ଭୁବନେଶ୍ୱର: କରୋନା କାରଣରୁ ସ୍ଥଗିତ ରହିଥିବା ପିପିଲି ଉପନିର୍ବାଚନର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ସେପ୍ଟେମ୍ବର ୩୦ ରେ ଭୋଟ ଏବଂ ଅକ୍ଟୋବର ୩ ରେ ଗଣତି ହେବ । ପୂର୍ବରୁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର କାଏମ ରହିଥିବାରୁ ପୁନଶ୍ଚ ପ୍ରାର୍ଥୀପତ୍ର ଦାଖଲର ଆବଶ୍ୟକତା ନାହିଁ । ଆଜିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ।
ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଉପନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି । ସେପ୍ଟେମ୍ବର ୨୦ ରୁ ନିର୍ବାଚନ ପ୍ରଚାର ହେବ । ଇନଡୋର ମିଟିଂରେ କ୍ଷମତାର ୩୦% କିମ୍ବା ୨୦୦ରୁ କମ୍ ଲୋକଙ୍କୁ ଅନୁମତି ଦିଆଯିବ । ଷ୍ଟାର୍ କ୍ୟାମ୍ପେନର୍ ଥିବା ଆଉଟଡୋର ମିଟିଂରେ ୧ ହଜାର ଲୋକଙ୍କୁ ଅନୁମତି ଦିଆଯିବ । ଅନ୍ୟ ଆଉଟଡୋର ପ୍ରଚାର ବେଳେ ୫୦୦ ଲୋକଙ୍କୁ ଅନୁମତି ଦିଆଯିବ ।
ତେବେ ରୋଡ୍ ଶୋ’, ବାଇକ୍ ଓ ସାଇକେଲ୍ ରାଲି ହୋଇପାରିବ ନାହିଁ । ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ବେଳେ ପ୍ରାର୍ଥୀଙ୍କ ସହ ୫ ଜଣଙ୍କୁ ଅନୁମତି ଦିଆଯିବ । ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଉପନିର୍ବାଚନରେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି । ବିଜେଡ଼ିରୁ ରୁଦ୍ର ପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସରୁ ବିଶ୍ୱକେତନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି । ଅନ୍ୟାନ୍ୟ ଦଳରୁ ୭ ପ୍ରାର୍ଥୀ ଥିବା ବେଳେ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି ।
ସୂଚନାଯୋଗ୍ୟ, ବିଧାୟକ ପ୍ରଦୀପ ମହାରଥୀଙ୍କର ପରଲୋକ ଯୋଗୁଁ ଉପନିର୍ବାଚନ ହେଉଛି । ଗତ ଏପ୍ରିଲ୍ ୧୭ ରେ ଏହା ହେବାର ଥିଲା । ମାତ୍ର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତୁ୍ୟ ଯୋଗୁଁ ତାହା ସ୍ଥଗିତ ରହିଥିଲା । ପରବର୍ତ୍ତୀ ସମୟରେ ମେ’ ୧୩ କୁ ଉପନିର୍ବାଚନ ତାରିଖ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଇଦ ଉଲ୍ ଫିତର ପାଇଁ ତାହା ମେ ୧୬ କୁ ଘୁଞ୍ଚିଥିଲା । ତେବେ କରୋନାର ପ୍ରକୋପ ବଢ଼ିବାରୁ ନିର୍ବାଚନ କମିଶନ ଉପନିର୍ବାଚନ ପୁଣି ସ୍ଥଗିତ ଘୋଷଣା କରିଥିଲେ ।