ଭୁବନେଶ୍ୱର: ସବୁ କରୋନା ରୋଗୀ ହସ୍ପିଟାଲ୍ ଯିବାର ଆବଶ୍ୟକତା ନାହିଁ । ଯଦି ଲକ୍ଷଣ ନାହିଁ କିମ୍ବା ସାମାନ୍ୟ ଲକ୍ଷଣ ଅଛି ତେବେ ହୋମ୍ ଆଇସୋଲେସନ୍ ରହନ୍ତୁ । ଏଭଳି ଆକ୍ରାନ୍ତମାନେ ଘରେ ରହିଲେ ଉପଯୁକ୍ତ ସେବାଯତ୍ନ ପାଇପାରିବେ । ଆତ୍ମୀୟସ୍ୱଜନଙ୍କ ପରିସରରେ ରହିଲେ ମନୋବଳ ବଢ଼ିବ ଏବଂ ମାନସିକ ଭାବେ ସୁସ୍ଥ ରହିବେ । ହୋମ୍ ଆଇସୋଲେସନରେ ରହୁଥିବା ଆକ୍ରାନ୍ତମାନଙ୍କୁ ମାଗଣାରେ କିଟ୍ ଦିଆଯାଉଛି । ସେଥିରେ ଔଷଧ ସହ ଯାବତୀୟ ସୂଚନା, ପୁସ୍ତିକା, ଫୋନ୍ ନମ୍ବର ରହିଛି । ତେଣୁ ଭୟ କରିବାର ନାହିଁ ।
ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏହି ଆଶ୍ୱାସନା ଦିଆଯାଇଛି । ଏଥିସହ କରୋନା ସମ୍ପର୍କରେ ଅଧିକ ଜାଣିବା ପାଇଁ ୭ ଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏଥିରେ ଲୋକଙ୍କୁ ହ୍ୱାଟସଆପ ଜରିଆରେ କରୋନା ପରାମର୍ଶ ଦିଆଯିବ । ସେଥିଲାଗି ହ୍ୱାଟସଆପ୍ ନମ୍ବର ୯୯୩୭୫୬୪୦୬୬ ଜାରି କରାଯାଇଛି । ଦୈନିକ ଅପରାହ୍ନ ୩ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଲୋକେ ଏହି ନମ୍ବର ଜରିଆରେ ପ୍ରଶ୍ନ କରିପାରିବେ । ଅପରାହ୍ନ ସାଢ଼େ ୪ଟାରୁ ୫ଟା ଯାଏଁ ଡାକ୍ତର ଓ ବିଶେଷଜ୍ଞମାନେ ଏହାର ଉତ୍ତର ରଖିବେ ।
ସ୍ୱାସ୍ଥ୍ୟ ମିଶନ୍ ନିଦେ୍ର୍ଦଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଆଜି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, କରୋନାକୁ ନେଇ କେହି ଆତଙ୍କିତ ହୁଅନ୍ତୁ ନାହିଁ । ଓଡ଼ିଶା ଏବେ ଭଲ ସ୍ଥିତିରେ ଅଛି । ପ୍ରତିଦିନ ହାରାହାରି ୫୦ ହଜାର ଟେଷ୍ଟିଂ ହେଉଥିବା ବେଳେ ସଂକ୍ରମଣ ହାର କମ୍ ରହିଛି । ଅନ୍ୟପକ୍ଷରେ ୭୮% ଆରୋଗ୍ୟ ହାର ସହ ଓଡ଼ିଶା ଦେଶରେ ଅଗ୍ରଣୀ ସ୍ଥାନରେ ରହିଛି । ଆମ ରାଜ୍ୟରେ କୋଭିଡ୍ ମୃତ୍ୟୁହାର ୦.୪% ଯାହାକି ଦେଶରେ ସବୁଠୁ କମ୍ ।
ଦେଶକୁ କରୋନା ଆସିବାର ୯ ମାସ ମଧ୍ୟରେ ଅନେକ ଗବେଷଣା ହେଲାଣି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ସମସ୍ତ କରୋନା ଆକ୍ରାନ୍ତ ହସ୍ପିଟାଲ୍ ରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ । ଲକ୍ଷଣ ନ ଥିଲେ କିମ୍ବା ସାମାନ୍ୟ ଲକ୍ଷଣ ଥିଲେ ହୋମ୍ ଆଇସୋଲେସନରେ ରହି ଆରାମରେ ସୁସ୍ଥ ହୋଇପାରିବେ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୦% ଲୋକ ହୋମ ଆଇସୋଲେସନରେ ଅଛନ୍ତି । ସେମାନଙ୍କ ମଧ୍ୟରେ ବହୁ ମନ୍ତ୍ରୀ, ବିଧାୟକ, ପ୍ରଶାସକ ମଧ୍ୟ ଅଛନ୍ତି । ଆରୋଗ୍ୟ ହାର ବି ବହୁତ ଭଲ । ଯେ କୌଣସି ସମୟରେ ଡାକ୍ତରଙ୍କ ପରାମର୍ଶ ନେବାର ସୁଯୋଗ ଥିବାରୁ ଭୟ କରିବାର କାରଣ ନାହିଁ ବୋଲି ଶ୍ରୀମତୀ ପଣ୍ଡିତ କହିଥିଲେ ।
ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ଏବଂ ସ୍ୱାସ୍ଥ୍ୟ ବିଭାଗର ଅନ୍ୟତମ ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତି ହୋମ୍ ଆଇସୋଲେସନ ଉପରେ ବିସ୍ତୃତ ସୂଚନା ଦେଇଥିଲେ । ସେମାନଙ୍କ କହିବା କଥା, ହୋମ୍ ଆଇସୋଲେସନ୍ ଉଭୟ ଶାରୀରିକ ଓ ମାନସିକ ଦୃଷ୍ଟିରୁ ଭଲ । ଏହି ଆକ୍ରାନ୍ତମାନଙ୍କୁ ମାଗଣାରେ କିଟ୍ ଦିଆଯାଉଛି । କିଟ୍ ରେ ଔଷଧ ସହ ଯାବତୀୟ ସୂଚନା, ପୁସ୍ତିକା, ଫୋନ୍ ନମ୍ବର ଦିଆଯାଉଛି । ୧୦ ଦିନ ଆଇସୋଲେସନ ଓ ୭ ଦିନ କ୍ୱାରେଣ୍ଟାଇନରେ ରହିବେ । ହୋମ ଆଇସୋଲେସନରେ ଥିବା ବେଳେ ଲକ୍ଷଣ ଜାଣିଲେ ଡାକ୍ତରଙ୍କୁ ଜଣାଇପାରିବେ ।
ହୋମ୍ ଆଇସୋଲେସନରେ ରହୁଥିବା ରୋଗୀ ପ୍ରଚୁର ପାଣି ପିଇବାକୁ ସେମାନେ ପରାମର୍ଶ ଦେଇଛନ୍ତି । ଆମେ ସଚେତନ ହେଲେ କରୋନା ହାରିବ, ଆମେ ନିଶ୍ଚିତ ଜିତିବା ବୋଲି କହିଛନ୍ତି ।