ଭୁବନେଶ୍ୱର: ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରାର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ସମୀକ୍ଷା କରି ମହାପ୍ରଭୁଙ୍କ ନୀତିକାନ୍ତି ଓ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ୱ ଦେଇଥିଲେ । ଗତବର୍ଷ ପରି ଏବର୍ଷ ରଥଯାତ୍ରାକୁ ସୁରୁଖୁରୁରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁରୀ ସହରବାସୀ, ସେବାୟତମାନଙ୍କ ସହଯୋଗ ମାଗିବା ସହ ମହାପ୍ରଭୁଙ୍କ ଆଶିର୍ବାଦ କାମନା କରିଛନ୍ତି ।
ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତବର୍ଷ ପରି ଏ ବର୍ଷ ମଧ୍ୟ ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଏକ ଅସାଧାରଣ ପରିସ୍ଥିତିରେ ହେବାକୁ ଯାଉଛି । ସାରା ବିଶ୍ଵ ଟେଲିଭିଜନ ଓ ସୋସିଆଲ ମିଡିଆ ମାଧ୍ୟମରେ ହିଁ କାଳିଆ ଠାକୁରଙ୍କୁ ଦର୍ଶନ କରିବେ । ତେଣୁ ମହାପ୍ରଭୁଙ୍କ ନୀତି ଠିକ ସମୟରେ ଶେଷ ହେବା ଦରକାର । ତା ସହିତ କୋଭିଡ ନିୟମକୁ ମଧ୍ୟ ଯାତ୍ରା ସମୟରେ ଠିକ ଭାବରେ ପାଳନ କରାଯିବା ଜରୁରୀ । କୋଭିଡ଼ ମହାମାରୀ ସମ୍ପର୍କରେ ସଚେତନ କରାଇ ମୁଖ୍ୟମନ୍ତ୍ରୀ କହିଲେ ଯେ କୋଭିଡର ଦ୍ଵିତୀୟ ଲହର କମି ଆସୁଥିଲେ ମଧ୍ୟ ବିପଦ ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ଚଳିତ ବର୍ଷ ରଥଯାତ୍ରା ଯେପରି ସୁରୁଖୁରୁ ରେ ଶେଷ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ରଥଯାତ୍ରା ପାଇଁ କରାଯାଇଥିବା ସମସ୍ତ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ସେହିଭଳି ଡିଜିପି ଶ୍ରୀ ଅଭୟ ପୁଲିସ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇଥିଲେ ।
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଆଲୋଚନା ପରିଚାଳନା କରିଥିଲେ ।