ଭୁବନେଶ୍ୱର: ଆଇସିଏସଇ ଏବଂ ସିବିଏସଇ ଭଳି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏବର୍ଷର ଯୁକ୍ତ ଦୁଇ ପରୀକ୍ଷା ବାତିଲ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଜୀବନ ଆଗ, ଆଉ ସବୁ ପଛ । ଜୀବନ ସୁରକ୍ଷିତ ରହିଲେ ଆଗକୁ ଅନନ୍ତ ସମ୍ଭାବନା ରହିବ ଏବଂ ସମାଜ ଓ ସଭ୍ୟତା ଆଗକୁ ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସାରା ଦେଶରେ କୋଭିଡ ମହାମାରୀର ଦ୍ୱିତୀୟ ଲହର ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାମାନଙ୍କ ପାଠପଢା ଓ ଲୋକମାନଙ୍କର ଜୀବନଜୀବିକା । କିନ୍ତୁ ଏସବୁ ଠାରୁ ଉର୍ଦ୍ଧ୍ବରେ ରହିଛି ମଣିଷ ଜୀବନର ସୁରକ୍ଷା । ତେଣୁ ଆମ ଦେଶ ଓ ଜାତିର ଭବିଷ୍ୟତ, ଆମ ପିଲାମନଙ୍କର ସ୍ବାସ୍ଥ୍ୟ ସୁରକ୍ଷା ପରୀକ୍ଷା ଠାରୁ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ । ପରୀକ୍ଷା କରାଯାଇଥିଲେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ । ତେଣୁ ଛାତ୍ର ସମାଜର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷା ବାତିଲ ସଂକ୍ରାନ୍ତୀୟ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଦ୍ବାଦଶ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଦକ୍ଷତାର ମୂଲ୍ୟାୟନ ବିଶେଷଜ୍ଞ ମାନଙ୍କ ପରାମର୍ଶକ୍ରମେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଉତ୍ତମ ଭାବରେ ନିର୍ଦ୍ଧାରିତ ମାପଦଣ୍ଡ ( Well Defined Objective Criteria ) ଦ୍ବାରା ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ମୂଲ୍ୟାୟନରେ ଯଦି କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେମାନେ ଚାହିଁଲେ ପରୀକ୍ଷା ଦେଇପାରିବେ ଏବଂ ପରିସ୍ଥିତିର ସମୀକ୍ଷା କରି ପରୀକ୍ଷା କେତେବେଳେ କରାଯିବ ତାହା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଣ୍ଣୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଥାଉକି, ଦୁଇଦିନ ତଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭର୍ଚୁଆଲ୍ ବୈଠକରେ ଯୁକ୍ତ ଦୁଇ ପରୀକ୍ଷା ନେଇ ଦନ ତମାମ ବିଚାର ବିମର୍ଷ ହୋଇଥିଲା । ବିଭାଗୀୟ ପ୍ରମୁଖ ସଚିବ, ବରିଷ୍ଠ ଅଧିକାରୀବୃନ୍ଦ ଏବଂ ଉଚ୍ଚ ମାଧ୍ୟମିକ ପରିଷଦର ଅଧିକାରୀମାନେ ଏଥିରେ ଯୋଗଦେଇଥିଲେ । ତେବେ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା । ପରୀକ୍ଷା ବାତିଲ ହେଲେ ବିକଳ୍ପ କ’ଣ କରାଯିବ ସେ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିଲା ।