ନୟାଗଡ଼: ପରୀ ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀ ନାବାଳକ ବୋଲି ନୟାଗଡ଼ ପୋକ୍ସୋ କୋର୍ଟ ଆଜି ରାୟ ଶୁଣାଇଛନ୍ତି । ଏସଆଇଟି ତାକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିବା ପରେ ତା’ର ବୟସକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସରୋଜ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ଜନ୍ମଗତ ପ୍ରମାଣପତ୍ର ଦାଖଲ କରିଥିଲେ । କୋର୍ଟ ଏହାର ଅନୁଧ୍ୟାନ କଲା ପରେ ସରୋଜର ବୟସ ୧୮ ରୁ କମ୍ ଦର୍ଶାଇ ମାମଲା ଜୁଭେନାଇଲ୍ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡକୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ସରୋଜର ନାର୍କୋ ଟେଷ୍ଟ ପାଇଁ ଏସଆଇଟିର ଆବେଦନକୁ ପୋକସୋ କୋର୍ଟ ନାକଚ କରିଦେଇଛନ୍ତି । ସରୋଜ ନାବାଳକ ଥିବାରୁ ତାର ନାର୍କୋ ଟେଷ୍ଟ କରାଯାଇପାରିବ ନାହିଁ ବୋଲି କହିଛନ୍ତି ।
ଯଦୁପୁର ଗାଁର ୫ ବର୍ଷର ଝିଅ ପରୀ ହତ୍ୟା ମାମଲାର ତଦନ୍ତ କରି ଏସଆଇଟି ଗାଁ ପଡୋଶୀ ଘରର ସରୋଜ ସେଠୀକୁ ଅଭିଯୁକ୍ତ ଭାବେ ଗିରଫ କରିଛି । କଲେଜରେ ପଢ଼ୁଥିବା ସରୋଜର ବୟସ ୧୮ ବର୍ଷ ବୋଲି ଏସଆଇଟି ଡାକ୍ତରୀ ସାର୍ଟିଫିକେଟ୍ ଆଧାରରେ ଦର୍ଶାଇଥିଲା । ମାତ୍ର ସରୋଜର ବୟସ ୧୮ ରୁ କମ୍ ବୋଲି ତାର ଓକିଲ ସାର୍ଟିଫିକେଟ୍ ସହ ଯୁକ୍ତି ରଖିଥିଲେ । ସରୋଜର ମାଆ ମଧ୍ୟ ବୟସ ପ୍ରମାଣପତ୍ର ଦେଇଥିଲେ । ଆଜି ଉଭୟ ପକ୍ଷରୁ ଯୁକ୍ତି ଶୁଣିଲା ପରେ ସରୋଜ ନାବାଳକ ବୋଲି କୋର୍ଟ ବିଚାର କରିଛନ୍ତି ।
କୋର୍ଟର ଏହି ରାୟ ଏସଆଇଟି ତଦନ୍ତ ଆଗକୁ ବଢ଼ିବାରେ ଉପରେ ସମସ୍ୟା ସୃଷ୍ଟି କରିଛି । ବିଜେପି ଟାର୍ଗେଟ୍ ରେ ରହି ଆସିଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ତଦନ୍ତ ଉପରେ ଦଳ ସଭାପତି ସମୀର ମହାନ୍ତି ପ୍ରଶ୍ନ ଉଠାଇବା ସହ ତାଙ୍କର ବହିଷ୍କାର ଦାବି କରିଛନ୍ତି ।