲା କରିପାରିଛନ୍ତି । ତେବେ ଏ ଦିଗରେ କେନ୍ଦ୍ର ସରକାରଙ୍କ ଅବହେଳା ବରଦାସ୍ତ କରାଯିବ ନାହିଁ ।
କୃଷି ଓ କୃଷକଙ୍କୁ ଅଗ୍ରାଧିକାର: କୃଷି ଓ କୃଷକଙ୍କ ଅଗ୍ରାଧିକାର ତଥା ସାମଗ୍ରିକ ବିକାଶ ପାଇଁ ବିଜେଡ଼ି ସଦାସର୍ବଦା କାର୍ଯ୍ୟ କରି ଆସିଛି । ସ୍ୱାମୀନାଥନ୍ କମିଟି ସୁପାରିଶ ଅନୁସାରେ ଏମଏସପି ପାଇଁ ଲଢ଼େଇ ଜାରି ରହିବ ।
ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା: ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାଇଁ ସମ୍ପୂର୍ଣ୍ଣ ହକଦାର । କିନ୍ତୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବା ସତ୍ତ୍ୱେ ବାରମ୍ବାର ପ୍ରତାରଣା କରୁଛି । ତେଣୁ ଆଗକୁ କିଭଳି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବ ସେଥିପାଇଁ ଲଢ଼େଇ ଜାରି ରହିବ ।
ମହିଳା ସଶକ୍ତିକରଣ: ମହିଳାମାନଙ୍କୁ ସଶକ୍ତ କରିବା ଅଭିଯାନ ଜାରି ରହିବ । ରାଜ୍ୟରେ ପଞ୍ଚାୟତ ବ୍ୟବସ୍ଥାରେ ମହିଳାମାନଙ୍କୁ ସଂରକ୍ଷଣ ଦିଆଯାଇଛି । ବିଧାନସଭା ଓ ସଂସଦରେ ୩୩% ସଂରକ୍ଷଣ ପାଇଁ ଦାବି ହୋଇଛି । ଏହି ସ୍ୱର ଆହୁରି ଶାଣିତ ହେବ ।
ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ସୁରକ୍ଷା: ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ଦଳ ସଂକଳ୍ପବଦ୍ଧ । ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଦାବି ଜାରି ରହିବ ।
ଓଡ଼ିଶାର ବରପୁତ୍ରମାନଙ୍କ ଗାଁ ହେବ ଆଦର୍ଶ ଗ୍ରାମ: ଓଡ଼ିଶାର ବରପୁତ୍ରମାନଙ୍କ ଗାଁମାନଙ୍କୁ ଆଦର୍ଶ ଗ୍ରାମ ହିସାବରେ ଗ୍ରହଣ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗଙ୍କ ପୂର୍ଣ୍ଣ ସଶକ୍ତିକରଣ: ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପୂର୍ଣ୍ଣ ସଶକ୍ତିକରଣ ପାଇଁ ପ୍ରସ୍ତାବ ହୋଇଛି । ଦଳର ବିଭିନ୍ନ ସାମ୍ମୁଖ୍ୟ ତରଫରୁ ମଧ୍ୟ ସେମାନଙ୍କୁ ସଶକ୍ତ କରିବା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି ।
ପଛୁଆ ବର୍ଗର ବିକାଶ: ରାଜ୍ୟରେ କିଭଳି ପଛୁଆ ବର୍ଗଙ୍କ ବିକାଶ ହୋଇପାରିବ ସେଥିପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି ।
ବୈଠକରେ ୮୦ କାର୍ଯ୍ୟକାରିଣୀ ସଦସ୍ୟ, ନିମନ୍ତ୍ରିତ ଉପସଭାପତି ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଆସନ୍ତାକାଲି ବିଜେଡ଼ି ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ ।
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସମୀର
କେନ୍ଦ୍ର ବିରୋଧରେ ସ୍ୱର ଉଠାଇଥିବା ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ସରକାର ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । କହିଛନ୍ତି, ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାର ପ୍ରସାର ପାଇଁ କେନ୍ଦ୍ର ପଦକ୍ଷେପ ନେଇଛି । ମାତ୍ର କେନ୍ଦ୍ରର ପ୍ରତିବଦ୍ଧତାକୁ ଭୁଲ ଦର୍ଶାଇବା ପାଇଁ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ମିଛ କହୁଛନ୍ତି ।
ଦୁଇ ଦଶନ୍ଧି ଧରି ଶାସନକ କରୁଥିଲେ ବି ରାଜ୍ୟର ବିକାଶ ହୋଇନି । ବରଂ ମୋଦି ସରକାରରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଓ ଅନୁଦାନ ଦିଆଯାଇଛି । ସେଥିପାଇଁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଗୁରୁତ୍ୱ ରଖୁନାହିଁ ।
ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ଓ ଅସ୍ମିତା କଥା କହୁଥିଲା ବେଳେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ୨୦ ବର୍ଷ ନେଲେ । ସତ୍ୟବାଦୀରେ ଭିତ୍ତିପ୍ରସ୍ତର ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ କେବେ ହେବ ଏବଂ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କେବେ ହେବ ବୋଲି ପ୍ରଶ୍ନ କରିଛନ୍ତି ସମୀର ।