ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟକୁ ୧୩ତମ କ୍ୱାଲିଟି କାଉନସିଲ୍ ଅଫ୍ ଇଣ୍ଡିଆ (କ୍ୟୁସିଆଇ)- ଡିଏଲ୍ ଶାହ କ୍ୱାଲିଟି ରୌପ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ କ୍ୟୁସିଆଇ-ଡିଏଲ୍ ଶାହ ଟ୍ରଷ୍ଟ ପକ୍ଷରୁ ଗୁରୁବାର ଅନୁଷ୍ଠିତ ୩ୟ ଭର୍ଚୁଆଲ୍ କ୍ୱାଲିଟି କନକ୍ଲେଭ୍ ରେ କିଟ୍ ବିଶ୍ୱବିଦ୍ୟାଳୟକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏସଏପି ର ସଫଳ କାର୍ଯ୍ୟକାରୀ ପାଇଁ କିଟ୍ ବିଶ୍ୱବିଦ୍ୟାଳୟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏସ୍ଏପି କାର୍ଯ୍ୟକାରୀ କରିବା କ୍ଷେତ୍ରରେ କିଟ୍ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ।
ବିଭିନ୍ନ କ୍ୟାଟେଗୋରୀ ମଧ୍ୟରୁ ଶିକ୍ଷା କ୍ଷେତ୍ରରେ ପଞ୍ଜାବର ଚିତ୍କାରା ବିଶ୍ୱବିଦ୍ୟାଳୟ ଏବଂ ସିଏମ୍ସିର ଭେଲୋର, କେଜି ହସ୍ପିିଟାଲ୍ ଆଣ୍ଡ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଇନଷ୍ଟିଚ୍ୟୁଟ୍ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଏହି ପୁରସ୍କାର ପାଇବାରେ କିଟ୍ ହେଉଛି ପୂର୍ବଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ।
ସୂଚନାଯୋଗ୍ୟ, ଏହି ପୁରସ୍କାରର ଚୟନ ପ୍ରକ୍ରିୟା ୫ଟି ପର୍ଯ୍ୟାୟ ଦେଇ କରାଯାଇଥାଏ। ଏହାକୁ ଏନବିକ୍ୟୁପି / କ୍ୟୁସିଆଇ ଓ ଡିଏଲ୍ ଶାହ ଟ୍ରଷ୍ଟର ବିଶେଷଜ୍ଞ କମିଟି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ପୁରସ୍କାର ପାଇବା ପାଇଁ ଯୋଗ୍ୟ ଅନୁଷ୍ଠାନ ଚୟନ କରିଥାନ୍ତି। ୨୦୦୭ ମସିହାରୁ କ୍ୟୁସିଆଇ-ଡିଏଲ୍ ଶାହ କ୍ୱାଲିଟି ଆୱାର୍ଡ ପ୍ରଦାନ କରାଯାଇଆସୁଛି। ସରକାରୀ ଉଦ୍ୟୋଗ, ସରକାରୀ ବିଭାଗ, ଉତ୍ପାଦନ କ୍ଷେତ୍ର, ସୂଚନା ଓ ପ୍ରଯୁକ୍ତି, ଆର୍ଥକ, ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଶିକ୍ଷା, ମଧ୍ୟମ-କ୍ଷୁଦ୍ର-ସୂକ୍ଷ୍ମ ଉଦ୍ୟୋଗ, ଔଷଧ, ଖାଦ୍ୟ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥାଏ।
କିଟ୍ ର ଏହି ସଫଳତାରେ ଖୁସି ବ୍ୟକ୍ତ କରି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିଟ୍ ସର୍ବଦା ଡିଜିଟାଲ୍ ସୃଜନଶୀଳତା ଏବଂ ଏହାର ବ୍ୟବହାରକୁ ଗୁରୁତ୍ୱ ଦେଇ ଆସୁଛି। ଏହି ପୁରସ୍କାର କିଟ୍ କୁ ମନୋନୀତ କରାଯାଇଥିବାରୁ ଶ୍ରୀ ସାମନ୍ତ କ୍ୟୁସିଆଇ-ଡିଏଲ୍ ଶାହ ଟ୍ରଷ୍ଟକୁ ଧନ୍ୟବାଦ ଅର୍ପଣ କରିଛନ୍ତି।