ଭୁୁବନେଶ୍ୱର: ପାରାଦ୍ୱୀପରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ । ୧୨୦ ଏକର ଜାଗାରେ ପ୍ରସ୍ତାବିତ ଏହି ପ୍ରକଳ୍ପରେ ଖର୍ଚ୍ଚ ହେବ ୧୦୭ କୋଟି ଟଙ୍କା । ଏଥିପାଇଁ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢ଼ାଇଛି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍(ଆଇଓସିଏଲ୍) । ଆଜି ଏ ନେଇ ଇଡକୋ ଓ ଆଇଓସିଏଲ୍ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏମଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ୍ ମୋଡ୍ ରେ ଉପସ୍ଥିତ ଥିଲେ ।
ଭାରତ ସରକାରଙ୍କ ‘ପ୍ଲାଷ୍ଟିକ୍ ପାର୍କ ସ୍କିମ୍’ ଅନ୍ତର୍ଗତ ପାରାଦ୍ୱୀପରେ ପ୍ରସ୍ତାବିତ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ ଇଡକୋ ଓ ଆଇଓସିଏଲ୍ ସହଭାଗିତାରେ ନିର୍ମିତ ହେବ । ଏଥିରେ ଇଡକୋର ୫୧% ଏବଂ ଆଇଓସିଏଲ୍ ର ୪୯% ଅଂଶୀଦାର ରହିବ । ପ୍ରକଳ୍ପରେ ଆଇଓସିଏଲ୍ ଖର୍ଚ୍ଚ କରିବ ୪୦ କୋଟି ଟଙ୍କା । ୫୦୦ କୋଟିରୁ ଅଧିକ ପୁଞ୍ଜିନିବେଶ ଥିବା ୨୫ ଟି ଶିଳ୍ପସଂସ୍ଥା ଏହି ପାର୍କ ଦ୍ୱାରା ଲାଭବାନ ହେବା ସହ ୧୬୦୦ ଜଣଙ୍କୁ କର୍ମନିଯୁକ୍ତି ମିଳିବ ।
ଓଡ଼ିଶାରେ ଡାଉନଷ୍ଟ୍ରିମ୍ ପଲିମର ଇଣ୍ଡଷ୍ଟ୍ରି ପାଇଁ ଏହି ପାର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ଆଇଓସିଏଲ୍ ଦ୍ୱାରା ଓଡ଼ିଶାରେ ପେଟ୍ରୋଲିୟମ୍ ଏବଂ ପେଟ୍ରୋକେମିକାଲସ୍ ନିବେଶଗୁଡ଼ିକ ପାଇଁ ରାଜ୍ୟ ସରକାର ଆବଶ୍ୟକ ସମସ୍ତ ଆନୁସଙ୍ଗିକ ସହଯୋଗ ଯୋଗାଇ ଆସୁଥିବା ମୁଖ୍ୟମନ୍ତ୍ରୀ କହିବା ସହ ପ୍ରସ୍ତାବିତ ପାରାଦ୍ୱୀପ ପ୍ଲାଷ୍ଟିକ୍ ପାର୍କର ସଫଳତା କାମନା କରିଥିଲେ ।
ଅନ୍ୟପକ୍ଷରେ ଆଇଓସିଏଲ୍ ପକ୍ଷରୁ ଉକ୍ତ ପ୍ରକଳ୍ପ ପାଇଁ ଆବଶ୍ୟକ ସରଞ୍ଜାମକୁ ରିହାତି ଦରରେ ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ । ଆଗାମୀ ଦିନରେ ଓଡ଼ିଶାକୁ ଆସୁଥିବା ପ୍ରକଳ୍ପଗୁଡ଼ିକ ପାଇଁ ସେ ରାଜ୍ୟ ସରକାରଙ୍କ ସହଯୋଗ କାମନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍, ଉନ୍ନୟନ କମିଶନର ପ୍ରଦୀପ ଜେନା, ଆଇଓସିଏଲ୍ ସିଏମଡି ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।