ଭୁୁବନେଶ୍ୱର: ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିକଳ୍ପ ନାହିଁ । ସେ ହେଉଛନ୍ତି ରାଜ୍ୟର ଅପ୍ରତିଦ୍ୱନ୍ଦୀ ନେତା । ପିପିଲି ଉପନିର୍ବାଚନ ଫଳାଫଳ ଏହା ପୁଣି ଥରେ ପ୍ରମାଣିତ କରୁଛି । ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ତାଙ୍କର ନିକଟତମ ବିଜେପି ପ୍ରତିଦ୍ୱନ୍ଦୀ ଆଶ୍ରିତ ପଟ୍ଟନାୟକଙ୍କଠାରୁ ୮ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି ।
ଅଷ୍ଟମ ରାଉଣ୍ଡ ବେଳକୁ ରୁଦ୍ରଙ୍କୁ ୩୧, ୪୫୭ ଭୋଟ ମିଳିଥିବା ବେଳେ ଆଶ୍ରିତଙ୍କୁ ମିଳିଛି ୨୨,୬୦୧ ଭୋଟ । କଂଗ୍ରେସ ପ୍ରାର୍ଥୀ ବିଶ୍ୱକେତନ ହରିଚନ୍ଦନ ମହାପାତ୍ରଙ୍କୁ ମିଳିଛି ମାତ୍ର ୨,୧୨୨ ଭୋଟ ।
ଆଜି ଗଣତି ଆରମ୍ଭରୁ ହିଁ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥୀଙ୍କ ଭୋଟ ବ୍ୟବଧାନ ବଢ଼ି ଚାଲିଛି । ପ୍ରଥମ ରାଉଣ୍ଡ ଗଣତି ଶେଷରେ ବିଜେଡ଼ି ପ୍ରାର୍ଥୀ ୧୪୦୬ ଖଣ୍ଡ ଭୋଟରେ ଆଗୁଆ ଥିଲା ବେଳେ ଦ୍ୱିତୀୟ ରାଉଣ୍ଡରେ ୩୩୧୭, ତୃତୀୟ ରାଉଣ୍ଡରେ ୫୦୪୪ ଏବଂ ଚତୁର୍ଥ ରାଉଣ୍ଡରେ ୫୧୪୦ ଭୋଟରେ ଆଗୁଆ ଥିଲେ ।
୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ୮୮, ୫୧୮(୫୦.୬୬%) ଏବଂ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୮, ୭୩୧(୪୧.୬୨%) ଭୋଟ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କୁ ମିଳିଥିଲା ୯,୮୩୦(୫.୬୩%) ଭୋଟ ।
୧୯୯୫ ନିର୍ବାଚନକୁ ଛାଡ଼ିଦେଲେ ୧୯୮୫ ମସିହାରୁ ପ୍ରଦୀପ ମହାରଥୀ ପିପିଲି ଆସନରୁ ଲଗାତର ନିର୍ବାଚିତ ହୋଇଥିଲେ । ସମୁଦାୟ ୭ ଥର ଏହି ଆସନରୁ ସେ ପ୍ରତିନିଧିତ୍ୱ କରିଥିଲେ । ତେବେ ତାଙ୍କ ମୃତୁ୍ୟ ଯୋଗୁଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ବିଜେଡ଼ି ପାଇଁ ଏହା ସେତେଟା ସହଜ ନ ଥିଲା । ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲେ ମଧ୍ୟ ତାଙ୍କ ସପକ୍ଷରେ ଅପେକ୍ଷାକୃତ ଅନୁକମ୍ପା ଭୋଟ ନ ଥିଲା ।
ତେବେ ନବୀନ ପଟ୍ଟନାୟକଙ୍କ ଉପରେ ଲୋକଙ୍କ ଅତୁଟ ଭରସା ଏବଂ ଭୋଟରଙ୍କୁ ବାନ୍ଧି ରଖିବାରେ ବିଜେଡ଼ିର ରଣକୌଶଳ ଆଗରେ ବିରୋଧୀ ତୁଚ୍ଛ ହୋଇଯାଇଛନ୍ତି । ଦୁଇ ଦୁଇ ଥର ଉପନିର୍ବାଚନ ସ୍ଥଗିତ ସତ୍ତ୍ୱେ ଭୋଟରଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ବିଜେଡ଼ି ନେତା ଓ କର୍ମୀମାନେ ପ୍ରବଳ ଖଟିଥିଲେ । ଶତ୍ରୁ ପକ୍ଷକୁ ମାତ୍ ଦେବାରେ ବିଜେଡ଼ିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସଫଳ ଗୋଟିଚାଳନା ପିପିଲିରେ ମଧ୍ୟ ଦେଖିବାକୁ ମିଳିଥିଲା ।
ବଡ଼କଥା ହେଉଛି, ମୁଖ୍ୟମନ୍ତ୍ରୀ ଏଥର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ନ ଥିଲେ ମଧ୍ୟ ଲୋକଙ୍କ ହୃଦୟରେ ବସା ବାନ୍ଧି ସାରିଥିବା ପିପିଲି ଜନାଦେଶରୁ ସ୍ପଷ୍ଟ ହେବାକୁ ଯାଉଛି ।