କଟକ: ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ଦ୍ୱାରା ତଦନ୍ତରେ ଭଲ ଅଗ୍ରଗତି ହୋଇଥିବା ହାଇକୋର୍ଟ ହୃଦବୋଧ କରିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଏସ.ମୁରଲୀଧର ଏବଂ ବିଚାରପତି ଏସ.ପଣ୍ଡାଙ୍କ ବେଞ୍ଚ ଆଜି ମାମଲାର ଶୁଣାଣି କରିଥିଲେ ।
ଇତିମଧ୍ୟରେ ହାଇକୋର୍ଟରେ ଏସଆଇଟି ତଦନ୍ତର ତିନୋଟି ଷ୍ଟାଟସ୍ ରିପୋର୍ଟ ଦାଖଲ ହୋଇଛି । ଗତ ଡିସେମ୍ବର ୧୫ ତାରିଖରେ ପ୍ରଥମ ଷ୍ଟାଟସ୍ ରିପୋର୍ଟ ଦାଖଲ ହୋଇଥିଲା ବେଳେ, ଡିସେମ୍ବର ୨୩ ରେ ଦ୍ୱିତୀୟ ଷ୍ଟାଟସ୍ ରିପୋର୍ଟ ଏବଂ ଗତକାଲି ଜାନୁଆରୀ ୧୧ ତାରିଖରେ ତୃତୀୟ ଷ୍ଟାଟସ୍ ରିପୋର୍ଟ ଦାଖଲ ହୋଇଥିଲା । କ୍ରାଇମବ୍ରାଞ୍ଚ ଆଇଜିଙ୍କ ନେତୃତ୍ୱରେ ଏସଆଇଟି ତଦନ୍ତ ଭଲ ହୋଇଛି ବୋଲି ହାଇକୋର୍ଟ ମତ ଦେଇଛନ୍ତି ।
ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୫ ତାରିଖକୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।
ସୂଚନାଯୋଗ୍ୟ, ପରୀ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ନେବାର ୨୦ ଦିନ ଭିତରେ ଏସଆଇଟିକୁ ସଫଳତା ମିଳିଥିଲା । ପରୀର ପଡୋଶୀ ଜଣେ କଲେଜ ଛାତ୍ରକୁ ହତ୍ୟାକାରୀ ଭାବେ ଚିହ୍ନଟ କରି ଡିସେମ୍ବର ୨୦ ତାରିଖରେ ଗିରଫ କରିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏବଂ ତାଙ୍କ ଟିମ୍ । ପରୀକୁ ତଣ୍ଟି ଚିପି ମାରିଲା ପରେ ଅଭିଯୁକ୍ତ ଶବ ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ତାଙ୍କ ୨୨ ବର୍ଷର କ୍ୟାରିୟର୍ ରେ ଏଭଳି ଜଘନ୍ୟ ମାମଲା ଦେଖି ନ ଥିଲେ ବୋଲି ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।
ଅଭିଯୁକ୍ତର ଜନ୍ମ ସାର୍ଟିଫିକେଟ୍ ଯୋଗାଡ଼ କରିବାରେ ଏସଆଇଟି ବିଫଳ ହେବା ପରେ ଡାକ୍ତରୀ ପରୀକ୍ଷା ଆଧାରରେ ତାକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଅଭିଯୁକ୍ତ ପରିବାର ପକ୍ଷରୁ ଜନ୍ମଗତ ସାର୍ଟିଫିକେଟ୍ ଦାଖଲ କଲା ପରେ କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ କୁ ମାମଲା ସ୍ଥାନାନ୍ତର କରିଥିଲେ । ତାକୁ ନୟାଗଡ଼ ଜେଲ୍ ରୁ ଅନୁଗୁଳସ୍ଥିତ ବାଳ ସୁଧାର ଗୃହକୁ ପଠାଯାଇଥିଲା ।
ତେବେ ଗିରଫ ପୂର୍ବରୁ ଏହି ଅଭିଯୁକ୍ତ ଏସଆଇଟିକୁ ଚକମା ଦେବାକୁ ଉଦ୍ୟମ କରିଥିଲା । ନିଜକୁ ନିଦେ୍ର୍ଦାଷ ବୋଲାଇବା ପାଇଁ ନାନା ଫନ୍ଦି ଫିକର ଖେଳିଥିଲା । ଏପରିକି ବୋଥ୍ରାଙ୍କ ବିରୋଧରେ ଟଙ୍କା ଯାଚିବା ଅଭିଯୋଗ ଆଣିଥିଲା । ଦୁର୍ଭାଗ୍ୟ ଯେ ସଂପୃକ୍ତ ଅଭିଯୁକ୍ତକୁ ବିଜେପି ନିଦେ୍ର୍ଦାଷ ଦର୍ଶାଇ ଓଲଟି ବୋଥ୍ରାଙ୍କ ବିରୋଧରେ ଅପପ୍ରଚାର କରିଥିଲା । ସମ୍ଭବତଃ ଏହି ସୁଯୋଗରେ ମାମଲାରୁ ଖସିବା ପାଇଁ ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ରାଜି ହୋଇନି । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ମନା କରିବାରୁ କୋର୍ଟ ଅନୁମତି ଦେଇନାହାନ୍ତି ।