ଭୁୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେବାରେ ଲାଗିଛି । ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ଟପିଥିବା ବେଳେ ଆମ ରାଜ୍ୟରେ ୩ ହଜାର ମୁହାଁ ହୋଇଛି । ଏହି ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଠୋର ହୋଇଛନ୍ତି । ଆସନ୍ତାକାଲିଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ଛତିଶଗଡ଼ ସୀମାନ୍ତ ୧୦ଟି ଜିଲ୍ଲାରେ ପୂର୍ବରୁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିଲା ବେଳେ ଏବେ ଅବଶିଷ୍ଟ ୨୦ ଜିଲ୍ଲାର ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗିବ । ପୂର୍ବ ୧୦ ଜିଲ୍ଲାର ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ସମୟ ସଂଧ୍ୟା ୬ ରୁ ସକାଳ ୫ କରାଯାଇଛି । ପୂର୍ବରୁ ଏହା ରାତି ୧୦ ରୁ ସକାଳ ୬ ଥିଲା । ଅବଶିଷ୍ଟ ୨୦ ଜିଲ୍ଲା ସହରାଞ୍ଚଳରେ ରାତି ୯ରୁ ସକାଳ ୫ ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ତେବେ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍ ଦିଆଯାଇଛି ।
ଏଥିସହ ୧୦ ସୀମାନ୍ତ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରର ସହରାଞ୍ଚଳରେ ସପ୍ତାହାନ୍ତ ସଟଉାଡନ୍ ଘୋଷଣା କରାଯାଇଛି । ପ୍ରତି ଶନିବାର ଓ ରବିବାର ଏହି ଅଞ୍ଚଳ ସଟଡାଉନ୍ ରହିବ ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏଥିସହ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ।
- ଧାର୍ମିକ, ସାମାଜିକ, ରାଜନୈତିକ ସଭାସମିତି, ସମାବେଶ ହୋଇପାରିବ ନାହିଁ । ବାହାଘରରେ ସର୍ବାଧିକ ୫୦ ଏବଂ ଅନ୍ତେଷ୍ଟିକ୍ରିୟାରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ମିଳିବ । ବାହାଘର ଶୋଭାଯାତ୍ରାକୁ ଅନୁମତି ନାହିଁ ।
- ମନ୍ଦିରରେ ନୀତିକାନ୍ତି ହେବ, ମାତ୍ର ଭକ୍ତମାନଙ୍କ ପାଇଁ କଟକଣା ରହିବ । ଜିଲ୍ଲାପାଳମାନେ ଏହା ଉପରେ ନିଷ୍ପତ୍ତି ନେବେ ।
- କୋଚିଂ ଅନୁଷ୍ଠାନରେ ଅଫଲାଇନ୍ ପାଠପଢ଼ାକୁ ଅନୁମତି ନାହିଁ । ଯାହା ହେବ ଅନଲାଇନ୍ ରେ ।
- ବୈଷୟିକ,ମେଡ଼ିକାଲ୍ ଓ ପାରା ମେଡିକାଲ୍ ଶିକ୍ଷାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହେବ ।
- ସୋମବାରଠାରୁ ଆନ୍ତଃରାଜ୍ୟ ବସ୍ ସେବା ବନ୍ଦ ରହିବ । ରାଜ୍ୟ ଭିତରେ ଯାତ୍ରୀବାହୀ ଗାଡ଼ି ଚଳାଚଳ ପାଇଁ ଅନୁମତି । ମାତ୍ର ବସ୍ ରେ ଛିଡା ହୋଇ କେହି ଯାତ୍ରା କରିପାରିବେନି ।
- ଅଟୋରିକ୍ସା, ଟାକ୍ସିରେ ଡ୍ରାଇଭରଙ୍କୁ ମିଶାଇ ସର୍ବାଧିକ ୩ ଜଣ ଯାତ୍ରା କରିପାରିବେ ।
- ଫିଲ୍ମ ହଲ୍, ଥିଏଟର୍ ୫୦% ଦର୍ଶକରେ ଚାଲିବ ।
- ଯାତ୍ରା, ଅପେରାରେ ସର୍ବାଧିକ ୧୦୦୦ ଲୋକଙ୍କୁ ଅନୁମତି ।
- ୫୦% କର୍ମଚାରୀରେ ଚାଲିବ ସରକାରୀ ଅଫିସ୍ । ଘରୋଇ ଅଫିସ୍, ବ୍ୟାଙ୍କ ଯେତେ ସମ୍ଭବ କମ କର୍ମଚାରୀରେ କାମ କରିବେ ।
- ହାଟ, ବଜାରରେ ବାହାରେ ବିକୁଥିବା ଦୋକାନୀମାନେ ଛାଡ଼ି ଛାଡ଼ି ବସିବେ । ନାକ ଓ ପାଟିକୁ ସମ୍ପୂର୍ଣ୍ଣ ଘୋଡାଇବେ । ନିୟମ ଭାଙ୍ଗିଲେ ଦୋକାନୀଙ୍କ ଲାଇସେନସ୍ ବାତିଲ ହେବ ।
କୋଭିଡ୍ କଟକଣାକୁ ସମସ୍ତେ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟ ଶାସନ ସଚିବ ନିବେଦନ କରିଛନ୍ତି । ସାମାଜିକ ଦୂରତା ରଖନ୍ତୁ ଏବଂ ଖୋଲା ମୁହଁରେ କେହି କାହା ସହ କଥା ହୁଅନ୍ତୁ ନାହିଁ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ଖୁବ୍ ଜୋରରେ ବ୍ୟାପୁଥିବାରୁ ସମସ୍ତେ ସତର୍କ ଓ ସଚେତନ ହୁଅନ୍ତୁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।