ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରିରେ ନାଇଟ୍ କର୍ଫ୍ୟୁ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଥିବା ବେଳେ ପଡୋଶୀ ଛତିଶଗଡ଼ ଆମ ପାଇଁ ଅଧିକ ବିପଦର ଆଶଙ୍କା ବଢ଼ାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ଟି ସୀମାନ୍ତବର୍ତ୍ତୀ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ଏହାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏପ୍ରିଲ୍ ୫ ଅର୍ଥାତ ଆସନ୍ତା ସୋମବାରଠାରୁ ଏହି କଟକଣା ଲାଗୁ ହେବ । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କଟକଣା ରହିବ ।
ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି । ପଡୋଶୀ ରାଜ୍ୟରୁ ସଂକ୍ରମଣ ଯେଭଳି ନ ବ୍ୟାପେ ସେଥିଲାଗି ଦକ୍ଷିଣ ଏବଂ ଦକ୍ଷିଣ-ପଶ୍ଚିମ ସୀମାନ୍ତ ଏହି ଜିଲ୍ଲାଗୁଡ଼ିକରେ ବର୍ତ୍ତମାନ ପାଇଁ ନାଇଟ୍ କର୍ଫ୍ୟୁକୁ ସମ୍ଭବତଃ ଉତ୍ତମ ବିକଳ୍ପ ବିଚାର କରାଯାଇଛି ।
ନାଇଟ୍ କର୍ଫ୍ୟୁ ବେଳେ ଜରୁରୀକାଳୀନ ସେବା ଜାରି ରହିବ । କାରଖାନା ଖୋଲା ରହିବା ସହ ନିର୍ମାଣ କାର୍ଯ୍ୟ ଜାରି ରହିବ । ଯାତାୟତ ପାଇଁ ସରକାରୀ ବସ୍ ଏବଂ ଘରୋଇ ଟ୍ୟାକ୍ସିକୁ ଅନୁମତି ଦିଆଯାଇଛି । ତେବେ ଦୋକାନ, ବାଣିଜ୍ୟ ପ୍ରତିଷ୍ଠାନ, ଅଫିସ, ଅନୁଷ୍ଠାନ ବନ୍ଦ ରହିବ ବୋଲି ଏସଆରସି ଜାରି କରିଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ।