ଭୁବନେଶ୍ୱର: ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାର ଅଭିଯୁକ୍ତ ନିଜର ନାର୍କୋ ଟେଷ୍ଟ ପାଇଁ ମନା କରିବା ଘଟଣା ଏସଆଇଟି ତଦନ୍ତକୁ ଝଟକା ଆଣିଛି । ପରୀକୁ ତଣ୍ଟି ଚିପି ମାରିବା ପରେ ତାର ଶବକୁ ଦୁଷ୍କର୍ମ କରିବା ଭଳି ଜଘନ୍ୟ କାଣ୍ଡର ବର୍ଣ୍ଣନା ପାଇଲା ପରେ ଏସଆଇଟି ଅଭିଯୁକ୍ତକୁ ଗିରଫ କରିଥିଲା । ନାର୍କୋ ଟେଷ୍ଟ କରିଥିଲେ ହୁଏତ ଆଉ କିଛି ଅଧିକ ତଥ୍ୟ ମିଳିପାରିଥାଆନ୍ତା । ମାତ୍ର ତାହା ସମ୍ଭବ ହୋଇନାହିଁ । ପ୍ରଥମରୁ ନୟାଗଡ଼ ପୁଲିସର ଅବହେଳା ଏବଂ ପରବର୍ତ୍ତୀ କାଳରେ ରାଜନୈତିକ ପଶାଖେଳ ପରୀ ହତ୍ୟା ଅଭିଯୁକ୍ତକୁ ଫାଇଦା ଦେଇପାରେ ବୋଲି ସଂଶୟ ସୃଷ୍ଟି ହେଲାଣି ।
କଲେଜରେ ପଢ଼ୁଥିବା ଏହି ଅଭିଯୁକ୍ତ ପ୍ରଥମରୁ ନୟାଗଡ଼ ପୁଲିସର ସନ୍ଦେହ ବଳୟକୁ ଆସିଥିଲା । ତାକୁ ଥାନାକୁ ଡାକି ତଦନ୍ତକାରୀ ପୁଲିସ ଏକାଧିକବାର ପଚରାଉଚୁରା କରିଥିଲା । ମାତ୍ର ନୟାଗଡ଼ ଏସପିଙ୍କ ଅପରାଗତା ପାଇଁ ପୁଲିସ ଆଗକୁ ବଢ଼ି ନ ଥିଲା ବୋଲି ଜନୈକ ଅଧିକାରୀ କହିଛନ୍ତି । ବିଳମ୍ବରେ ହେଲେ ମଧ୍ୟ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ହାବୁଡରୁ ସେ କିନ୍ତୁ ଖସି ପାରିନାହିଁ । ଗିରଫ ସୁନିଶ୍ଚିତ ଜାଣି ସେ ବୋଥ୍ରାଙ୍କ ବିରୋଧରେ ବୟାନବାଜି କରିବା ପଛରେ ରାଜନୈତିକ ବଳ ଥିଲା ବୋଲି ସଂପୃକ୍ତ ଅଧିକାରୀ ସନ୍ଦେହ କରିଛନ୍ତି ।
ଏସଆଇଟି ଟିମ୍ ୨୦ ଦିନ ଧରି ଅବିଶ୍ରାନ୍ତ ତଦନ୍ତ କରି ଦୋଷୀକୁ ଧରିବା ଏବଂ ଏକ ସାମ୍ବାଦିକ ସମ୍ମିଳନୀରେ ଅରୁଣ ବୋଥ୍ରା ପରୀ ହତ୍ୟାର ଲୋମହର୍ଷଣ କାହାଣୀ ବର୍ଣ୍ଣନା କରିବା ସତ୍ତ୍ୱେ ପରୀର ଖୋଦ୍ ବାପାମାଆ ଏହାକୁ ଗ୍ରହଣ ନ କରି ବିଜେପି ସ୍ୱରରେ ଅଟଳ ରହିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଚକିତ କରିଛି । ପରୀ ବାପାମାଆ ଏକ ତଦନ୍ତକାରୀ ସଂସ୍ଥାର ତଥ୍ୟକୁ ଗ୍ରହଣ ନ କରିବା ପଛର ଯୁକ୍ତି କ’ଣ ଏବଂ ଏହି ଘଟଣାରେ ଅନ୍ୟ କିଏ ସଂପୃକ୍ତ ବୋଲି ସେମାନଙ୍କ ପାଖରେ କି ତଥ୍ୟ ପ୍ରମାଣ ଅଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
୫ ବର୍ଷର ଝିଅ ମୃତ୍ୟୁ ମାମଲାରେ ରାଜନୈତିକ ରଙ୍ଗ ବୋଳିବାର ଷଡ଼ଯନ୍ତ୍ରରେ ଖୋଦ୍ ବାପାମାଆ ସାମିଲ ହେବା ମଧ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଭୁବନେଶ୍ୱରରେ ଆତ୍ମାହୁତି ଉଦ୍ୟମକୁ ଏକ ନାଟକ ବୋଲି ଅଭିହିତ କରି ସେମାନେ ତଥାକଥିତ ସମାଜସେବୀ ଶ୍ରୀଧର ପ୍ରଧାନଙ୍କ ସହ ନିଜ ଘରଭିତରେ କଥା ହେବାର ଭିଡ଼ିଓ ପଦାକୁ ଆସିଲା ପରେ ବାସ୍ତବତା ଧରାପଡ଼ିଛି । ଗିରଫ ଅଭିଯୁକ୍ତକୁ ସେମାନେ ନିଦେ୍ର୍ଦାଷ ବୋଲି ଟିଭିରେ ବୟାନ ଦେଉଥିଲା ବେଳେ ତାକୁ ହିଁ ପ୍ରଥମରୁ ସନ୍ଦେହ କରୁଥିଲେ ବୋଲି ଘରେ କଥା ହେଉଛନ୍ତି ।
ଉଲ୍ଲେଖଥାଉକି, ପରୀ ମାମଲାକୁ ରାଜନୈତିକ ଅସ୍ତ୍ର କରିଥିବା ବିଜେପି ପରୀ ପାଇଁ ନ୍ୟାୟ ମାଗିବା ନାଁରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଥମରୁ ଟାର୍ଗେଟ୍ କରିଛନ୍ତି । ନିର୍ଦ୍ଦିଷ୍ଟ ଭାବେ ମନ୍ତ୍ରୀଙ୍କ ପାଖଲୋକ ବାବୁଲି ନାୟକଙ୍କୁ ହତ୍ୟାକାରୀ ସଜାଇ ଏସଆଇଟି ତଦନ୍ତକୁ ଅଗ୍ରାହ୍ୟ କରିଛନ୍ତି । ପରୀକୁ ନ୍ୟାୟ ପାଇଁ ସେମାନଙ୍କର ଆନ୍ତରିକତା ତ ବୁଝାପଡୁନି, ମାତ୍ର ଗିରଫ ଅଭିଯୁକ୍ତକୁ ଖସାଇବା ପାଇଁ ସେମାନଙ୍କର ଆନ୍ତରିକତା ସମସ୍ତେ ଦେଖୁଛନ୍ତି । ଖୋଦ୍ ଅଭିଯୁକ୍ତ ମଧ୍ୟ ଏହାର ସୁଯୋଗ ନେଇ ଏସଆଇଟିକୁ ଚକମା ଦେବାରେ ସମର୍ଥ ହେଉଛି ।
ସୂଚନାଥାଉକି, ଅଭିଯୁକ୍ତ ବାରମ୍ବାର ବୟାନ ବଦଳାଉଥିବାରୁ ଏସଆଇଟି ପାଇଁ ନାର୍କୋ ଟେଷ୍ଟର ଜରୁରୀ ଆବଶ୍ୟକତା ଥିଲା । ସେହିଭଳି ଜବତ ମୋବାଇଲର ପରୀକ୍ଷା ସହ ହତ୍ୟାରେ ବ୍ୟବହୃତ ସାମଗ୍ରୀର ଡିଏନଏ ପରୀକ୍ଷା ପାଇଁ ଏସଆଇଟି କୋର୍ଟରେ ଆବେଦନ କରିଥିଲା । ମାତ୍ର ଧୂର୍ତ୍ତ ଅଭିଯୁକ୍ତ ଜଣଙ୍କ ନାର୍କୋ ଟେଷ୍ଟ ପାଇଁ ଖାଲି ମନା କରିନାହିଁ, ଏସଆଇଟିର ତିନୋଟି ଯାକ ଆବେଦନକୁ ଗ୍ରହଣ ନ କରିବା ପାଇଁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡକୁ ନିବେଦନ କରିଛି । ଏଭଳି ଅଭିଯୁକ୍ତକୁ ନିଦେ୍ର୍ଦାଷ ବୋଲି ବିଶ୍ୱାସ କରାଯାଇପାରିବ କି ବୋଲି ଅନେକ ପ୍ରଶ୍ନ କରିଛନ୍ତି ।