ଭୁବନେଶ୍ୱର: ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତଭାର କ୍ରାଇବ୍ରାଞ୍ଚ ନେବାର ସପ୍ତାହେ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନେ ଗିରଫ ହୋଇନାହାନ୍ତି । ମାମଲାକୁ ଚପାଇଦେବାର ଉଦ୍ୟମ କରିଥିବା ପୀଡ଼ିତାଙ୍କ ମାଆଙ୍କ ବୟାନ ଭିତ୍ତିରେ କ୍ରାଇବ୍ରାଞ୍ଚ ପକ୍ଷରୁ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କୁ ଆଜି ସମନ୍ ଜାରି ହୋଇଛି । ଆସନ୍ତାକାଲି ଶନିବାର ଇଓଡବ୍ଲୁରେ ହାଜର ହେବାକୁ ଏଥିରେ କୁହାଯାଇଛି ।
ଆଜି କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ୍ ଏହି ସମନ୍ ଦେବାକୁ ଓଟିଭି ଅଫିସ୍ ଯାଇଥିଲେ । ତେବେ କର୍ତ୍ତୃପକ୍ଷ ସେମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇ ନ ଥିଲେ । ଶେଷରେ ଜାଗୀଙ୍କ ପକ୍ଷରୁ ଓଟିଭିର ଜଣେ ଅଧିକାରୀ ଏହି ସମନ୍ ଗ୍ରହଣ କରିଥିଲେ ।
ସେହିଭଳି ମହିଳା କମିଶନଙ୍କ ପକ୍ଷରୁ ଜାଗୀଙ୍କୁ ଆଜି ପୁଣି ଏକ ସମନ୍ ଜାରି କରାଯାଇଛି । ଓଟିଭି ବିଶାଖା କମିଟିର ପଦକ୍ଷେପ ସମ୍ପର୍କରେ ତାଙ୍କୁ ପଚରାଉଚୁରା କରାଯିବ ବୋଲି ଜଣାପଡ଼ିଛି ।
ପୂର୍ବଥର ଜାଗୀଙ୍କ ପକ୍ଷରୁ ଜଣେ ଅଧିକାରୀ ମହିଳା କମିଶନଙ୍କ ପାଖରେ ହାଜର ହୋଇ ମଗାଯାଇଥିବା କାଗଜପତ୍ର ଦେଇଥିଲେ । ତେବେ ଆଶ୍ଚର୍ଯ୍ୟର କଥା, ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ ଦାୟିତ୍ୱ ମହିଳା କମିଶନଙ୍କ ନୁହେଁ ବୋଲି ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା ସେତେବେଳେ ଗଣମାଧ୍ୟମକୁ କହିଥିଲେ ।
କଟକ ନାବାଳିକା ଗଣଦୁଷ୍କର୍ମ ମାମଲାର ସରଜମିନ୍ ତଦନ୍ତ ପାଇଁ ମହିଳା କମିଶନ ଅଧ୍ୟକ୍ଷା ଯାଇଥିବା ବେଳେ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାର ଅନୁଧ୍ୟାନ ତାଙ୍କର ଦାୟିତ୍ୱ ନୁହେଁ ବୋଲି ଅଧ୍ୟକ୍ଷାଙ୍କ ପୂର୍ବ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ସେପଟେ ସାରୁଅ ଜମି କେଳେଙ୍କାରୀ ମାମଲାରେ ଆଜି ଖୋର୍ଦ୍ଧା ପୁଲିସ ଜାଗୀ ପଣ୍ଡାଙ୍କ ବାପା ରଣବୀର ସିଂହଙ୍କୁ ଜେରା କରିଥିଲେ । ମାତ୍ର ଅସୁସ୍ଥତତା ଯୋଗୁଁ ସେ ବେଶୀ ସମୟ ଦେଇପାରି ନ ଥିଲେ । ଆସନ୍ତାକାଲି ତାଙ୍କୁ ପୁଣି ଥରେ ଜେରା କରାଯିବ ।