ସମ୍ବଲପୁର/ଭୁୁବନେଶ୍ୱର: ଚାଷୀଙ୍କ ସମସ୍ୟାକୁ ନେଇ ସମ୍ବଲପୁରରେ ଗତକାଲିଠାରୁ ଆନ୍ଦୋଳନ ଚଳାଇଥିବା ବିଜେପି ଆଜି ସଂଧ୍ୟାରେ ଆରଡିସିଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଛି । ଆରଡିସିଙ୍କ ସହ ଆଲୋଚନାକୁ ବିଜେପି ନେତାମାନେ ସକରାତ୍ମକ କହିବା ସହ ଚାଷୀ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ୭୨ ଘଣ୍ଟାର ମହଲତ୍ ଦେଇଛନ୍ତି । ସରକାର ସମାଧାନ ନକଲେ ୨୫ ତାରିଖ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।
ଗତକାଲି ସମ୍ବଲପୁର ଅଇଁଠାପାଲି ପିଏଚଡି ପଡିଆରେ ବିଜେପି ଚାଷୀ ଅଧିକାର ରାଲି କରିଥିଲା । ଏହାପରେ ଶୋଭାଯାତ୍ରା ସହର ମଧ୍ୟ ଦେଇ ଆରଡିସିଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ତେବେ ପୁଲିସ କର୍ଡନ ଭାଙ୍ଗି ବିଜେପି କର୍ମୀମାନେ ଆରଡିସିଙ୍କ କାର୍ଯ୍ୟାଳୟ ପଶିବାକୁ ଉଦ୍ୟମ କଲାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । ପରେ କିଛି ବିଜେପି ନେତାଙ୍କୁ ପୁଲିସ ଗିରଫ କରି ଟାଉନ୍ ଥାନାକୁ ଆଣିଥିଲା ।
ତେବେ ଆରଡିସିଙ୍କୁ ଭେଟି ନ ପାରିବା ପ୍ରତିବାଦରେ ଗିରଫ ହୋଇ ଆସିଥିବା ବିଜେପି ନେତୃବୃନ୍ଦଙ୍କ ସହ ବହୁ ନେତା ଓ କର୍ମୀ ସମ୍ବଲପୁର ଟାଉନ୍ ଥାନାରେ ଧାରଣାରେ ବସିଥିଲେ । ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର, ନାଉରୀ ନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ରାତି ତମାମ ଥାନାରେ ଧାରଣାରେ ବସିଥିଲେ । ଥାନା ଭିତରେ ନେତା ଧାରଣାରେ ବସିଥିବା ବେଳେ ଥାନା ବାହାରେ କର୍ମୀମାନେ ଧାରଣାରେ ବସିଥିଲେ । କିଛି କର୍ମୀ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କଲାରୁ ପୁଲିସ ସହ ଧସ୍ତାଧସ୍ତି ଏବଂ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ତେବେ ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳଙ୍କ ଉଦ୍ୟମରେ ଆରଡିସିଙ୍କ ସହ ବିଜେପି ନେତୃବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ମଣ୍ଡିରୁ ଧାନ ଉଠିବା ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେମାନଙ୍କ ଦାବି ଉପରେ ଆରଡିସିଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ।
ଦଲାଲଙ୍କ ପାଇଁ ଓକିଲାତି: ବିଜେଡ଼ି
ରାଜ୍ୟରେ ଧାନ କିଣା ପ୍ରକ୍ରିୟାରେ ଚାଷୀମାନେ ଉପକୃତ ହେଉଛନ୍ତି । ମାତ୍ର ଦଲାଲଙ୍କ ସ୍ୱାର୍ଥରେ ଏହା ବ୍ୟାଘାତ ଘଟାଉଥିବାରୁ ଓଡ଼ିଶାର ବିଜେପି ନେତାଙ୍କ ହୋସ୍ ଉଡିଯାଇଛି । ଦଲାଲଙ୍କ ସହ ହାତ ମିଳାଇଥିବା ବିଜେପି ନେତାମାନେ ସେମାନଙ୍କ ପାଇଁ ଓକିଲାତି କରୁଥିବା ସମସ୍ତଙ୍କୁ ଜଣା । ଗୋଟେ ପଟେ ଦଲାଲଙ୍କ ସ୍ୱାର୍ଥରକ୍ଷା ଓ ଅନ୍ୟପଟେ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଥିବା ଚାଷୀ ଆନେ୍ଦାଳନରୁ ନଜର ହଟାଇବା ପାଇଁ ଓଡ଼ିଶା ବିଜେପି ଏଭଳି ଡ୍ରାମା କରୁଛି ବୋଲି ବିଜେଡ଼ି କଟାକ୍ଷ କରିଛି ।
ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରାଜ୍ୟରେ ରେକର୍ଡ ପରିମାଣର ଧାନ ଉତ୍ପାଦନ ହୋଇଥିବା ବେଳେ ଠିକଣା ଭାବେ ଧାନ ସଂଗ୍ରହ ଯୋଗୁଁ ଲକ୍ଷାଧିକ ଚାଷୀ ଉପକୃତ ହେଉଛନ୍ତି । ୨୦୧୮-୧୯ ବର୍ଷରେ ୬୫.୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୧,୪୦୦ କୋଟି ଟଙ୍କା ପଠାଯାଇଥିଲା । ୨୦୧୯-୨୦ ବର୍ଷରେ ଧାନ ସଂଗ୍ରହ ପରିମାଣ ୭୦.୫୬ ଲକ୍ଷ ମେଟ୍ରିକ୍ ଟନ ଥିବା ବେଳେ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୨,୮୦୮ କୋଟି ଟଙ୍କା ଯାଇଥିଲା ।
ବିଜେଡ଼ି ସାଂସଦମାନେ ଗତକାଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିବା ପରେ ଚାଉଳ ସଂଗ୍ରହ ଓ ସବସିଡି ପ୍ରଦାନ ସମ୍ପର୍କିତ ସମସ୍ୟାର ସମାଧାନ ହୋଇଛି । ହେଲେ ବିଜେପି ସାଂସଦମାନେ ଓଡ଼ିଶା ପାଇଁ କ’ଣ କରିଛନ୍ତି? ଏଠାରେ ଶସ୍ତା ରାଜନୀତି ନ କରି ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ କାମ କରନ୍ତୁ ବୋଲି ବିଜେଡ଼ି ମୁଖପାତ୍ର କହିଛନ୍ତି । ପ୍ରକୃତ ଚାଷୀଙ୍କ ନିକଟରେ ଥିବା ଗୋଟିଏଧାନକୁ ମଧ୍ୟ ସଂଗ୍ରହ କରିବା ପାଇଁ ବିଜେଡ଼ି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ।
ଫାର୍ସ କାହିଁକି: କଂଗ୍ରେସ
ବିଜେପିର ଆନ୍ଦୋଳନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, କେନ୍ଦ୍ରରେ ସେମାନଙ୍କ ସରକାର ଅଛି । ଆଇନ ଅନୁଯାୟୀ କେନ୍ଦ୍ର ସରକାର ଚାଷୀଙ୍କଠାରୁ ଉଚିତ୍ ମୂଲ୍ୟରେ ଧାନ କିଣିବାର ଅଧିକାର ଅଛି । ବିଜେପି ନେତାମାନେ କେନ୍ଦ୍ର ସରକାରଙ୍କୁ କହି ଏହା କରାଉ ନାହାନ୍ତି କାହିଁକି? ନିଜ ଦାୟିତ୍ୱ ନ କରି ଥାନାରେ ବସିଲେ ଚାଷୀଙ୍କ ସମସ୍ୟାର କ’ଣ ସମାଧାନ ହୋଇଯିବ କି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।