ଭୁବନେଶ୍ୱର: ଗତକାଲି ରାଜ୍ୟ ମହିଳା କମିଶନଙ୍କ ଦ୍ୱାରରେ ହାଜିରା ପକାଇ ପଳାଇ ଆସିଥିବା ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କୁ ପୁଣି ସମନ୍ ହୋଇଛି । ଆସନ୍ତା ଅକ୍ଟୋବର ୧ ତାରିଖ ଦିନ ୧୧ଟା ବେଳେ ହାଜର ହେବାକୁ କୁହାଯାଇଛି । ଡିସିପିଙ୍କ ଜରିଆରେ ମହିଳା କମିଶନଙ୍କ ପକ୍ଷରୁ ଆଜି ଏହି ସମନ୍ ଜାରି କରାଯାଇଛି ।
ମହିଳା କମିଶନଙ୍କ ସମନ୍ ପାଇ ଗତକାଲି ଜାଗୀ ସେଠାରେ ହାଜର ହୋଇଥିଲେ । ସିରିଏଲ୍ ନଂ ୨ ମାମଲାର ଶୁଣାଣି ଚାଲିଥିବାରୁ କିଛି ସମୟ ଅପେକ୍ଷା କରିବାକୁ କୁହାଯାଇଥିଲା । ସିରିଏଲ୍ ନଂ ୩ ରେ ତାଙ୍କର ପାଳି ପଡ଼ିଥାଆନ୍ତା । ମାତ୍ର ଜାଗୀ ଅପେକ୍ଷା କଲେ ନାହିଁ । ତାଙ୍କର ବହୁତ କାମ ଅଛି ବୋଲି ଲିଖିତ ଭାବେ ଜଣାଇ ପଳାଇ ଆସିଥିଲେ । କମିଶନଙ୍କ ଅଦାଲତରେ ନିଜ ପକ୍ଷ ନ ରଖି ଏକ ପ୍ରେସ୍ ରିଲିଜ୍ ଜରିଆରେ ସଫେଇ ରଖିଲେ ।
ଏହା ପୂର୍ବରୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ପକ୍ଷରୁ ଜାଗୀଙ୍କୁ ହାଜିରା ହୋଇ ପକ୍ଷ ରଖିବାକୁ ୪୮ ଘଣ୍ଟାର ମହଲତ ଦିଆଯାଇଥିଲା । ମାତ୍ର ସେ ତାହାକୁ ଖାତିର କରି ନ ଥିଲେ ।
ଗୋଟେ ୧୩ ବର୍ଷର ଝିଅକୁ ୧୫ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ଓଟିଭିର ୪ ଜଣ କର୍ମଚାରୀ, ଜଣେ ପୁଲିସଙ୍କ ସମେତ ୭ ଜଣ ଏଥିରେ ଅଭିଯୁକ୍ତ ଅଛନ୍ତି । ମାମଲା ଚପାଇଦେବାକୁ ଓଟିଭି ଏମଡି ଉଦ୍ୟମ କରିଥିବାର ଅଭିଯୋଗ ପୀଡ଼ିତାଙ୍କ ମାଆ କରିଛନ୍ତି ।
ଏହି ମାମଲାରେ ପୁଲିସର ଭୂମିକା ସନ୍ଦେହ ଘେରକୁ ଆସିସାରିଛି । ପୋକସୋ ଆକ୍ଟରେ ମାମଲା ରୁଜୁ ହେବାର ୨୨ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ । ସେହିଭଳି ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ସହ ମାମଲାକୁ ଚପେଇ ଦେବା ଅଭିଯୋଗରେ ଛନ୍ଦି ହୋଇଥିବା ଓଟିଭି ଏମଡିଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନାହିଁ ।
ଇତିମଧ୍ୟରେ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ଉକ୍ତ ମାମଲାର ତଦନ୍ତ ରିପୋର୍ଟ ପୁଲିସକୁ ମଗାଯାଇଥିଲେ ମଧ୍ୟ ତାହା ହସ୍ତଗତ ହୋଇନାହିଁ । କରୋନାର ଆଳ ଦେଖାଇ ପୁଲିସ ଏହାକୁ ଆଉ ତିନି ସପ୍ତାହ ଗଡ଼ାଇ ଦେଇଛି ।