ଭୁୁବନେଶ୍ୱର: ପଛୁଆ ବର୍ଗଙ୍କ କଲ୍ୟାଣ ନିମନ୍ତେ ଦୀର୍ଘ ଦିନର ଦାବି ସାକାର ହୋଇଛି । ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ଓବିସି) ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି । କମିଶନ ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରଘୁନାଥ ବିଶ୍ୱାଳ, ସଦସ୍ୟ ପ୍ରଫେସର ଡ. ନବନୀତା ରଥ, ପ୍ରଫେସର ଡ. ମିତାଲି ଚିନ୍ନରା ଏବଂ ଡ. ପ୍ରସନ୍ନ କୁମାର ପାତ୍ର ଆଜି ସେମାନଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ଫେବୃଆରୀ ୧୨ ତାରିଖରେ ଓବିସି କମିସନ ଗଠନ ସଂକ୍ରାନ୍ତରେ ଘୋଷଣା କରିଥିଲେ । ଓଡ଼ିଶା ରାଜ୍ୟ ଓବିସି ଆକ୍ଟ ୧୯୯୩ ର ପ୍ରାବଧାନ ଅନୁଯାୟୀ ଏହି କମିଶନ ଗଠନ ହୋଇଥିଲା । ରାଜ୍ୟରେ ପଛୁଆବର୍ଗଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିର ସର୍ଭେ କରି ସେମାନଙ୍କୁ ସମୁଚିତ ନ୍ୟାୟ ପ୍ରଦାନ କରିବା ହେଉଛି କମିସନଙ୍କ ମୁଖ୍ୟ କାର୍ଯ୍ୟ । ପଛୁଆବର୍ଗଙ୍କ ସମସ୍ୟା ଶୁଣିବା ସହ ସେମାନଙ୍କ କଲ୍ୟାଣ ପାଇଁ କମିସନ ବିହିତ ପଦକ୍ଷେପ ନେବେ ।
କମିଶନ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାଜ୍ୟରେ ପଛୁଆବର୍ଗ ସର୍ବେକ୍ଷଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ । ଓବିସି ଡାଟା ପ୍ରସ୍ତୁତ ହେବ । ଯେ କୌଣସି ଜାତିର ଲୋକ ଚାହିଁଲେ ଓବିସି ବର୍ଗକୁ ଆସିପାରିବେ । ସାମାଜିକ ଓ ଆର୍ଥିକ ସ୍ୱଚ୍ଛଳ ବର୍ଗର ଲୋକ ଓବିସି ତାଲିକାରୁ ନା ହଟେଇପାରିବେ । ମଣ୍ଡଳ କମିସନଙ୍କ ସୁପାରିଶ ଆଧାରରେ ସଂରକ୍ଷଣ ଉଦ୍ୟମ କରାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି ।
କମିସନ ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ଦାୟିତ୍ୱ ଗ୍ରହଣ ବେଳେ ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।