କଟକ: ସାରୁଅ ଜମି କେଳେଙ୍କାରୀ ମାମଲାରେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ ର ମାଲିକ ବୈଜୟନ୍ତ ପଣ୍ଡା ଓ ପତ୍ନୀ ଜାଗୀ ପଣ୍ଡାଙ୍କୁ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିଦେଇଛନ୍ତି । ଫଳରେ ମୁଖ୍ୟ ଅଭିଯୁକ୍ତ ପଣ୍ଡା ଦମ୍ପତ୍ତିଙ୍କ ଗିରଫ ରାସ୍ତା ସଫା ହୋଇଯାଇଛି । ତଦନ୍ତକାରୀ କ୍ରାଇବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ସେମାନଙ୍କୁ ଚାହିଁଲେ ସେମାନଙ୍କୁ ଗିରଫ କରିପାରିବେ । ସେଥିରେ ଆଉ ଅସୁବିଧା ନାହିଁ । ମାମଲାକୁ ରଦ୍ଦ କରିବା ଏବଂ ଅନ୍ତରୀଣ ସୁରକ୍ଷା ସମୟ ବଢ଼ାଇବାକୁ ଜାଗୀଙ୍କ ଆବେଦନକୁ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି ।
ସାରୁଅରେ ୨୨ ଜଣ ଦଳିତଙ୍କ ଜମିକୁ ହଡ଼ପ କରିଥିବାର ସାଂଘାତିକ ଅଭିଯୋଗ ଲାଗିଛି ପଣ୍ଡା ଦମ୍ପତ୍ତିଙ୍କ ବିରୋଧରେ । ଓରଟେଲ୍ ର ଡ୍ରାଇଭର ରବୀନ୍ଦ୍ର ସେଠୀଙ୍କୁ ମୋହରା କରି ସେମାନେ ଦଳିତଙ୍କ ଜମିକୁ ହାତେଇଛନ୍ତି । ୨୦୧୦ ରୁ ୨୦୧୩ ମସିହା ମଧ୍ୟରେ ରବୀନ୍ଦ୍ର ସେଠୀଙ୍କ ନାଁରେ ୨୦ ଲକ୍ଷ ଟଙ୍କାର ଦଳିତଙ୍କ ଜମି କିଣାଯାଇଥିଲା । ପରବର୍ତ୍ତୀ ସମୟ ଅର୍ଥାତ ୨୦୧୬ ରୁ ୨୦୧୯ ମଧ୍ୟରେ ଏହି ଜମି ପଣ୍ଡା ଦମ୍ପତ୍ତିଙ୍କର ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ କୁ ରବୀନ୍ଦ୍ର ସେଠୀ ୬୫ ଲକ୍ଷ ଟଙ୍କାରେ ବିକ୍ରୀ କରିଥିଲେ । ମାତ୍ର ବିକ୍ରେତା ରବୀନ୍ଦ୍ରଙ୍କ ଆକାଉଣ୍ଟ୍ ରେ କିଣାବିକାର କୌଣସି ପ୍ରମାଣ ନାହିଁ କି ଆକାଉଣ୍ଟ୍ କୁ ଟଙ୍କାଟିଏ ବି ଆସିନାହିଁ ।
ଓଏଲଆର ଆକ୍ଟ ରେ ଦଳିତଙ୍କ ଜମିକୁ କେବଳ ଦଳିତ କିଣିପାରିବେ ବୋଲି ନିୟମ ରହିଛି । ମାତ୍ର ସାରୁଅରେ ଦଳିତଙ୍କ ଜମିକୁ ନିଜ କମ୍ପାନୀ ନାଁରେ ବେଆଇନ ହାତେଇବାକୁ ବୈଜୟନ୍ତ ଓ ଜାଗୀ ଦଳିତ ଜାତିର ତାଙ୍କ କର୍ମଚାରୀ ରବୀନ୍ଦ୍ର ସେଠୀଙ୍କୁ ମୋହରା କରି ଏହି ଧ୍ରୃଷ୍ଟତା କରିଛନ୍ତି । ଅର୍ଥାତ ରବୀନ୍ଦ୍ରଙ୍କ ନାଁରେ ସାରୁଅ ଦଳିତ ଲୋକଙ୍କ ଜମି କିଣାଯାଇ ପରବର୍ତ୍ତୀ ସମୟରେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ସଂସ୍ଥା ହାତକୁ ଚାଲିଯାଇଛି । ଏହିସବୁ ବେଆଇନ କାରବାର ରବୀନ୍ଦ୍ରଙ୍କ ଅଜ୍ଞାତରେ କରାଯାଇଛି । ଚାକିରି ଚାଲିଯିବାର ଧମକ ଦିଆଯାଇ ତାଙ୍କଠାରୁ କେବଳ ଦସ୍ତଖତ ନିଆଯାଇଛି । ଖୋଦ୍ ରବୀନ୍ଦ୍ର ସେଠୀ ଏହା ସ୍ୱୀକାର କରି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇଛନ୍ତି । ଆଜି ରବୀନ୍ଦ୍ରଙ୍କ ଓକିଲ ମଧ୍ୟ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ।
ସାରୁଅ ଦଳିତଙ୍କ ଜମିକୁ ହାତେଇବାରେ ରବୀନ୍ଦ୍ର ସେଠୀ ମୋହରା ହୋଇଥିଲା ବେଳେ ବୈଜୟନ୍ତ ଓ ଜାଗୀଙ୍କ କମ୍ପାନୀ ପକ୍ଷରୁ ଏହି ସବୁ ବେଆଇନ କାରବାରରେ ମାମଲତିକାର ସାଜିଥିଲେ ସଂସ୍ଥାର ନିର୍ଦ୍ଦେଶକ ବିଭୁ ରଥ, ମନୋରଂଜନ ଷଡ଼ଙ୍ଗୀ, ନିହାର ଭୂୟାଁ । ଶିବ ଶ୍ରୀଚନ୍ଦନଙ୍କ ଭଳି କମ୍ପାନୀର ଏଜେଣ୍ଟମାନଙ୍କ ଜରିଆରେ ଦଳିତଙ୍କ ଜମି ହାତେଇବାର ଷଡ଼ଯନ୍ତ୍ର କାର୍ଯ୍ୟକାରୀ କରାଯାଇଥିଲା ।
ଇତିମଧ୍ୟରେ ମନୋରଂଜନ ଷଡ଼ଙ୍ଗୀ ଗିରଫ ହୋଇ ଜାମିନ୍ ପାଇଥିଲା ବେଳେ ବିଭୁ ରଥଙ୍କୁ କ୍ରାଇବ୍ରାଞ୍ଚ ଇଓଡବ୍ଲୁ ଦୁଇ ଦୁଇ ଥର ଜେରା କଲାଣି । ନିହାର ଭୂୟାଁଙ୍କୁ ସମନ୍ ହୋଇଥିଲେ ମଧ୍ୟ ସେ ସମୟ ମାଗି ଗିରଫ ଭୟରେ ହାଇକୋର୍ଟଙ୍କୁ ଆଗୁଆ ଜାମିନ୍ ଆବେଦନ କରିଛନ୍ତି । ଆସନ୍ତା ସୋମବାର ଦିନ ତାଙ୍କର ଶୁଣାଣି ହେବ । ଗିରଫ ହୋଇ ଜେଲ୍ ରେ ଥିବା ଶିବ ଶ୍ରୀଚନ୍ଦନଙ୍କର ଜାମିନ୍ ଆବେଦନ ମଧ୍ୟ ଶୁଣାଣି ହେବ ।
ରୋଚକ କଥା ହେଉଛି, ସଂସ୍ଥାର ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀଙ୍କୁ ଅନ୍ଧାରରେ ରଖି ଚତୁର ପଣ୍ଡା ଦମ୍ପତ୍ତି ଗତ ୫ ତାରିଖରେ ହାଇକୋର୍ଟରୁ ୧୨ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ଆଣିବାରେ ସମର୍ଥ ହୋଇଥିଲେ । ବୈଜୟନ୍ତ ଓ ଜାଗୀଙ୍କଠାରୁ ସୁରକ୍ଷା ନ ମିଳିବାରୁ ଇତିମଧ୍ୟରେ ମନୋରଂଜନ ଷଡ଼ଙ୍ଗୀ ପଣ୍ଡା କମ୍ପାନୀରୁ ଇସ୍ତଫା ଦେଇସାରିଲେଣି । ଶିବ ଶ୍ରୀଚନ୍ଦନଙ୍କର ମଧ୍ୟ ସମାନ ଅବସ୍ଥା । ସେ ବି ପଣ୍ଡା ସଂସ୍ଥା ଛାଡ଼ିଦେଲେଣି ।