ଭୁୁବନେଶ୍ୱର: ବହୁ ପ୍ରତୀକ୍ଷିତ କରୋନା ଟିକା ପହଞ୍ଚିଛି ଓଡ଼ିଶାରେ । ପ୍ରଥମ ପର୍ଯ୍ୟାୟରେ କୋଭିସିଲଡ୍ ର ୪ ଲକ୍ଷ ୮ ହଜାର ଡୋଜ୍ ଆସିଛି । ଆଜି ପୁନେରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସିଥିବା ଟିକା ଭୁବନେଶ୍ୱରରେ ପହଞ୍ଚିବା ପରେ ଜିଲ୍ଲାଗୁଡ଼ିକୁ ବିତରଣ ଆରମ୍ଭ ହୋଇଯାଇଛି । ଆସନ୍ତା ୧୬ ତାରିଖରୁ ଟିକାକରଣ କାର୍ଯ୍ୟ ଆରମ୍ଭ ହେବ ।
ପୁନେ ସେରମ୍ ଇନଷ୍ଟୁିଚ୍ୟୁଟ୍ ରୁ କୋଭିସିଲଡ୍ ଡୋଜ୍ ନେଇ ଆସିଥିବା ସ୍ପାଇସ୍ ଜେଟ୍ ବିମାନ ଅପରାହ୍ନ ୩.୪୦ ମିନିଟ୍ ରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଥିଲା । କରୋନା ଟିକା ଆସୁଥିବାରୁ ବିମାନବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । କଡ଼ା ପୁଲିସ ସୁରକ୍ଷା ବଳୟ ଭିତରେ ତିନୋଟି ଭ୍ୟାକସିନ୍ ଭ୍ୟାନ୍ ରେ ସେଗୁଡ଼ିକୁ ରାଜ୍ୟ ଔଷଧ ନିଗମସ୍ଥିତ ଭ୍ୟାକସିନ୍ ଷ୍ଟୋର୍ କୁ ଅଣାଯାଇଥିଲା ।
ଟ୍ରାଫିକ୍ କଟକଣା ସହ ସାଇରନ୍ ମାରି ପୁଲିସ ଏସକର୍ଟରେ ଭ୍ୟାକସିନ୍ ଭ୍ୟାନ୍ ଆସୁଥିବା ବେଳେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଭ୍ରମରେ ପଡିଥିଲେ ରାଜଧାନୀବାସୀ । ସାଙ୍ଗକୁ ଗଣମାଧ୍ୟମର ଲାଇଭ୍ କଭରେଜ୍ ଦେଖୁଥିବା ଲୋକେ କରୋନା ଟିକାକୁ ନେଇ କମ୍ ଆଶ୍ୱସ୍ତ ଓ ବେଶୀ ଛାନିଆଁ ହୋଇପଡୁଥିବା ଲକ୍ଷ୍ୟ କରାଯାଇଥିଲା ।
ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ୮୦୦ ଭାଇଲସ ବା ଛୋଟ ସିସି ଆସିଛି । ଗୋଟେ ସିସିରେ ଥିବା ୫ ଏମଏଲ ରେ ୧୦ ଜଣଙ୍କୁ ସିଙ୍ଗଲ୍ ଡୋଜ୍ ଦିଆଯାଇପାରିବ । ତେଣୁ ଡୋଜ୍ ହିସାବରେ ୪ ଲକ୍ଷ ୮ ହଜାର ଡୋଜ୍ ରହିଛି । ଏଥିରେ ୧ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ ଟିକା ଦିଆଯାଇପାରିବ ।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀ, କୋଭିଡ୍ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯିବ । ୧୬ ତାରିଖରୁ ଆରମ୍ଭ ହେଉଥିବା ଟିକାକରଣ ପାଇଁ ସାରା ରାଜ୍ୟରେ ୧୬୦ ଟି କେନ୍ଦ୍ର ନିରୁପଣ କରାଯାଇଛି । ଆବଶ୍ୟକ ପଡ଼ିଲେ ଏହାକୁ ବୃଦ୍ଧି କରାଯିବ । ଭୁବନେଶ୍ୱରରେ କ୍ୟାପିଟାଲ୍ ହସ୍ପିଟାଲ୍, ୟୁନିଟ୍-୪ ହସ୍ପିଟାଲ୍, ବିଏମସି ହସ୍ପିଟାଲ୍, ସମ୍ ହସ୍ପିଟାଲ୍ ଏବଂ କିମସ୍ ହସ୍ପିଟାଲ୍ ରେ ଟିକା ଦିଆଯିବ ।
ସୂଚନାଥାଉକି, କରୋନା ଟିକାକୁ ନେଇ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଯାଏଁ ସମସ୍ତେ ଖୁସି ଓ ଉତ୍ସାହିତ ଥିଲେ ମଧ୍ୟ ଟିକାକରଣ ପର୍ବର ବିରାଟ ଆୟୋଜନ ଅନେକଙ୍କୁ ଛାନିଆଁ କଲାଣି । କରୋନା ଟିକା ସେମାନଙ୍କୁ ଆଶ୍ୱସ୍ତ ଆଣିଥିଲେ ମଧ୍ୟ ଉପଯୁକ୍ତ ସରକାରୀ ସଚେତନତା ଅଭାବରୁ ମନରେ କେଉଁଠି ନା କେଉଁଠି ସଂଶୟ ସୃଷ୍ଟି କରୁଛି । କରୋନା ଟିକା ସମ୍ପର୍କରେ ସଠିକ୍ ତଥ୍ୟ ଦେଇ ଲୋକଙ୍କ ମନରେ ଥିବା ଭ୍ରମ ଦୂର କରାଯିବା ନିହାତି ଆବଶ୍ୟକ ବୋଲି ବିଭିନ୍ନସ୍ତରରୁ ମତ ଆସୁଛି ।
ଟିକା ପଞ୍ଜିକରଣ ନାଁରେ ସାଇବର ଠକେଇ
ବଜାରକୁ କରୋନା ଟିକା ଆସିବା ପରେ ସାଇବର ଠକ ସେମାନଙ୍କ ନୂଆ ଚାଲ୍ ଆରମ୍ଭ କରିଛନ୍ତି । ଲୋକମାନେ ଆଗ ଟିକା ନେବାକୁ ଆଗ୍ରହ ରଖିଥିବାରୁ ସାଇବର ଅପରାଧୀମାନେ ଏହି ସୁଯୋଗ ହାତଛଡ଼ା କରିବାକୁ ଚାହିଁନାହାନ୍ତି । ଟିକାକରଣ ପାଇଁ ପଞ୍ଜିକରଣ ନାଁରେ ଲୋକଙ୍କୁ ଲୁଟିବାକୁ ଜାଲ ବିଛାଇଛନ୍ତି ।
ପଞ୍ଜିକରଣ ନାଁରେ ସେମାନେ ଲୋକଙ୍କ ଆଧାର କାର୍ଡ ଓ ଇ-ମେଲ୍ ଆଇଡି ମାଗୁଛନ୍ତି । ପରେ ପରେ ଚାଲାକର ସହ ଓଟିପି ମାଗି ଆଧାର ଲିଙ୍କ୍ ଥିବା ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ କରୁଛନ୍ତି ।
କମିଶନରେଟ୍ ପୁଲିସ ପାଖରେ ଏଭଳି କିଛି ଅଭିଯୋଗ ପହଞ୍ଚିବା ପରେ ପୁଲିସ ତତ୍ପର ହୋଇଛନ୍ତି । ଜନସାଧାରଣ ଏଥିପ୍ରତି ସତର୍କ ରହିବାକୁ ଉଭୟ ଭୁବନେଶ୍ୱର ଓ କଟକ ଡିସିପି ଅନୁରୋଧ କରିଛନ୍ତି ।