କଟକ: ଆଉ ନାହାନ୍ତି ପଦ୍ମଶ୍ରୀ ଡି.ପ୍ରକାଶ ରାଓ(୬୨) । ଅନ୍ୟର କାନ୍ଦ ଦେଖି ପାରୁ ନ ଥିବା ଏହି ଦରଦୀ ମହାନ୍ ମଣିଷଟି ଆଜି ସମସ୍ତଙ୍କୁ କନ୍ଦାଇ ଆରପାରିକୁ ଚାଲିଯାଇଛନ୍ତି । ଡାଇବେଟିସ୍, ଉଚ୍ଚ ରକ୍ତଚାପ, କିଡନୀ ଆଦି ରୋଗରେ ଆକ୍ରାନ୍ତ ଶ୍ରୀ ରାଓ ୨୦ ଦିନ ତଳେ କୋଭିଡ୍ ରେ ଆକ୍ରାନ୍ତ ହୋଇ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ । ୪ ଦିନ ତଳେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲେ ମଧ୍ୟ ବ୍ରେନ୍ ଷ୍ଟ୍ରୋକ୍ ଜନିତ ସମସ୍ୟା ଯୋଗୁଁ ଚିକିତ୍ସିତ ହେଉଥିଲେ । ଆଜି ଦ୍ୱିତୀୟ ଥର ପାଇଁ ବ୍ରେନ୍ ଷ୍ଟ୍ରୋକ୍ ର ଶିକାର ହୋଇ ଅପରାହ୍ନ ୪.୧୫ ମିନିଟ୍ ରେ ଆଖି ବୁଜି ଦେଇଥିଲେ ।
ଡି. ପ୍ରକାଶ ରାଓଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଲା ପରେ କଟକ ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଜଣେ ଶ୍ରେଷ୍ଠ ମଣିଷକୁ ହରାଇବାର ଦୁଃଖ ସମସ୍ତଙ୍କୁ ମ୍ରିୟମାଣ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସବୁ ଦଳର ରାଜନେତା, ବିଶିଷ୍ଟ ବ୍ୟକ୍ତି ଏବଂ ଜନସାଧାରଣ ଶ୍ରୀ ରାଓଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଡି.ପ୍ରକାଶ ରାଓ ଜଣେ ଅନନ୍ୟ ବ୍ୟକ୍ତିତ୍ୱ ଥିଲେ । ନିଜେ ଦାରିଦ୍ର୍ୟର କଷ୍ଟରେ ବଞ୍ଚିଥିଲେ ମଧ୍ୟ ଅନ୍ୟର କଷ୍ଟକୁ ସହିପାରୁ ନ ଥିଲେ । ଅସହାୟଙ୍କ ପାଖରେ ଛିଡ଼ା ହେବା ଏବଂ ବସ୍ତିର ଗରିବ ପିଲାଙ୍କୁ ପାଠ ପଢ଼ାଇବାର ନିଶା ତାଙ୍କୁ ଭିନ୍ନ ପରିଚୟ ଦେଇଥିଲା । ପରିବାରପୋଷଣ ଓ ସମାଜସେବା ପାଇଁ ତାଙ୍କ ଅର୍ଥ ଉପାର୍ଜନର ମାଧ୍ୟମ ଥିଲା ଏକ ଚା ଦୋକାନ । ସେଥିରୁ ଯେତିକି ରୋଜଗାର କରୁଥିଲେ କଷ୍ଟେମଷ୍ଟେ ପରିବାର ଚଳାଉଥିଲେ ଏବଂ ଅଧାରୁ ଅଧିକ ରୋଜଗାର ଟଙ୍କା ଗରିବ, ଅସହାୟ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ କରୁଥିଲେ ।
କଟକ ବକ୍ସିବଜାରରେ ଶ୍ରୀ ରାଓଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍କୁଲ ‘ଆଶା ଓ ଆଶ୍ୱାସନା’ରେ ପ୍ରଥମରରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗରିବ ବସ୍ତି ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦିଆଯାଉଛି । ଚା ଚୋକାନରୁ କଷ୍ଟ ଲବ୍ଧ ରୋଜଗାରରେ ଶ୍ରୀ ରାଓ ଚଳାଉଥିଲେ ଏହି ସ୍କୁଲ । ଖାଲି ସେତିକି ନୁହେଁ, କେହି ଅସହାୟ ତାଙ୍କ ନଜରକୁ ଆସିଥିଲେ ତାଙ୍କୁ ଯଥାସାଧ୍ୟ ସାହାଯ୍ୟ ସହଯୋଗ ଯୋଗାଇବାକୁ ଆଗଭର ହେଉଥିଲେ ।
ଚା ଦୋକାନରୁ ଟିକେ ଫୁରୁସତ୍ ପାଇଲେ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ କୁ ଯାଇ ୱାର୍ଡ ବୁଲୁଥିଲେ । କାହାରି ଦୁଃଖ କଷ୍ଟ ଦେଖି ପାରୁ ନ ଥିଲେ । ଗରିବ ଓ ଅସହାୟଙ୍କୁ ଉପରେ ପଡ଼ି ସାହାଯ୍ୟ କରୁଥିଲେ । ରକ୍ତଦାନରେ ମଧ୍ୟ ରେକର୍ଡ ସୃଷ୍ଟି କରିଥିଲେ ଡି.ପ୍ରକାଶ ରାଓ । ୨୦୦ ରୁ ଅଧିକ ଥର ରକ୍ତଦାନ କରି ଚର୍ଚ୍ଚାକୁ ଆସିଥିଲେ ।
କିଛିବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସିଥିଲା ବେଳେ ଶ୍ରୀ ରାଓଙ୍କୁ ଭେଟିଥିଲେ । ନିଜର ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଡି. ପ୍ରକାଶ ରାଓଙ୍କ ସମାଜସେବା ବିଶେଷକରି ବସ୍ତିର ଗରିବ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ।
୨୦୧୯ ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଏବଂ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବା ପରେ ମଧ୍ୟ ଡି. ପ୍ରକାଶ ରାଓଙ୍କ ସାଧାରଣ ଜୀବନଶୈଳୀରେ କିଛି ବି ପରିବର୍ତ୍ତନ ହୋଇ ନ ଥିଲା । ସେ ଚା ଦୋକାନରେ ଚା ବିକ୍ରୀ କରୁଥିଲେ ଏବଂ ନିଜର ନମ୍ର, ମିଷ୍ଟ ବ୍ୟବହାରରେ ସମସ୍ତଙ୍କୁ ବାନ୍ଧି ରଖୁଥିଲେ ।
ଆସନ୍ତାକାଲି ସକାଳ ୮ଟାରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଡି. ପ୍ରକାଶ ରାଓଙ୍କର ଅନ୍ତିମ ସଂସ୍କାର କଟକ କାଳିଆବୋଦା ଶ୍ମସାନରେ ହେବ ।