ଭୁୁବନେଶ୍ୱର: ପୂର୍ବରୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ସମନ୍ କୁ ଭ୍ରୃକ୍ଷେପ କରି ନ ଥିଲେ । ଆଜି ରାଜ୍ୟ ମହିଳା କମିଶନଙ୍କ ସମନ୍ କୁ ସମ୍ମାନ ଜଣାଇ କମିଶନଙ୍କ କାର୍ଯ୍ୟାଳୟରେ ହାଜିରା ପକାଇଲେ । ହେଲେ ଜେରା ଆଗକୁ ଗଲେ ନାହିଁ । ଅନ୍ୟ କାମର ବାହାନା ରଖି ପଳାଇ ଆସିଲେ ।
ନାବାଳିକା ଗଣଦୁର୍ଷ୍କମ ମାମଲାରେ ଓଟିଭି ଏମଡି ଜାଗୀମଙ୍ଗତ୍ ପଣ୍ଡା ଆଜି ଏଭଳି ଭାବେ ରାଜ୍ୟ ମହିଳା କମିଶନଙ୍କୁ ଚକମା ଦେଇଛନ୍ତି । ଧାର୍ଯ୍ୟ ସମୟ ଦିନ ୧୧ଟାରେ କମିଶନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେତେବେଳକୁ କମିଶନଙ୍କ ଅଦାଲତରେ ଅନ୍ୟ କେସ୍ ର ଶୁଣାଣୀ ଚାଲିଥିଲା । ଓଟିଭି ଏମଡିଙ୍କର ୩ ନମ୍ବର କେସ୍ ଥିଲା । ତେବେ ତାଙ୍କ ପାଳି ଆସିଲା ପର୍ଯ୍ୟନ୍ତ ଜାଗୀ ଅପେକ୍ଷା କଲେନି । ଅନ୍ୟ କାର୍ଯ୍ୟର ବ୍ୟସ୍ତତା ଦର୍ଶାଇ ପଳାଇ ଆସିଥିଲେ ।
କମିଶନଙ୍କ କାର୍ଯ୍ୟାଳୟ ବାହାରେ ତାଙ୍କ ମୁହଁରୁ ପ୍ରତିକ୍ରିୟା ନେବା ପାଇଁ ଅପେକ୍ଷାରତ ସାମ୍ବାଦିକମାନଙ୍କୁ ବି ନିରାଶ କରିଥିଲେ ଓଟିଭି ଏମଡି । କ୍ୟାମେରା ଓ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇ ପଳାଇ ଯାଇଥିଲେ । ତାଙ୍କ ଲୋକଙ୍କ ଜରିଆରେ ଏକ ଇଂରାଜୀ ପ୍ରେସ୍ ରିଲିଜ୍ କୁ ସାମ୍ବାଦିକମାନଙ୍କୁ ବଣ୍ଟାଯାଇଥିଲା ।
ସେଥିରେ ପୁଲିସଠାରୁ ଆରମ୍ଭ କରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା, ମହିଳା କମିଶନ ଅଧ୍ୟକ୍ଷା ଏବଂ ନାବାଳିକା ଗଣଦୁଷ୍କର୍ମ ମାମଲା ପ୍ରସାରଣ କରୁଥିବା ଟିଭି ଚ୍ୟାନେଲ୍ ଗୁଡ଼ିକ ଉପରେ ବର୍ଷିଛନ୍ତି । ଓଟିଭି କର୍ମଚାରୀଙ୍କୁ ଥାନାକୁ ଡକାଇ ଉଦ୍ଦେଶ୍ୟମୂଳକ ଭାବେ ଜେରା କରାଯାଉଛି ବୋଲି ସେ ଅଭିଯୋଗ କରିବା ସହ ଗଣଦୁଷ୍କର୍ମ ମାମଲାର ଦୋଷୀ ପ୍ରତି ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ।
ତେବେ ଅନ୍ୟକୁ ଦୋଷୀ କରି ମାମଲାରୁ ଖସିପାରିବେନି ଜାଗୀ । ମହିଳା କମିଶନଙ୍କ ପକ୍ଷରୁ ତାଙ୍କୁ ସାନି ନୋଟିସ୍ ଦିଆଯିବ । ଆଜି କମିଶନଙ୍କ ଶୁଣାଣୀରେ ଉପସ୍ଥିତ ହୋଇ ନ ଥିବାରୁ ତାଙ୍କ ପାଇଁ ଅନ୍ୟ ଏକ ତାରିଖ ଧାର୍ଯ୍ୟ ହେବ ବୋଲି ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା କହିଛନ୍ତି । ଭୁବନେଶ୍ୱର ଡିସିପିଙ୍କ ଡିସିପିଙ୍କ ଜରିଆରେ ଏହି ସମନ ଜାରି କରିବୁ ବୋଲି ଅଧ୍ୟକ୍ଷା ଜଣାଇଛନ୍ତି ।
ସୂଚନାଯୋଗ୍ୟ, ଓଟିଭିରେ ରିସେପସିନିଷ୍ଟ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କର ୧୩ ବର୍ଷର ଝିଅକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଓଟିଭିର ୪ କର୍ମଚାରୀ । ମହିଳା ଥାନାରେ ସେମାନଙ୍କ ବିରୋଧରେ ପୋକସୋ ଆକ୍ଟ,୨୦୧୨ ରେ ସଙ୍ଗୀନ ମାମଲା ରୁଜୁ ହୋଇଛି । ତେବେ ମାମଲାକୁ ଇତିମଧ୍ୟରେ ୨୨ ଦିନ ପୂରିଯାଇଥିଲେ ମଧ୍ୟ ପୁଲିସ କାହାରିକୁ ଗିରଫ କରିନାହିଁ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିଜ ନାବାଳିକା ଝିଅ ପ୍ରତି ଏଭଳି ଜଘନ୍ୟ କାଣ୍ଡ ସମ୍ପର୍କରେ ଓଟିଭିରେ କାର୍ଯ୍ୟରତ ମହିଳାଜଣଙ୍କ ଏମଡି ଜାଗୀମଙ୍ଗତ ପଣ୍ଡାଙ୍କୁ ଜଣାଇଥିଲେ । ମାତ୍ର ଆଭ୍ୟନ୍ତରୀଣ ବିଶାଖା କମିଟି ଦ୍ୱାରା ତଦନ୍ତ ଆଳରେ ମାମଲା ଚପାଇଦେବାକୁ ଉଦ୍ୟମ ହୋଇଥିଲା ବୋଲି ପୀଡ଼ିତାଙ୍କ ମାଆ ଲିଖିତ ଅଭିଯୋଗ କରିଛନ୍ତି । ଏମଡିଙ୍କ ସହ ତାଙ୍କର ଟେଲିଫୋନ୍ କଥାବର୍ତ୍ତାର ଅଡିଓ କ୍ଲିପ୍ ବି ମହିଳା କମିଶନ ଓ ତଦନ୍ତକାରୀ ପୁଲିସ ପାଖରେ ଦାଖଲ କରିଛନ୍ତି ।
ଜଣେ ନାବାଳିକା ଝିଅ ପ୍ରତି ଏଭଳି ଜଘନ୍ୟ, ଗର୍ହିତ ମାମଲା ଚପାଇଦେବା ଉଦ୍ୟମ କ୍ଷେତ୍ରରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ପୋକସୋ ଆକ୍ଟର ଧାରା ୨୧ ରେ ମାମଲା ରୁଜୁ ହେବା କଥା । ଏକ ସଂଗଠନ ପକ୍ଷରୁ ଓଟିଭି ଏମଡିଙ୍କ ବିରୋଧରେ ଏ ନେଇ ଥାନାରେ ଏତଲା ବି ଦିଆଯାଇଛି । ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ପୁଲିସ ମାମଲା ରୁଜୁ କରୁନାହିଁ କି ଅଡିଓ ବାର୍ତ୍ତଳାପର ସତ୍ୟାସତ୍ୟ ଜାଣିବା ପାଇଁ ଜାଗୀଙ୍କୁ ସମନ୍ କରୁନାହିଁ । ଶିଶୁ ସୁରକ୍ଷା ଅଧିକାର କମିଶନ ଓ ମହିଳା କମିଶନଙ୍କ ନୋଟିସ୍, ସମନ୍ ରେ କାର୍ଯ୍ୟାନୁଷ୍ଠାନ ସୀମିତ ରହିଯାଇଛି ।