ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ତାରେଣୀ ବସ୍ତିରୁ ଜଣେ ୧୪ ବର୍ଷର ନାବାଳିକା ନିଖୋଜ ହୋଇଯାଇଛନ୍ତି । ଗତ ୨୬ ତାରିଖରୁ ସେ କୁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିବା ନାବାଳିକାଙ୍କ ମାଆ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଇତିମଧ୍ୟରେ ୫ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ଖୋଜଖବର ମିଳୁନି । ପୁଲିସ କେବଳ ଏତଲା ରୁଜୁ କରି ବସିପଡ଼ିଥିବାରୁ ନାବାଳିକାଙ୍କ ପରିବାର ଅସହାୟ ହୋଇପଡ଼ିଛନ୍ତି ।
ଅଭିଯୋଗକାରିଣୀ ମହିଳା ଧର୍ମବିହାରରେ ରହୁଥିବା ବରିଷ୍ଠ ସାମ୍ବାଦିକ ପ୍ରତାପ ମହାନ୍ତିଙ୍କ ଘରର ସହାୟିକା(ପାର୍ଟ ଟାଇମ୍) ଭାବେ କାର୍ଯ୍ୟ କରୁଥିଲା ବେଳେ ତାଙ୍କ ସ୍ୱାମୀ ମୁକୁନ୍ଦ ବେହେରା ଛୋଟକାଟିଆ କ୍ଷୀର ବେପାର କରି ପରିବାର ଚଳାନ୍ତି । ଗତ ୨୬ ତାରିଖ ସକାଳ ୮ଟା ବେଳେ ବେଳେ ସେମାନଙ୍କ ଦଶମ ଶ୍ରେଣୀ ପଢ଼ୁଆ ଝିଅ ହଠାତ୍ କେଉଁଆଡ଼େ ପଳାଇ ଯାଇଥିଲେ । ଯାହାକି ସମ୍ପୂର୍ଣ୍ଣ ଅସ୍ୱାଭାବିକ ଥିଲା । ନିଜର ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ପରିବାର ଲୋକ ବିଭିନ୍ନ ଜାଗା ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଉନାହାନ୍ତି ।
ସବୁଆଡେ ଖୋଜାଖୋଜି କରି ଝିଅକୁ ନ ପାଇବା ପରେ ବାପାମାଆ ମୁଣ୍ଡରେ ହାତ ଦେଇବସିଛନ୍ତି । ପରୀ ଘଟଣାକୁ ମନେ ପକାଇ ସେମାନେ ଛାନିଆଁ ହୋଇଯାଇଛନ୍ତି । ଖଣ୍ଡଗିରି ଥାନାକୁ ଦୌଡୁଥିଲେ ମଧ୍ୟ ପୁଲିସ ସେମାନଙ୍କୁ ସହଯୋଗ କରିବା ବଦଳରେ ଓଲଟି ନାଲିଆଖି ଦେଖାଉଛି ବୋଲି ବରିଷ୍ଠ ସାମ୍ବାଦିକ ପ୍ରତାପ ମହାନ୍ତି କହିଛନ୍ତି । ସେ ନିଜେ ଥାନାକୁ ଯାଇ ପୁଲିସର ସହାୟତା ମାଗିଥିଲେ ମଧ୍ୟ ଜନୈକ ଏସଆଇଙ୍କ ର୍ଦୁବ୍ୟବହାରର ଶିକାର ହୋଇଥିବା କହିଛନ୍ତି ।
ଶ୍ରୀ ମହାନ୍ତି ଆଜି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି ଏହି ଗରିବ ପରିବାର ପାଇଁ ସାହାଯ୍ୟ ଲୋଡିଛନ୍ତି ।