ନୂଆଦିଲ୍ଲୀ: ଦେଶର ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଟିକାକରଣ ଦାୟିତ୍ୱ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ନିଜ ହାତକୁ ନେଇଛନ୍ତି । କେନ୍ଦ୍ର ସରକାର ଟିକା ଉତ୍ପାଦନକାରୀ କମ୍ପାନୀଠାରୁ ଉତ୍ପାଦନର ୭୫ ପ୍ରତିଶତ ଟିକା କିଣି ରାଜ୍ୟମାନଙ୍କୁ ମାଗଣାରେ ଯୋଗାଇ ଦେବେ । ଆସନ୍ତା ଜୁନ୍ ୨୧ ତାରିଖ ସୋମବାର ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସରୁ ରାଜ୍ୟମାନେ ଏହି ଟିକା ପାଇବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଘରୋଇ ମେଡ଼ିକାଲ୍ ମାନେ ୨୫% ଟିକା ପୂର୍ବଭଳି କମ୍ପାନୀମାନଙ୍କଠାରୁ କିଣିପାରିବେ । ଅର୍ଥାତ ଯେଉଁମାନେ ପଇସା ଦେଇ ଟିକା ନେବାକୁ ଚାହିଁବେ, ନେଇପାରିବେ ।
ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ରାଜ୍ୟମାନଙ୍କରେ ଟିକାର ଅଭାବ ଏବଂ ଟିକା ସଂଗ୍ରହ ଦାୟିତ୍ୱ କେନ୍ଦ୍ର ସରକାର ନେବା ପାଇଁ ରାଜ୍ୟ ସରକାରମାନେ ଚାପ ପକାଇଥିଲେ । କାରଣ ରାଜ୍ୟ ସରକାରମାନେ ବିଦେଶରୁ ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରିଥିଲେ ମଧ୍ୟ ଏଥିପାଇଁ କମ୍ପାନୀମାନେ ଆଗ୍ରହ ଦେଖାଇ ନ ଥିଲେ । କେନ୍ଦ୍ର ସରକାରଙ୍କ ସହ ସିଧାସଳଖ କଥା ହେବା ପାଇଁ ସେମାନେ ଚାହିଁଥିଲେ । ଏହି ଦୃଷ୍ଟିରୁ କେନ୍ଦ୍ର ସରକାର ଟିକା କିଣି ରାଜ୍ୟମାନଙ୍କୁ ଦେଉ ବୋଲି ଓଡ଼ିଶା ସମେତ ପ୍ରାୟ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କେନ୍ଦ୍ରକୁ ଅନୁରୋଧ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ୧୬ ଜାନୁଆରୀ ରୁ ଏପ୍ରିଲ୍ ପର୍ଯ୍ୟନ୍ତ ଭାରତର ଟିକାକରଣ କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ମାତ୍ର ରାଜ୍ୟମାନଙ୍କର ଆଗ୍ରହକୁ ଦେଖି ୨୫% ଟିକାକ୍ରୟ ପାଇଁ ଅନୁମତି ଦିଆଯାଇଥିଲା । ସେହି ଅନୁଯାୟୀ ମେ ୧ ତାରିଖରୁ ପରିବର୍ତ୍ତିତ ନୀତି କାର୍ଯ୍ୟକାରୀ ହୋଇଥିଲା । ମାତ୍ର ରାଜ୍ୟମାନେ ଏହାର ଅସୁବିଧା ବୁଝିବା ପରେ ସେମାନଙ୍କ ଦାବି ମୁତାବକ ଟିକା ନୀତି ବଦଳା ଯାଉଛି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ୧୮ ବର୍ଷରୁ ସମସ୍ତଙ୍କୁ ଟିକା ମାଗଣାରେ ଦିଆଯିବ ଏବଂ ସେଥିପାଇଁ ରାଜ୍ୟ ସରକାରମାନେ ଖର୍ଚ୍ଚ କରିବାକୁ ପଡ଼ିବନି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ନଭେମ୍ବର ପର୍ଯ୍ୟନ୍ତ ମାଗଣା ରାସନ
ସମସ୍ତଙ୍କୁ ମାଗଣା କରୋନା ଟିକା ସହ ନଭେମ୍ବର ମାସ ପର୍ଯ୍ୟନ୍ତ ଦେଶର ଗରିବ ଜନତାଙ୍କୁ ମାଗଣା ରାସନ୍ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଦେଶର ୮୦ କୋଟି ଲୋକଙ୍କୁ ଏହି ମାଗଣା ରାସନ୍ ମିଳିବ ।