ଭୁୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ବାକି ଥିବା ବେଳେ ବିଜେଡ଼ି ପକ୍ଷରୁ କିନ୍ତୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି । ଉପନିର୍ବାଚନ ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ଆଳି ବିଧାୟକ ପ୍ରତାପ ଦେବଙ୍କୁ ଆଜି ନିଯୁକ୍ତି ଦିଆଯାଇଛି । ବିଜେଡ଼ି ସାଧାରଣ ସମ୍ପାଦକ(ଗଣମାଧ୍ୟମ) ମାନସ ମଙ୍ଗରାଜ ଏକ ପ୍ରେସ୍ ବିବୃତ୍ତିରେ ଏହା ଜଣାଇଛନ୍ତି ।
ସେପଟେ ବିଜେଡ଼ି ପକ୍ଷରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କିମ୍ବା ପୁତ୍ର ରୁଦ୍ର ମହାରଥୀଙ୍କୁ ବିଜେଡ଼ି ଟିକେଟ ମିଳିବାର ସମ୍ଭାବନା ଯଥେଷ୍ଟ ଥିଲେ ମଧ୍ୟ ମାଆ-ପୁଅ ଦୁଇଜଣ ଯାକ ଟିକେଟ ଆଶାୟୀ ଥିବାରୁ ସଭାପତିଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ହୋଇପାରେ । ମହାରଥୀଙ୍କ ପରେ ପିପିଲି ଗଡ଼ ସମ୍ଭାଳିବା ପାଇଁ ପୃଥକ୍ ଭାବେ ମାଆ-ପୁଅ ଦାବିଦାର ଥିବା ଗଣମାଧ୍ୟମରେ ସେମାନଙ୍କ ବୟାନରୁ ଆଭାସ ମିଳୁଛି । ହୁଏତ ପରିବାର ଭିତରେ ଏ ନେଇ ଆପୋଷ ବୁଝାମଣା ହେବ ଅଥବା ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାକୁ ମାନିବେ ।
ସେପଟେ ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ପୁନର୍ବାର ପ୍ରାର୍ଥୀ କରିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ଏହି ଉପନିର୍ବାଚନ ଜିତିବାକୁ ବିଜେପି ନେତାମାନେ ଇତିମଧ୍ୟରେ ବଳ ଯୋଗାଡ ଆରମ୍ଭ କରିଛନ୍ତି ।
କଂଗ୍ରେସ ପକ୍ଷରୁ ଗତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ଅଜିତ୍ ମଙ୍ଗରାଜ । ପୁନର୍ବାର ପ୍ରାର୍ଥୀ ହେବାକୁ ସେ ଅଣ୍ଟା ଭିଡ଼ିଥିଲା ବେଳେ ନିଶିକାନ୍ତ ମିଶ୍ର ବି ଆଶାୟୀ ତାଲିକାର ଆଗରେ ଅଛନ୍ତି । ତେବେ ହାଇକମାଣ୍ଡ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।
ସୂଚନାଯୋଗ୍ୟ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଗତ ଅକ୍ଟୋବର ୪ ତାରିଖରେ ପରଲୋକ ହୋଇଥିଲା । ତାଙ୍କ ମୃତ୍ୟୁରେ ଖାଲିପଡ଼ିଥିବା ଏହି ଆସନ ପାଇଁ ୬ ମାସ ମଧ୍ୟରେ ଉପନିର୍ବାଚନ ହେବାର ବିଧି ରହିଛି । ସୁତରାଂ ଖୁବ୍ ଶୀଘ୍ର ଉପନିର୍ବାଚନ ତାରିଖ ଘୋଷଣା ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।