ଭୁବନେଶ୍ୱର: ପାର୍ବଣ ବେଳେ ଖୁସି ମନାଇବାକୁ ଯାଇ ସାମାନ୍ୟ ଅସାବଧାନତା ଅବଲମ୍ବନ କଲେ ତାହା ନିଜ ଓ ପରିବାର ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ । ସାମାଜିକ ଦୂରତା ରକ୍ଷା କରିବା, ମୁହଁରେ ମାସ୍କ ପିନ୍ଧିବା ଏବଂ ବାରମ୍ବାର ହାତ ସଫା କରି କରୋନାଠାରୁ ଦୂରେଇ ରହିବାକୁ ଆମେ ସମସ୍ତେ ଚେଷ୍ଟା ଜାରି ରଖିବା । ଭାକସିନ୍ ନ ବାହାରିଲା ପର୍ଯ୍ୟନ୍ତ ଏହି ନିୟମ ପାଳନ କରିବା ଏବଂ ନିଜେ, ପରିବାର ଏବଂ ଦେଶକୁ ସୁରକ୍ଷିତ ଓ ସୁସ୍ଥ ରଖିବା । ସ୍ଥିତି ବିଗିଡ଼ିବାକୁ ଦେବାନି ।
ଆଜି ସଂଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସତର୍କ କରାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ଲକଡାଉନ୍ ଯାଇଛି ସତ ହେଲେ ଭାଇରସ୍ ଯାଇନି । ବିଶ୍ୱର ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ଅଛି । ପ୍ରତି ୧୦ ଲକ୍ଷରେ ୫,୫୦୦ ଜଣ ସଂକ୍ରମିତ ଥିଲା ବେଳେ ଆମେରିକା ଓ ବ୍ରାଜିଲ୍ ଭଳି ଦେଶରେ ୨୫ ହଜାରରୁ ଅଧିକ ସଂକ୍ରମିତ । ସେହିଭଳି ଆମ ଦେଶରେ ପ୍ରତି ୧୦ ଲକ୍ଷ ଲୋକରେ ୮୩ ଜଣଙ୍କର ମୃତ୍ୟୁ ହେଉଥିଲା ବେଳେ ଆମେରିକା, ବ୍ରାଜିଲ୍, ସ୍ପେନ୍, ବ୍ରିଟେନ୍ ରେ ୬୦୦ ରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଉଛନ୍ତି ।
ଆମେରିକା, ବ୍ରାଜିଲ୍, ୟୁରୋପ ରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିଲା । ମାତ୍ର ହଠାତ୍ ତାହା ବୃଦ୍ଧି ପାଇ ଭୟଙ୍କର ରୂପ ଧାରଣ କରିଛି । ଆମେ ଢ଼ିଲା ମାରିଲେ ଆମର ଅବସ୍ଥା ବି ଖରାପ ହୋଇପାରେ । କିଛି ଲୋକ କରୋନା ଚାଲିଗଲା ଭାବି ବେପରୁଆ ହେଉଛନ୍ତି । ବିଭିନ୍ନ ଭିଡ଼ିଓରୁ ଏମାନଙ୍କ ଆଚରଣ ଦେଖିବାକୁ ମିଳୁଛି । ବିନା ମାସ୍କରେ ଯିବା ଦ୍ୱାରା ଆପଣ ଆପଣଙ୍କ ପରିବାର ପାଇଁ ବିପଦ ଡାକୁଛନ୍ତି ।
ଯେ ପର୍ଯ୍ୟନ୍ତ ଭାକସିନ୍ ବାହାରି ନାହିଁ ଆମେ କରୋନା ବିରୋଧରେ ଲଢ଼େଇକୁ ଦୁର୍ବଳ କରିବାନି । ଭାକସିନ୍ ଆସିଲେ ପ୍ରତିଟି ଭାରତୀୟଙ୍କ ପାଖରେ ଏହା ପହଞ୍ଚାଇବାକୁ ସରକାର ଚେଷ୍ଟିତ ଅଛନ୍ତି । ସେ ପର୍ଯ୍ୟନ୍ତ ସମସ୍ତେ ଯତ୍ନବାନ ଓ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ଅପିଲ୍ କରିଛନ୍ତି । ଜନସାଧାରଣଙ୍କ ମନରେ ସଚେତନତା ରକ୍ଷା ପାଇଁ ମିଡ଼ିଆ ଓ ସୋସିଆଲ୍ ମିଡ଼ିଆର ସହଯୋଗ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ ।
ପାର୍ବଣ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।